ଇସଲାମାବାଦ: ପାକିସ୍ତାନରେ ସଂଖ୍ୟାଲଘୁଙ୍କ ଉପରେ ଅତ୍ୟାଚାର କିଛି ନୂଆ କଥା ନୁହେଁ। ତେବେ ସଂଖ୍ୟାଲଘୁଙ୍କର ବଳପୂର୍ବକ ଧର୍ମାନ୍ତରୀକରଣ ସମସ୍ୟା ଚିନ୍ତାଜନକ ଭାବେ ବୃଦ୍ଧି ପାଇବାରେ ଲାଗିଛି। ନାବାଳିକା ଝିଅମାନଙ୍କୁ ବଳପୂର୍ବକ ଧର୍ମାନ୍ତରୀକରଣ କରାଯାଉଥିବା ପାକିସ୍ତାନରେ ଜଣେ ସଂଖ୍ୟାଲଘୁ ଅଧିକାରୀ କର୍ମୀଙ୍କ ଭିଡିଓରୁ ଜଣାପଡ଼ିଛି। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏକ ପୋଷ୍ଟ ହୋଇଥିବା ଭାଇରାଲ ଭିଡିଓରେ ଶିବ କାଛି ନାମକ ଜଣେ ହିନ୍ଦୁ ଅଧିକାରୀ କର୍ମୀ ତାଙ୍କ ପ୍ରତି ବିପଦ ଥିବାରୁ ତାଙ୍କୁ ସୁରକ୍ଷା ଦେବାକୁ ଆକୁଳ ନିବେଦନ କରିଛନ୍ତି। ସେ କହିଛନ୍ତି, ହିନ୍ଦୁ ଝିଅମାନଙ୍କୁ ବଳପୂର୍ବକ ଧର୍ମାନ୍ତରୀକରଣ ବିରୋଧରେ ସ୍ୱର ଉତ୍ତୋଳନ କରିବାରୁ ଏକ ଇସଲାମିକ ଗୋଷ୍ଠୀ ତାଙ୍କୁ ହତ୍ୟା ଧମକ ଦେଇଛି। ତାଙ୍କ ଜୀବନ ପ୍ରତି ବିପଦ ରହିଛି। କାଛି ଅଭିଯୋଗ କରିଛନ୍ତି ଯେ, ସେ ତାଙ୍କୁ ଧମକ ଦିଆଯିବ ସମ୍ପର୍କରେ ପାକିସ୍ତାନ ସରକାରଙ୍କୁ ଅବଗତ କରିଥିଲେ ମଧ୍ୟ ସରକାର ଏହି ପ୍ରସଙ୍ଗ ନଜର ଦେଉନାହାନ୍ତି। ଯଦି ତାଙ୍କ ସହିତ କିମ୍ବା ତାଙ୍କ ପରିବାର ସହିତ କିଛି ଖରାପ ହୁଏ ତେବେ ସେଥିପାଇଁ ପାକିସ୍ତାନ ସରକାର ଦାୟୀ ରହିବେ। କାଛି ସଂଖ୍ୟାଲଘୁ ଅଧିକାର ସଂଗଠନ ଦରୱାର ଇତେହାଦର ଅଧ୍ୟକ୍ଷ ଏବଂ ପ୍ରତିଷ୍ଠାତା। ସେ କହିଛନ୍ତି ଯେ ତେହେରିକ୍-ଏ-ଲବୈକ୍ ପାକିସ୍ତାନ (ସରହିନ୍ଦି ଗୋଷ୍ଠୀ) ସହ ଜଡିତ ଧର୍ମଗୁରୁମାନେ ତାଙ୍କୁ ହତ୍ୟା କରିବା ପାଇଁ ଫତୱା ଶୈଳୀର ଆହ୍ୱାନ ଦେଇଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, କର୍ତ୍ତୃପକ୍ଷଙ୍କ ନିକଟରେ ବାରମ୍ବାର ଅବଗତ କରିବା ସତ୍ତ୍ୱେ ଏହି ମାମଲାରେ ପାକିସ୍ତାନ ଓ ସିନ୍ଧ ସରକାର ଏବଂ ପୁଲିସ ସମ୍ପୂର୍ଣ୍ଣ ନିରବ ଓ ନିଷ୍କ୍ରିୟ ରହିଛି।
ସିନ୍ଧରେ କେମିତି ନାବାଳିକା ହିନ୍ଦୁ ଝିଅ ଏବଂ ବିବାହିତା ମହିଳାଙ୍କୁ ଅପହରଣ କରାଯାଉଛି ଏବଂ ବଳପୂର୍ବକ ଧର୍ମାନ୍ତରୀକରଣ କରାଯାଉଛି କାଛି ତାର ଡକ୍ୟୁମେଣ୍ଟ ପ୍ରସ୍ତୁତ କରିଥିବା ଭିଡିଓରେ କହିଛନ୍ତି। ଏଥିଯୋଗୁ ତାଙ୍କୁ ଇସଲାମ ବିରୋଧୀ ତଥା ରାଷ୍ଟ୍ର ବିରୋଧୀ ବୋଲି ଆଖ୍ୟା ଦିଆଯାଉଛି ବୋଲି କାଛି କହିଛନ୍ତି। ଜାନୁଆରି ୧୮ ତାରିଖରେ ସିନ୍ଧର ଉମରକୋଟରୁ ଏହି ପୋଷ୍ଟ କରି ଶିବ କାଛି ଅନ୍ତର୍ଜାତୀୟ ସମ୍ପ୍ରଦାୟକୁ ତାଙ୍କ ସୁରକ୍ଷା ପାଇଁ ଜରୁରୀ ନିବେଦନ କରିଛନ୍ତି। ‘ଏକ୍ସ’ ପୋଷ୍ଟରେ ସେ ତେହେରିକ୍-ଏ-ଲବୈକ୍ ପାକିସ୍ତାନର ସରହିନ୍ଦି ଗୋଷ୍ଠୀଠାରୁ ବିପଦର ସମ୍ମୁଖୀନ ହେଉଥିବା ଉଲ୍ଲେଖ କରିଛନ୍ତି।
ପାକିସ୍ତାନର ଜନଗଣନା ଏବଂ ସ୍ୱାଧୀନ ଅଧିକାର ଗୋଷ୍ଠୀ ଅନୁଯାୟୀ, ପାକିସ୍ତାନର ଅଧିକାଂଶ ହିନ୍ଦୁ ସିନ୍ଧରେ ବସବାସ କରନ୍ତି। ପାକିସ୍ତାନରେ ହିନ୍ଦୁଙ୍କ ଜନସଂଖ୍ୟା ଆନୁମାନିକ ଭାବେ ୪-୫ ନିୟୁତ ରହିଥିବାବେଳେ ସେମାନଙ୍କ ମଧ୍ୟରୁ ପ୍ରାୟ ୯୪% କେବଳ ସିନ୍ଧ ପ୍ରଦେଶରେ ବାସ କରନ୍ତି। ସିନ୍ଧର ଉମରକୋଟ ଜିଲ୍ଲା ୨୦୨୩ ପାକିସ୍ତାନ ଜନଗଣନାର ତଥ୍ୟ ଆଧାରରେ, ଦେଶର ଏକମାତ୍ର ହିନ୍ଦୁ ବହୁଳ ଜିଲ୍ଲା। ଜିଲ୍ଲାର ଜନସଂଖ୍ୟାର ପ୍ରାୟ ୫୨% ହିନ୍ଦୁ। କାଛି ହିନ୍ଦୁଙ୍କ ବଳପୂର୍ବକ ଧର୍ମାନ୍ତରୀକରଣ ତଥା ତାଙ୍କୁ ହତ୍ୟା କରିବାକୁ ଧମକ ଦିଆଯିବ ପ୍ରସଙ୍ଗରେ ମିଳିତ ଜାତିସଂଘ, ଜାତିସଂଘ ମାନବାଧିକାର ପରିଷଦ, ଆମ୍ନେଷ୍ଟି ଇଣ୍ଟରନ୍ୟାସନାଲ, ହ୍ୟୁମାନ୍ ରାଇଟ୍ସ ୱାଚ୍ ଏବଂ ଯୁକ୍ତରାଷ୍ଟ୍ରର ବୈଦେଶିକ ବିଭାଗକୁ ତୁରନ୍ତ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି।
ସୌଜନ୍ୟ ସମ୍ବାଦ
