ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ସଂସଦ ଭବନ ସେଣ୍ଟ୍ରାଲ ହଲରେ ରାଜ୍ୟଗୋଷ୍ଠୀ ଦେଶମାନଙ୍କ ବାଚସ୍ପତି ଓ ଅଧ୍ୟକ୍ଷ ସମ୍ମିଳନୀକୁ ଉଦଘାଟନ କରିଛନ୍ତି। ମୋଦୀ ସମ୍ମିଳନୀକୁ ସମ୍ବୋଧିତ କରି କହିଥିଲେ, ଭାରତ ଗଣତନ୍ତ୍ରର ଜନନୀ ଭାବେ ପରିଚିତ। ଗଣତାନ୍ତ୍ରିକ ଅନୁଷ୍ଠାନ ଓ ପ୍ରକ୍ରିୟା ସ୍ଥିରତା, ଗତି ତଥା ପରିଣାମ ପ୍ରଦାନ କରିପାରିବ। ୨୦୨୪ ସାଧାରଣ ନିର୍ବାଚନ କଥା ଉଠାଇ ପ୍ରଧାନମନ୍ତ୍ରୀ କହିଥିଲେ, ମାନବ ଇତିହାସରେ ଏହା ସବୁଠୁ ବଡ଼ ଗଣତାନ୍ତ୍ରିକ ପ୍ରକ୍ରିୟା ରହିଥିଲା। ଏହି ନିର୍ବାଚନରେ ୭୦୦ରୁ ଅଧିକ ରାଜନୈତିକ ଦଳମାନଙ୍କର ୮୦୦୦ ରୁ ଅଧିକ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରିଥିଲେ। ନିର୍ବାଚନରେ ବହୁ ସଂଖ୍ୟାରେ ମହିଳା ଭୋଟର ଅଂଶଗ୍ରହଣ କରିଥିଲେ।
ଭାରତରେ ମହିଳା କେବଳ ନିର୍ବାଚନ ପ୍ରକ୍ରିୟାରେ ସାମିଲ ହେଉଛନ୍ତି, ତା’ ନୁହେଁ, ନେତୃତ୍ବ ମଧ୍ୟ ନେଉଛନ୍ତି। ଭାରତରେ ଏବେ ରାଷ୍ଟ୍ରପତି ଜଣେ ମହିଳା। ଦିଲ୍ଲୀରେ ଜଣେ ମହିଳା ମୁଖ୍ୟମନ୍ତ୍ରୀ ଅଛନ୍ତି। ସାରା ଦେଶରେ ୧.୫ ନିୟୁତ ନିର୍ବାଚିତ ମହିଳା ପ୍ରତିନିଧି ଅଛନ୍ତି। ଆମ ଦେଶର ବିବିଧତା ମଧ୍ୟରେ ଶହ ଶହ ଭାଷା ରହିଛି। ଭାରତରେ ଗଣତନ୍ତ୍ରର ମୂଳଦୁଆ ଦୃଢ଼ ଥିବାରୁ ଏପରି ବିବିଧତା ପାଳନ କରାଯାଇପାରୁଛି। ଭାରତ ଏବେ ବିଶ୍ବର ଦ୍ରୁତ ବିକାଶଶୀଳ ଅର୍ଥନୀତି ବୋଲି ମୋଦୀ କହିଛନ୍ତି।
ୟୁପିଆଇ ବିଶ୍ବର ତୃତୀୟ ବୃହତ ଡିଜିଟାଲ ପେମେଣ୍ଟ ସିଷ୍ଟମ ହୋଇଥିବାବେଳେ ଭାରତ ବିଶ୍ବର ବୃହତ ଟିକା ଉତ୍ପାଦନକାରୀ ଦେଶ ବୋଲି ପ୍ରଧାନମନ୍ତ୍ରୀ ସମ୍ମିଳନୀରେ ଉଦ୍ବୋଧନ ଦେଇ କହିଥିଲେ। ଭାରତ ଦ୍ବିତୀୟ ବୃହତ ଷ୍ଟିଲ ଉତ୍ପାଦନକାରୀ ଦେଶ, ତୃତୀୟ ବୃହତ ଷ୍ଟାର୍ଟଅପ୍ ଇକୋସିଷ୍ଟମ ମଧ୍ୟ। ଭାରତରେ ବିଶ୍ବର ତୃତୀୟ ବୃହତ ଏଭିଏସନିି ମାର୍କେଟ ହୋଇଥିବାବେଳେ ସରକାରଙ୍କ ଜନକଲ୍ୟାଣ ଯୋଜନା ଯୋଗୁ ୨୫ କୋଟି ଭାରତୀୟ ଦାରିଦ୍ର୍ୟରୁ ମୁକ୍ତି ପାଇଛନ୍ତି ବୋଲି ମଧ୍ୟ ପ୍ରଧାନମନ୍ତ୍ରୀ କହିଛନ୍ତି।
ଏହାପୂର୍ବରୁ ମୋଦୀ ସଂସଦୀୟ ଗଣତନ୍ତ୍ରରେ ବାଚସ୍ପତିମାନଙ୍କ ଭୂମିକା ତଥା ସେଣ୍ଟ୍ରାଲ ହଲ୍ର ଇତିହାସ ସମ୍ପର୍କରେ କହିଥିଲେ। ଆପଣ ଯେଉଁଠି ବସିଛନ୍ତି ସେହି ସ୍ଥାନ ଖୁବ୍ ଗୁରୁତ୍ବପୂର୍ଣ୍ଣ। ପରାଧିନର ଶେଷ ବର୍ଷରେ ଏହି ସେଣ୍ଟ୍ରାଲ ହଲରେ ଭାରତର ସମ୍ବିଧାନର ଡ୍ରାଫ୍ଟିଂ ପାଇଁ ବୈଠକ ଅନୁଷ୍ଠିତ ହେଉଥିଲା। ୭୫ ବର୍ଷ ପର୍ଯ୍ୟନ୍ତ ଏହି କୋଠା ଭାରତର ସଂସଦ ଭାବେ କାର୍ଯ୍ୟ କରିଛି ବୋଲି କହିଥିଲେ।
ଲୋକସଭା ବାଚସ୍ପତି ଓମ୍ ବିର୍ଲା ବାଚସ୍ପତି ସମ୍ମିଳନୀରେ ଅଧ୍ୟକ୍ଷତା କରିଥିବାବେଳେ ଏଥିରେ ୪୨ ରାଜ୍ୟଗୋଷ୍ଠୀ ଦେଶମାନଙ୍କରୁ ୬୧ ଜଣ ପ୍ରତିନିଧି ଅଂଶଗ୍ରହଣ କରିଥିଲେ। ଏହାସହିତ ୪ଟି ଅର୍ଦ୍ଧ ସ୍ବାୟତ୍ତ ସଂସଦର ପ୍ରତିନିଧି ମଧ୍ୟ ସାମିଲ ହୋଇଥିଲେ।
ସୌଜନ୍ୟ ସମ୍ବାଦ
