Paneer: ବଜାରରେ ଅପମିଶ୍ରିତ ପନିର, ଛେନା: ମୂଳ ଉତ୍ସ ପାଖରେ ପହଞ୍ଚିପାରୁନି ପ୍ରଶାସନ
ଭୁବନେଶ୍ବର, କଟକ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଅପମିଶ୍ରିତ ପନିର ଓ ଛେନା ବିକ୍ରିକୁ ନେଇ ଲୋକଙ୍କ ଭିତରେ ଛନକା ପଶିଥିଲେ ହେଁ ବଜାରରୁ ଏହା କିନ୍ତୁ ସରୁନାହିଁ। ଯେତେ ଚଢ଼ାଉ ହେଉଛି ସେତେ ବାହାରୁଛି।

ଭୁବନେଶ୍ବର: ଭୁବନେଶ୍ବର, କଟକ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଅପମିଶ୍ରିତ ପନିର ଓ ଛେନା ବିକ୍ରିକୁ ନେଇ ଲୋକଙ୍କ ଭିତରେ ଛନକା ପଶିଥିଲେ ହେଁ ବଜାରରୁ ଏହା କିନ୍ତୁ ସରୁନାହିଁ। ଯେତେ ଚଢ଼ାଉ ହେଉଛି ସେତେ ବାହାରୁଛି। ଅର୍ଥାତ୍ ସ୍ବାସ୍ଥ୍ୟ ବିଭାଗ ଅପମିଶ୍ରଣର ମୂଳ ଉତ୍ସ ପାଖରେ ପହଞ୍ଚି ପାରୁନାହିଁ।
ଆନାଲୋଗ(ବିନା କ୍ଷୀରରୁ ପ୍ରସ୍ତୁତ) ପନିରର ବିକ୍ରି ଉପରେ କିଛି ରାଜ୍ୟ କଟକଣା ଜାରି କରିବା ପରେ ଓଡ଼ିଶାରେ ପନିରକୁ ନେଇ ଯାଞ୍ଚ ଆରମ୍ଭ ହୋଇଛି। ଖାଦ୍ୟ ସୁରକ୍ଷା କାର୍ଯ୍ୟାଳୟ, ସ୍ଥାନୀୟ ପ୍ରଶାସନ ମିଳିତଭାବେ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛନ୍ତି। ରାପିଡ୍ ଟେଷ୍ଟିଂ କିଟ୍ ବ୍ୟବହାର କରାଯାଇ ଘଟଣାସ୍ଥଳରେ ହିଁ ଏହା ଅପମିଶ୍ରିତ କି ନୁହେଁ ତାହାକୁ ଚିହ୍ନଟ କରାଯାଉଛି। ଆଜି ମଧ୍ୟ ଭୁବନେଶ୍ବର ଓ କଟକର ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଛି। ଆଜି ବିଏମ୍ସି, ଖାଦ୍ୟ ସୁରକ୍ଷା କାର୍ଯ୍ୟାଳୟ ପକ୍ଷରୁ ରାଜଧାନୀର ସିଆର୍ପି, ନୂଆପଲ୍ଲୀ, ସମ୍ ହସ୍ପିଟାଲ, ଫାୟାର ଷ୍ଟେସନ୍ରେ ଥିବା ବିଭିନ୍ନ ଦୋକାନରେ ମଧ୍ୟ ଚଢ଼ାଉ ହୋଇଛି।
ଅପମିଶ୍ରିତ ଖାଦ୍ୟ ବିକ୍ରି କଲେ କଡ଼ା କାର୍ଯ୍ୟାନୁଷ୍ଠାନ: ସ୍ବାସ୍ଥ୍ୟ ମନ୍ତ୍ରୀ ନଷ୍ଟ କରାଗଲା ୬୦ କେଜି ଅପମିଶ୍ରିତ ଖାଦ୍ୟ
ଆଜି ଭୁବନେଶ୍ବରରେ ସମୁଦାୟ ୬୦ କେଜିର ଖାଦ୍ୟ ନଷ୍ଟ ସହ ୧୨ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିବା ଖାଦ୍ୟ ସୁରକ୍ଷା ଅଧିକାରୀ ସୂଚନା ଦେଇଛନ୍ତି। ସେହିପରି କଟକର ବାଦାମବାଡ଼ି ଅଞ୍ଚଳରେ ସିଏମ୍ସି ପକ୍ଷରୁ ଚଢ଼ାଉ କରାଯାଇଛି। ନିଆଳି ଅଞ୍ଚଳରୁ ଆସିଥିବା ୫ କ୍ବିଣ୍ଟାଲ ଛେନା ଓ ପନିରକୁ ସିଏମ୍ସି ସ୍ବାସ୍ଥ୍ୟ ନିରାପତ୍ତା ଅଧିକାରୀ ଯାଞ୍ଚ କରିଥିଲେ। ସେଥିରୁ ୫୦ କେଜି ଅପମିଶ୍ରିତ ଥିବା ସ୍ପଷ୍ଟ ହୋଇଛି। ଉଭୟ ଅପମିଶ୍ରିତ ଓ ଭଲ ଥିବା ଛେନାରୁ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି। ଅପମିଶ୍ରଣର ଉତ୍ସ ଖୋଜିବା ଲାଗି ଉଦ୍ୟମ ଜାରି ରହିଥିବା ସ୍ବାସ୍ଥ୍ୟ ଅଧିକାରୀ ସୂଚନା ଦେଇଛନ୍ତି।
ରାଜ୍ୟ ସରକାର ବର୍ତ୍ତମାନସୁଦ୍ଧା ଆନାଲୋଗ୍ ପନିରର ବିକ୍ରି ଉପରେ କୌଣସି କଟକଣା ଲାଗାଇନାହାନ୍ତି। ଏମିତିକି ଗତ ୫ବର୍ଷ ଭିତରେ ଯେଉଁ ବ୍ୟବସାୟୀଙ୍କ ବିରୋଧରେ ଏପ୍ରକାର ଅପମିଶ୍ରଣ ନେଇ ଆପରାଧିକ ମାମଲା ହୋଇଛି, ସେଥିରେ କେହି ଦଣ୍ଡିତ ହୋଇ ନଥିବାରୁ, ବିଭାଗୀୟ ବିଶ୍ବସନୀୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, ରାଜ୍ୟରେ ଅପମିଶ୍ରିତ ପନିର ବିକ୍ରି ହେଉଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପାଖରେ ସ୍ପଷ୍ଟ ସୂଚନା ରହିଥିଲା। ସେଥିପାଇଁ ୭ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ଅପମିଶ୍ରିତ ପନିର ଓ ଛେନା ଉପରେ ଚଢ଼ାଉ ଜାରି ରହିଛି। ନିଆଳି, କଟକ, ପୁରୀ, ଭୁବନେଶ୍ବର ସମେତ ଅନ୍ୟାନ୍ୟ ସ୍ଥାନରେ ଯାଞ୍ଚ ଚାଲିଛି। ଅପମିଶ୍ରିତ ଖାଦ୍ୟ ବିକ୍ରି ନକରିବା ଲାଗି ସଚେତନ କରାଯିବା ସହ କଡ଼ା କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯିବ।
ସୌଜନ୍ୟ ସମ୍ବାଦ




