ମଣିଷ ଶରୀରରେ ପ୍ଲାଷ୍ଟିକ୍ ସର୍ଜରି ବିଜ୍ଞାନର ଅନ୍ୟ ଏକ ଚମତ୍କାରିତା। କୌଣସି ଦୁର୍ଘଟଣାର ସମ୍ମୁଖୀନ ହୋଇ ଶରୀରର ଚର୍ମ ଗୁରୁତର ଭାବେ କ୍ଷତିଗ୍ରସ୍ତ ହେଲେ ତାକୁ ପ୍ଲାଷ୍ଟିକ୍ ସର୍ଜରି ମାଧ୍ୟମରେ ଚିକିତ୍ସା କରାଯାଇଥାଏ। ତେବେ ମଣିଷର ଶରୀରର ବାହ୍ୟ ସୌନ୍ଦର୍ଯ୍ୟ ବୃଦ୍ଧି ଉଦ୍ଦେଶ୍ୟରେ ମଧ୍ୟ ଅନେକ ପ୍ଲାଷ୍ଟିକ୍ ସର୍ଜରି କରିଥାନ୍ତି, ଯାହାକି ଏକ ପ୍ରସାଧନ ଉପକରଣ ଭଳି ବ୍ୟବହୃତ ହୋଇଥାଏ।
ସାଧାରଣରେ ଏକ ଧାରଣା ରହିଛି ଯେ ପ୍ଲାଷ୍ଟିକ୍ ସର୍ଜରି ଉପରେ କେବଳ ମହିଳାମାନେ ଅଧିକ ନିର୍ଭର କରନ୍ତି। ତେବେ ଗତ ଗୋଟିଏ ଦଶନ୍ଧି ମଧ୍ୟରେ ପ୍ଲାଷ୍ଟିକ୍ ସର୍ଜରି ପାଇଁ ପୁରୁଷମାନଙ୍କ ଆଗ୍ରହ ମଧ୍ୟ ବୃଦ୍ଧି ପାଇଛି। ଏହି ସମୟରେ ପୁରୁଷଙ୍କ ପ୍ଲାଷ୍ଟିକ୍ ସର୍ଜରିର ପରିମାଣ ପ୍ରାୟ ଦ୍ୱିଗୁଣିତ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି। ପ୍ୟାରିସ୍ରେ କସମେଟିକ୍ ମେଡିସିନ୍ ଇଣ୍ଡଷ୍ଟ୍ରିର ବାର୍ଷିକ ବୈଠକରେ ଏ ସଂପର୍କିତ ତଥ୍ୟ ପ୍ରକାଶ କରାଯାଇଛି। ଏହି ତଥ୍ୟ ଅନୁଯାୟୀ, ୨୦୧୮ରୁ ୨୦୨୪ ମଧ୍ୟରେ ବିଶ୍ବରେ ପୁରୁଷଙ୍କ ଉପରେ କରାଯାଇଥିବା ପ୍ଲାଷ୍ଟିକ୍ ସର୍ଜରି ସଂଖ୍ୟା ୯୫ ପ୍ରତିଶତ ବୃଦ୍ଧି ପାଇଛି। ‘ଇଣ୍ଟର୍ନେସ୍ନାଲ ସୋସାଇଟି ଅଫ୍ ଆଷ୍ଟେଟିକ୍ ପ୍ଲାଷ୍ଟିକ୍ ସର୍ଜରି’ର ଏକ ତଥ୍ୟ ଅନୁଯାୟୀ, ଇଞ୍ଜେକ୍ସନ୍, ଲେଜର୍ ଥେରାପି ଆଦି ଅଣ ସର୍ଜିକାଲ୍ କସମେଟିକ୍ ଚିକିତ୍ସା ଏବେ ପୂର୍ବ ଦଶନ୍ଧି ତୁଳନାରେ ୧୧୬ ପ୍ରତିଶତ ବୃଦ୍ଧି ପାଇଛି। ମହିଳାମାନଙ୍କ ପାଇଁ କସମେଟିକ୍ ସର୍ଜରି ୫୯ ପ୍ରତିଶତ ବୃଦ୍ଧି ପାଇଛି। ଏବେକାର ଯୁବକମାନେ ପୂର୍ବ ପିଢ଼ି ତୁଳନାରେ ଅଧିକ କସମେଟିକ୍ ବ୍ୟବହାର କରୁଛନ୍ତି। ସେହି ଅନୁଯାୟୀ ପ୍ଲାଷ୍ଟିକ୍ ସର୍ଜରି ଉପରେ ମଧ୍ୟ ପୁରୁଷମାନଙ୍କ ନିର୍ଭରଶୀଳତା ବୃଦ୍ଧି ପାଉଛି।
ମଧ୍ୟ ପ୍ରାଚ୍ୟ ଏବଂ ଲାଟିନ୍ ଆମେରିକାରେ ପରିବର୍ତ୍ତନର ଏହି ଧାରା ବିଶେଷଭାବେ ପ୍ରତିଫଳିତ ହୋଇଛି। ସେଠାରେ ପୁରୁଷଙ୍କ ଦ୍ୱାରା ପ୍ଲାଷ୍ଟିକ୍ ସର୍ଜରିର ଗ୍ରହଣୀୟତା ଅଧିକ। ତେବେ ପ୍ଲାଷ୍ଟିକ୍ ସର୍ଜରି ପାଇଁ ଯୁକ୍ତରାଷ୍ଟ୍ର ଆମେରିକାରେ ସର୍ବାଧିକ ଚାହିଦା ରହିଛି। ୨୦୨୫ ମସିହାରେ ବିଶ୍ବ ବଜାରରେ ପ୍ଲାଷ୍ଟିକ୍ ସର୍ଜରି ଚାହିଦାର ଏହା ଥିଲା ପ୍ରାୟ ୪୫ ପ୍ରତିଶତ। ଅନ୍ୟପକ୍ଷରେ ଏସିଆ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ପ୍ଲାଷ୍ଟିକ୍ ସର୍ଜରି ପାଇଁ ପୁରୁଷଙ୍କ ଆଗ୍ରହରେ ମଧ୍ୟ ବୃଦ୍ଧି ପରିଲକ୍ଷିତ ହୋଇଛି।
ସୌଜନ୍ୟ ସମ୍ବାଦ
