Site icon Swayam News

Personal digital data: ବ୍ୟକ୍ତିଗତ ଡିଜିଟାଲ୍‌ ଡାଟା ସୁରକ୍ଷା ବାଟ ଖୋଲିଲା: ବିଜ୍ଞପ୍ତି ଜାରି କଲା କେନ୍ଦ୍ର

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟ ପକ୍ଷରୁ ଡିଜିଟାଲ ଡାଟା ପ୍ରୋଟେକ୍ସନ ଆଇନର ବିଜ୍ଞପ୍ତି ଜାରି କରିଛନ୍ତି। ଏହାଫଳରେ ଭାରତରେ ଲୋକଙ୍କ ବ୍ୟକ୍ତିଗତ ଡିଜିଟାଲ ଡାଟା ସୁରକ୍ଷିତ ରହିବାର ପଥ ପ୍ରଶସ୍ତ ହୋଇଛି। ଡାଟା ସୁରକ୍ଷାକୁ ସୁପ୍ରିମକୋର୍ଟ ନାଗରିକଙ୍କ ମୌଳିକ ଅଧିକାର ବୋଲି ରାୟ ଦେବାର ପ୍ରାୟ ୮ ବର୍ଷ ପରେ ସରକାର ଏ ନେଇ ପଦକ୍ଷେପ ନେଇଛନ୍ତି। ୨୦୧୭ ମସିହାରେ ସୁପ୍ରିମକୋର୍ଟ ଏ ନେଇ ରାୟ ଦେଇଥିଲେ। ସେହିଭଳି ଡିଜିଟାଲ ପର୍ସନାଲ ଡାଟା ପ୍ରୋଟେକ୍ସନ ଆଇନକୁ ରାଷ୍ଟ୍ରପତି ସ୍ବୀକୃତି ଦେବାର ୨ ବର୍ଷ ପରେ ଏହାକୁ କାର୍ଯ୍ୟକାରୀ କରାଯାଇଛି। ୨୦୨୩ ଅଗଷ୍ଟରେ ରାଷ୍ଟ୍ରପତି ଏହି ବିଲ୍‌ରେ ମୋହର ମାରିଥିଲେ।

ଏହି ଆଇନ କାର୍ଯ୍ୟକାରୀ ହୋଇଥିଲେ ମଧ୍ୟ କେବଳ ଏହାର କିଛି ଅଂଶ ବଳବତ୍ତର ରହିବ। ଆଇନର ଅଧିକାଂଶ ଏବଂ ଗୁରୁତ୍ବପୂର୍ଣ୍ଣ ଅଂଶ କାର୍ଯ୍ୟକାରୀ ହେବାକୁ ୧୨ରୁ ୧୮ ମାସ ସମୟ ଲାଗିବ। ବ୍ୟକ୍ତିଗତ ଡାଟାକୁ ବ୍ୟବହାର କରିବା ପୂର୍ବରୁ ସଂପୃକ୍ତ ବ୍ୟକ୍ତିଙ୍କ ସମ୍ମତି ଆଣିବା, ଡାଟା ଚୋରି ବା ଲିକ୍‌ ଆଦି ସଂପର୍କରେ ସଂପୃକ୍ତ ବ୍ୟକ୍ତିଙ୍କୁ ଜଣାଇବା ଆଦି କାର୍ଯ୍ୟକୁ କାର୍ଯ୍ୟକ୍ଷମ କରିବା ଲାଗି ୧୮ ମାସ ସମୟ ଲାଗିବ। ତେବେ ଯାହା କାର୍ଯ୍ୟକାରୀ କରାଯାଇଛି ତାହା ହେଲା ଡାଟା ପ୍ରୋଟେକ୍ସନ ବୋର୍ଡ ଅଫ୍‌ ଇଣ୍ଡିଆର ସ୍ଥାପନ। ଆଇନ ଅନୁଯାୟୀ ସଂସ୍ଥାଗୁଡ଼ିକ କାର୍ଯ୍ୟ କରିବାକୁ ନିଶ୍ଚିତ କରିବା ପାଇଁ ଏହି ବୋର୍ଡ କାର୍ଯ୍ୟ କରିବ। ସରକାରଙ୍କ ପକ୍ଷରୁ ପୃଥକ୍‌ ଭାବେ ଜାରି ହୋଇଥିବା ବିଜ୍ଞପ୍ତିରେ ଡାଟା ସୁରକ୍ଷା ବୋର୍ଡରେ ୪ ଜଣ ସଦସ୍ୟ ରହିବେ ଏବଂ ମୁଖ୍ୟ କାର୍ଯ୍ୟାଳୟ ନୂଆଦିଲ୍ଲୀରେ ରହିବ ବୋଲି କୁହାଯାଇଛି।

ଡିଜିଟାଲ ପର୍ସନାଲ ଡାଟା ସୁରକ୍ଷା ନିୟମ, ୨୦୨୫ରେ ବ୍ୟବସ୍ଥା ରହିଛି ଯେ ଡାଟା ପରିଚାଳନା କରୁଥିବା ସଂସ୍ଥା‌ଗୁଡ଼ିକ କି ପ୍ରକାର ତଥ୍ୟକୁ ବ୍ୟବହାର କରିପାରିବେ ତାହା କେନ୍ଦ୍ର ସରକାରଙ୍କ ଦ୍ବାରା ଗଠିତ କମିଟି ନିର୍ଦ୍ଧାରଣ କରିବ। ମେଟା, ଗୁଗଲ, ଆପଲ୍‌, ମାଇକ୍ରୋସଫ୍ଟ ଏବଂ ଆମାଜନ୍‌ ଭଳି ସଂସ୍ଥାଗୁଡ଼ିକ ଏହାର ପରିସର ଭିତରକୁ ଆସିବେ ବୋଲି ଅନୁମାନ କରାଯାଉଛି। ନିୟମ ଅନୁଯାୟୀ ପିଲାଙ୍କ ବ୍ୟକ୍ତିଗତ ଡାଟା ବ୍ୟବହାର କରିବା ପୂର୍ବରୁ ପ୍ରଯୁକ୍ତି କମ୍ପାନିଗୁଡ଼ିକୁ ପିତାମାତାଙ୍କର ସମ୍ମତି ନେବାକୁ ପଡ଼ିବ। ସରକାର ନିଜ ଆଡ଼ୁ ଏ ନେଇ ବ୍ୟବସ୍ଥା ବିକାଶ କରିବା ପରିବର୍ତ୍ତେ କମ୍ପାନିଗୁଡ଼ିକୁ ଏଥିପାଇଁ ବ୍ୟବସ୍ଥା ବିକାଶ କରିବାକୁ ଛାଡ଼ି ଦେଇଛନ୍ତି।
ଡାଟା ଲିକ୍ ବା ଚୋରି ଭଳି ଘଟଣା ଘଟିଲେ ଡାଟା ପରିଚାଳନା କରୁଥିବା ସଂସ୍ଥାଗୁଡ଼ିକ ତୁରନ୍ତ ଏ ନେଇ ସଂପୃକ୍ତ ବ୍ୟକ୍ତିଙ୍କୁ ସୂଚନା ଦେବେ। ତଥ୍ୟ ଲିକ୍‌ର ପ୍ରକାର, ସ୍ଥାନ ଏବଂ ସମୟ ଆଦି ସଂପର୍କରେ ସୂଚନା ଦେବେ। ଡାଟା ଚୋରି ବା ଲିକ୍‌ ଭଳି ଘଟଣାକୁ ରୋକିବା ପାଇଁ ଯଥେଷ୍ଟ ସୁରକ୍ଷାମୂଳକ ପଦ‌କ୍ଷେପ ନେଇ ନଥିଲେ ସଂସ୍ଥାଙ୍କୁ ୨୫୦ କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିପାରେ।

 

ସୌଜନ୍ୟ – ସମ୍ବାଦ

Exit mobile version