Peace Talk: ହର୍ମୁଜ ପ୍ରଣାଳୀକୁ ନେଇ ଅଚଳାବସ୍ଥା ଜାରି; ଇସଲାମାବାଦରେ ଆଲୋଚନା ଆଜି

ଆମେରିକା ଓ ଇରାନ ମଧ୍ୟରେ ଯୁଦ୍ଧବିରତି ଓ ହର୍ମୁଜ ପ୍ରସଙ୍ଗରେ ଆସନ୍ତାକାଲି(ଶନିବାର) ଇସଲାମାବାଦରେ ସିଧାସଳଖ ଆଲୋଚନା ହେବ। ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ଆମେରିକୀୟ ପ୍ରତିନିଧି ଦଳର ନେତୃତ୍ବ ନେବେ। ଭାନ୍ସଙ୍କ ଇସଲାମାବାଦ ଆଗମନ ମଧ୍ୟପ୍ରାଚ୍ୟ କୂଟନୀତିରେ…
ଇସଲାମାବାଦ/ୱାସିଂଟନ: ଆମେରିକା ଓ ଇରାନ ମଧ୍ୟରେ ଯୁଦ୍ଧବିରତି ଓ ହର୍ମୁଜ ପ୍ରସଙ୍ଗରେ ଆଜି (ଶନିବାର) ଇସଲାମାବାଦରେ ସିଧାସଳଖ ଆଲୋଚନା ହେବ। ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ଆମେରିକୀୟ ପ୍ରତିନିଧି ଦଳର ନେତୃତ୍ବ ନେବେ। ଭାନ୍ସଙ୍କ ଇସଲାମାବାଦ ଆଗମନ ମଧ୍ୟପ୍ରାଚ୍ୟ କୂଟନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ତଥା ସଂକଟଜନକ ଅଧ୍ୟାୟର ସୂଚନା ଦେଇଛି। ଆଲୋଚନାର ନେତୃତ୍ୱ ନେବାକୁ ଉପରାଷ୍ଟ୍ରପତିଙ୍କୁ ପଠାଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ସଂକେତ ଦେଇଛନ୍ତି। ସେ ପାରମ୍ପରିକ ଗୁପ୍ତ କୂଟନୀତି ବଦଳରେ ଉଚ୍ଚସ୍ତରୀୟ ଖୋଲା କୂଟନୈତିକ ପ୍ରକ୍ରିୟା ଉପରେ ଗୁରୁତ୍ୱ ଦେଉଛନ୍ତି। ତଥାପି, ଏହି ମିସନର ସଫଳତା ଅନିଶ୍ଚିତତା ମଧ୍ୟରେ ରହିଛି।
ଗୋଟିଏ ପଟେ ୱାସିଂଟନ କେବଳ ସୀମିତ ଅଞ୍ଚଳରେ ଅସ୍ତ୍ରବିରତି ଚାହୁଥିବା ବେଳେ, ଅନ୍ୟପଟେ ତେହେରାନ ଏହି ଶାନ୍ତି ପ୍ରକ୍ରିୟାକୁ ଲେବାନନରେ ଚାଲିଥିବା ଇସ୍ରାଏଲର ସାମରିକ ଅଭିଯାନ ସହ ଯୋଡ଼ିବାକୁ ଜିଦ୍ ଧରିଛି। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ଆଲୋଚନା ପାଇଁ ସ୍ଥାନ ନିରୂପଣ ହୋଇଥିଲେ ମଧ୍ୟ ଆଞ୍ଚଳିକ ସ୍ଥିରତା ପାଇଁ ରାସ୍ତା ଏବେ ବି ବିବାଦୀୟ ହୋଇ ରହିଛି। ହର୍ମୁଜ ପ୍ରଣାଳୀକୁ ନେଇ ଏବେ ସମଗ୍ର ବିଶ୍ବ ଚିନ୍ତାରେ ଅଛି। ଏହି ଗୁରୁତ୍ୱପୂର୍ଣ୍ଣ ଜଳପଥକୁ ସମ୍ପୂର୍ଣ୍ଣ ରୂପେ ଖୋଲିବା ପାଇଁ ୱାସିଂଟନ ଇରାନ ଉପରେ ଚାପ ପକାଉଥିଲେ ମଧ୍ୟ ଏହା କାର୍ଯ୍ୟକାରୀ ହେଉନାହିଁ। ରାଷ୍ଟ୍ରପତି ଟ୍ରମ୍ପ ଇରାନର ବର୍ତ୍ତମାନର ସହଯୋଗକୁ ଅତି ସୀମିତ ବୋଲି କହିଛନ୍ତି ଏବଂ ଜଳପଥରେ ଅବାଧ ଯାତାୟାତ ପାଇଁ କୌଣସି ବୁଝାମଣା କରାଯିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ଆଜି ଉପରାଷ୍ଟ୍ରପତି ଭାନ୍ସ ଇରାନକୁ ଚେତାବନୀ ଦେଇ କହିଛନ୍ତି ଯେ ଆମେ ଖୋଲାମନରେ ଆଲୋଚନା ପାଇଁ ପ୍ରସ୍ତୁତ ଅଛୁ, ଆମ ସହିତ ଖେଳିଲେ ଏହାର ପରିଣାମ ବହୁତ ଖରାପ ହେବ।
ଦଶନ୍ଧି ମଧ୍ୟରେ ଉତ୍ତେଜନା ହ୍ରାସ ପାଇଁ ଆମେରିକା ଏବଂ ଇରାନ ମଧ୍ୟରେ ଏହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ ବୋଲି କୁହାଯାଉଛି। ଭାନ୍ସଙ୍କ ସହିତ ଏକ ଶକ୍ତିଶାଳୀ ପ୍ରତିନିଧି ଦଳ ଆମେରିକା ଗସ୍ତ କରିଛନ୍ତି, ଯେଉଁଥିରେ ସ୍ୱତନ୍ତ୍ର ପ୍ରତିନିଧି ଷ୍ଟିଭ୍ ୱିଟକଫ୍ ଏବଂ ବରିଷ୍ଠ ପରାମର୍ଶଦାତା ଜାରେଡ୍ କୁଶନର୍ ସାମିଲ ଅଛନ୍ତି। ପାକ୍ ମଧ୍ୟସ୍ଥତାରେ ଆଲୋଚନାକୁ ସଫଳ କରିବା ପାଇଁ ନିକଟରେ ଏକ ଅସ୍ଥାୟୀ ଅସ୍ତ୍ରବିରତି ଘୋଷଣା କରାଯାଇଥିଲେ ମଧ୍ୟ ଏହାକୁ ନେଇ ତୀବ୍ର ମତଭେଦ ଦେଖାଦେଇଛି। ତେହେରାନର ଯୁକ୍ତି ହେଉଛି ଯେ ଅସ୍ତ୍ରବିରତି ମଧ୍ୟରେ ଲେବାନନରେ ହେଜବୁଲ୍ଲା ବିରୋଧରେ ଇସ୍ରାଏଲ କରୁଥିବା ସମସ୍ତ ସାମରିକ କାର୍ଯ୍ୟାନୁଷ୍ଠାନ ସମ୍ପୂର୍ଣ୍ଣ ବନ୍ଦ ହେବା ଆବଶ୍ୟକ।
ତେବେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଏବଂ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏହି ସର୍ତ୍ତକୁ ସିଧାସଳଖ ପ୍ରତ୍ୟାଖ୍ୟାନ କରିଛନ୍ତି। ସେମାନଙ୍କ ଅନୁଯାୟୀ, ଇସଲାମାବାଦ ଆଲୋଚନା କେବଳ ଆମେରିକା-ଇରାନ ମଧ୍ୟରେ ଥିବା ତିକ୍ତତା ଏବଂ ସାମୁଦ୍ରିକ ସୁରକ୍ଷା ଉପରେ କେନ୍ଦ୍ରିତ, ଲେବାନନ ଅଭିଯାନ ସହ ଏହାର କୌଣସି ସମ୍ପର୍କ ନାହିଁ। ସେପଟେ ଲେବାନନରେ ମାନବୀୟ ସ୍ଥିତି ଅତି ଶୋଚନୀୟ ହୋଇପଡ଼ିଛି। ଇସ୍ରାଏଲର ଆକ୍ରମଣରେ ଦୁଇ ଦିନରେ ୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଲକ୍ଷାଧିକ ଲୋକ ବିସ୍ଥାପିତ ହୋଇଛନ୍ତି। ଭାରତ ଏହି ବହୁସଂଖ୍ୟକ ସାଧାରଣ ନାଗରିକଙ୍କ ମୃତ୍ୟୁକୁ ନେଇ ଚିନ୍ତା ପ୍ରକଟ କରିଛି ଏବଂ ଶାନ୍ତି ରକ୍ଷା କାର୍ଯ୍ୟ ଜାରି ରଖିଛି।
ସୌଜନ୍ୟ Prameya News7




