Plane Crash: ଆମେରିକାରେ ହେଲିକପ୍ଟର ଦୁର୍ଘଟଣା; ଭାରତୀୟ ବଂଶୋଦ୍ଭବ ପାଇଲଟଙ୍କ ମୃତ୍ୟୁ

ଜର୍ଜିଆ: ବିବାହର କିଛି ଘଣ୍ଟା ମଧ୍ୟରେ ହେଲିକପ୍ଟର ଦୁର୍ଘଟଣାରେ ଜର୍ଜିଆଠାରେ ଜଣେ ଭାରତୀୟ ବଂଶୋଦ୍ଭବ ପାଇଲଟ ଓ ଅନ୍ୟ ଜଣଙ୍କର ମୃତ୍ୟୁ ହୋଇଛି। ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟର ମଧ୍ୟରେ ପାଇଲଟଙ୍କ ନବବିବାହିତ ପତ୍ନୀ ବସିଥିଲେ ମଧ୍ୟ ଅଳ୍ପକେ ବର୍ତ୍ତି ଯାଇଛନ୍ତି ବୋଲି ଆମେରିକା ଗଣମାଧ୍ୟମ ସୂଚନା ଦେଇଛି। ଶୁକ୍ରବାର ଦିନ ଡସନ୍ କାଉଣ୍ଟିର ଡସନଭିଲ୍ ନିକଟରେ ଏକ ପାଞ୍ଚ ସିଟ୍ ବିଶିଷ୍ଟ ରବିନସନ୍ ହେଲିକପ୍ଟର ଦୁର୍ଘଟଣାରେ ଆଟଲାଣ୍ଟା ନିବାସୀ ଓ ଡେଲ୍ଟା ଏୟାର ଲାଇନ୍ସର ପାଇଲଟ୍ ଡେଭ୍ ଫିଜି (୨୫)ଙ୍କ ମୃତ୍ୟୁ ଘଟିଛି।
ଡେଭ୍ଙ୍କ ପତ୍ନୀ ଜେସ୍ନି ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହୋଇଥିବାବେଳେ ତାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଜେସ୍ନି ପାଖାପାଖି ୬ ଘଣ୍ଟା ଧରି ହେଲିକପ୍ଟର ଭଗ୍ନାବଶେଷ ତଳେ ଫଶି ରହିଥିଲେ। ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହେଲିକପ୍ଟର ପାଇଲଟ୍ଙ୍କର ମଧ୍ୟ ମୃତ୍ୟୁ ହୋଇଛି। ମେ ୨୯ ତାରିଖରେ ଡସନଭିଲ୍ ନିକଟରେ ଏକ ବିବାହ ଓ ଇଭେଣ୍ଟ ସ୍ଥଳ ‘ଦି ରେଭର’ଠାରେ ୪୦୦ ଅତିଥିଙ୍କ ଉପସ୍ଥିତିରେ ଡେଭ୍-ଜେସ୍ନିଙ୍କ ବିବାହ ଅନୁଷ୍ଠିତ ହୋଇଥିଲା। ଡେଭ୍ଙ୍କ ପିତାମାତା ଜର୍ଜ ଓ ଫିବା ଫିଜି କିଛି ବର୍ଷ ପୂର୍ବେ କେରଳ ଏର୍ଣ୍ଣାକୁଲମର ମୁଭାଟୁପୁଝାରୁ ଯାଇ ଆମେରିକାରେ ରହୁଥିଲେ ବୋଲି ‘ମନୋରମା ଅନଲାଇନ୍’ ପ୍ରକାଶ କରିଛି। ଜେସ୍ନିଙ୍କ ପରିବାରର ମୂଳ ମଧ୍ୟ କେରଳର ଆଲାପୁଝା ଜିଲ୍ଲାରେ ବୋଲି ଜଣାପଡ଼ିଛି।
ବିବାହ ପରେ ନବବିବାହିତ ଦମ୍ପତି ହେଲିକପ୍ଟର ଯୋଗେ ଆଟଲାଣ୍ଟା ଯାଉଥିଲେ, କିନ୍ତୁ ଖରାପ ପାଗ ଯୋଗୁ ଉଡ଼ାଣ ଭରିବା ପରେ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ସମ୍ପର୍କରେ ଜୁନ୍ ୧ ତାରିଖରେ ଜଣାପଡ଼ିଛି। ଆମେରିକାର ଜାତୀୟ ପରିବହନ ସୁରକ୍ଷା ବୋର୍ଡ ଏହି ଦୁର୍ଘଟଣାର ତଦନ୍ତ କରୁଛି। ଆସନ୍ତା ୩୦ ଦିନ ମଧ୍ୟରେ ପ୍ରାରମ୍ଭିକ ତଦନ୍ତ ରିପୋର୍ଟ ଆସିପାରେ। ଖରାପ ପାଗ ଯୋଗୁ ଡେଭ୍ ହେଲିକପ୍ଟର ପାଇଲଟଙ୍କୁ ଉଡ଼ାଣ ପାଇଁ ମନା କରିଥିଲେ ବୋଲି ତାଙ୍କ ପରିବାର ପକ୍ଷରୁ କୁହାଯାଇଛି। ପାଇଲଟଙ୍କ ଭରସା ପରେ ଡେଭ୍ ପତ୍ନୀଙ୍କ ସହିତ ଯାତ୍ରା କରିଥିଲେ। ତେବେ ଡାସନଭିଲ୍ ନିକଟ ଜଙ୍ଗଲ ଅଞ୍ଚଳରେ ବିମାନ ଦୁର୍ଘଟଣା ଘଟିଥିଲା। ଘଞ୍ଚ ଜଙ୍ଗଲ ଯୋଗୁଁ ଉଦ୍ଧାରକାରୀଙ୍କୁ ଦୁର୍ଘଟଣାସ୍ଥଳରେ ପହଞ୍ଚିବାକୁ ଅନେକ ସମୟ ଲାଗିଥିଲା। ପରିବାର ଅନୁଯାୟୀ, ଜେସ୍ନି ପ୍ରାୟ ଛଅ ଘଣ୍ଟା ଧରି ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରର ଭଗ୍ନାବଶେଷ ତଳେ ଫସି ରହିଥିଲେ।
ସୌଜନ୍ୟ ସମ୍ବାଦ




