ଦେଶ ବିଦେଶ

Parliament: ମୌସୁମୀ ଅଧିବେଶନ, ଲଗାତାର ୪ ଦିନ ଧରି ଗୃହ ଅଚଳ: ସଂସଦ ବାହାରେ ଏନ୍‌ଡିଏ-ଇଣ୍ଡିମେଣ୍ଟ ସାଂସଦ ମୁହାଁମୁହିଁ

ନିଟ୍‌ ପ୍ରଶ୍ନପତ୍ର ପ୍ରଘଟ ଘଟଣାକୁ ନେଇ ଜାରି ରହିଥିବା ଆନ୍ଦୋଳନ ଏବେ ସାରା ଦେଶକୁ ବ୍ୟାପିଥିବା ବେଳେ ଉକ୍ତ ପ୍ରସଙ୍ଗରେ ସଂସଦ କାର୍ଯ୍ୟ ଠପ୍‌ ହୋଇଯାଇଛି।

ନୂଆଦିଲ୍ଲୀ: ନିଟ୍‌ ପ୍ରଶ୍ନପତ୍ର ପ୍ରଘଟ ଘଟଣାକୁ ନେଇ ଜାରି ରହିଥିବା ଆନ୍ଦୋଳନ ଏବେ ସାରା ଦେଶକୁ ବ୍ୟାପିଥିବା ବେଳେ ଉକ୍ତ ପ୍ରସଙ୍ଗରେ ସଂସଦ କାର୍ଯ୍ୟ ଠପ୍‌ ହୋଇଯାଇଛି। ସଂସଦରେ ମୌସୁମୀ ଅଧିବେଶନର ଆଜି ଚତୁର୍ଥ ଦିନ ଥିଲା। କିନ୍ତୁ ଉଭୟ ସଦନରେ ଓ ବାହାରେ ବିରୋଧୀ ସାଂସଦଙ୍କ ଲଗାତାର ହୋହଲ୍ଲା ଓ ହଟ୍ଟଗୋଳ ଯୋଗୁ ଗୃହକାର୍ଯ୍ୟ ହୋଇପାରିନି। ବିରୋଧୀ ନେତାମାନେ ଗୃହରେ କୌଣସି ଆଲୋଚନା ପୂର୍ବରୁ ପ୍ରଥମେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରିଥିଲେ। କିନ୍ତୁ ସରକାର କହିଥିଲେ ବିନା କୌଣସି ପୂର୍ବ ସର୍ତ୍ତରେ ସରକାର ତୁରନ୍ତ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି।

ଲୋକସଭାରେ ଆଜି ବିରୋଧୀ ସାଂସଦମାନେ ଲଗାତାର ଗୃହର ମଧ୍ୟଭାଗକୁ ଯାଇ ସ୍ଲୋଗାନ୍‌ ଦେଇ ହୋହଲ୍ଲା କରିଥିଲେ। ବାଚସ୍ପତି ଓମ୍‌ ବିର୍ଲା ସେମାନଙ୍କୁ ପ୍ରଶ୍ନକାଳ ଜାରି ରଖିବା ପାଇଁ ଅନୁରୋଧ କରିଥିଲେ। ବାଚସ୍ପତି କହିଥିଲେ, ପ୍ରଶ୍ନକାଳ ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ପ୍ରଶ୍ନକାଳ ପରେ ସରକାର ଯେକୌଣସି ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ପ୍ରସ୍ତୁତ। ମୁଁ ସରକାରଙ୍କ ସହ କଥା ହେବି ଏବଂ ସରକାର ମଧ୍ୟ ଆଲୋଚନା ପାଇଁ ପ୍ରସ୍ତୁତ ‌ବୋଲି ବାଚସ୍ପତି କହିଥିଲେ। ସମସ୍ତ ସଦସ୍ୟ ପ୍ରଶ୍ନକାଳ ପରେ ଆଲୋଚନା‌ରେ ଭାଗ ନେବା ପାଇଁ ବାଚସ୍ପତି ଅନୁରୋଧ କରିଥିଲେ। କିନ୍ତୁ ତାଙ୍କ କଥାକୁ କେହି କର୍ଣ୍ଣପାତ କରିନଥିଲେ। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି, ସରକାର ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି ଏବଂ ଏପରିକି ବିରୋଧୀମାନେ ଆଲୋଚନାର ସମୟ ଓ ଅବଧି ସ୍ଥିର କରିବାପାଇଁ ସରକାର ଚାହାନ୍ତି। କିନ୍ତୁ ବିରୋଧୀ ଦଳ ନେତାମାନେ ଆଲୋଚନାରେ ଭାଗ ନ ନେଇ ପ୍ରଥମେ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫାରେ ଅଡ଼ି ବସିଛନ୍ତି। ରାଜ୍ୟସଭାରେ ମଧ୍ୟ ଆଜି ସମାନ ସ୍ଥିତି ଉପୁଜିଛି। ଉଭୟ ଗୃହରେ କୌଣସି କାର୍ଯ୍ୟ ହୋଇପାରିନି।

ଅନ୍ୟପକ୍ଷେ ଆଜି ସଂସଦ ବାହାରେ ଶାସକ ଏନ୍‌ଡିଏ ଓ ବିରୋଧୀ ଇଣ୍ଡି ମେଣ୍ଟ ସାଂସଦମାନେ ମୁହାଁମୁହିଁ ହୋଇଛନ୍ତି। ମକର ଦ୍ବାର ନିକଟରେ ଉଭୟ ଏନ୍‌ଡିଏ ଓ ଇଣ୍ଡି ମେଣ୍ଟ ସାଂସଦମାନେ ପରସ୍ପର ବିରୋଧରେ ସ୍ଲୋଗାନ୍‌ ଦେଇ ଆନ୍ଦୋଳନ କରିଛନ୍ତି। ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ମଲ୍ଲିକାର୍ଜୁନ ଖଡ଼ଗେ ଓ ଅଖିଳେଶ ଯାଦବଙ୍କ ସମେତ ବିରୋଧୀ ସାଂସଦମାନେ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରିଥିଲେ। ସେମାନେ ‘ଇସ୍ତଫା ଦିଅ’ ଓ ‘ଗାଦି ଛାଡ଼’ ଆଦି ସ୍ଲୋଗାନ୍‌ ‌ଦେଇଥିଲେ। ଏନ୍‌ଡିଏ ସାଂସଦମାନେ ମଧ୍ୟ ବିରୋଧୀ ସାଂସଦଙ୍କ ବିରୋଧରେ ସ୍ଲୋଗାନ୍‌ ଦେଇଥିଲେ। ବିରୋଧୀ ଦଳ ନେତାମାନେ ପ୍ରଶ୍ନପତ୍ର ପ୍ରଘଟ ଘଟଣାକୁ ନେଇ ରାଜନୀତି କରୁଛନ୍ତି ଏବଂ ଗୃହରେ ଆଲୋଚନାକୁ ଏଡ଼ାଉଛନ୍ତି ବୋଲି ଏନ୍‌ଡିଏ ସାଂସଦ ଅଭିଯୋଗ କରିଛନ୍ତି। ସେମାନେ ‘ସରମ କରୋ’ ଓ ‘ବନ୍ଦେ ମାତରମ’ ସ୍ଲୋଗାନ ଦେଇଥିଲେ। ଏହି ଆନ୍ଦୋଳନ ସମୟରେ ପ୍ରିୟଙ୍କା ଗାନ୍ଧୀ ଜଣେ ଏନ୍‌ଡିଏ ସାଂସଦଙ୍କର ଅତି ନିକଟକୁ ଚାଲି ଆସିଥିବାବେଳେ ସୁରକ୍ଷାକର୍ମୀ ତାଙ୍କୁ ଅଟକାଇଥିଲେ। ସିପିଏମ୍‌ ସାଂସଦ ଜନ ବ୍ରିଟାସ ବିଜେପି ନେତା ଅରୁଣ ସିଂହଙ୍କ ହାତରୁ ପୋଷ୍ଟର ଛଡ଼ାଇ ନେବାବେଳେ ଉତ୍ତେଜନା ବଢ଼ି ଯାଇଥିଲା। ସ୍ଥିତିକୁ ନିୟନ୍ତ୍ରଣ କରି ସଂସଦର ସୁରକ୍ଷା କର୍ମୀ ଉଭୟ ପକ୍ଷର ସାଂସଦଙ୍କୁ ଅଲଗା ରଖିଥିଲେ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button