PM Modi: ଶସ୍ତା ଔଷଧ, ପ୍ରତିଭା ପାଇଁ ବିଶ୍ୱର ଭରସା ଭାରତ : ପ୍ରଧାନମନ୍ତ୍ରୀ

- ବଦଳରେ ଶ୍ରେୟ, ରୟାଲ୍ଟି ନେଇନାହିଁ ଦେଶ
- ଭାରତ ଅନ୍ୟମାନଙ୍କ ପାଇଁ ସୁଯୋଗ ସୃଷ୍ଟି କରେ
- ଦେଶଗୁଡ଼ିକୁ ଯୋଡ଼ିବା ଉପରେ ବିଶ୍ୱାସ ରଖେ
ନୂଆଦିଲ୍ଲୀ,୧୪ \୧୦: ଶସ୍ତା ଔଷଧଠାରୁ ଆରମ୍ଭ କରି ପ୍ରତିଭା ପର୍ଯ୍ୟନ୍ତ, ବିଶ୍ୱର ଭରସା ଭାରତ ଉପରେ ରହିଆସିଛି । ଭାରତ ବିଶ୍ୱକୁ ଅନେକ କିଛି ଦେଇଛି କିନ୍ତୁ କେବେ ବି ଏହାର ଶ୍ରେୟ କିମ୍ବା ରୟାଲ୍ଟି ମାଗିନାହିଁ । ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା କହିଛନ୍ତି । ଦିଲ୍ଲୀରେ ପ୍ରଥମ ଥର ହେଉଥିବା ବ୍ଲୁମ୍ବର୍ଗ ନ୍ୟୁ ଇକୋନୋମି ଫୋରମ ମୋଦି ୨୫ ମିନିଟର ଉଦବୋଧନ ଦେଇଥିଲେ । ଏ ଅବସରରେ ସେ କହିଲେ, ଅନ୍ୟଙ୍କୁ ସକ୍ଷମ ବନାଇବା ପାଇଁ ଭାରତ ଏହାର ବଳ ଲଗାଇଥାଏ । ସେ ଡିଜିଟାଲ ପ୍ରଯୁକ୍ତି, ଟୀକା ଯୋଗାଣ, ଆର୍ଥିକ ସୁଧାର ଏବଂ ବିଶ୍ୱ ଆହ୍ୱାନଗୁଡ଼ିକର ମୁକାବିଲାରେ ଭାରତର ଭୂମିକା ଉପରେ ବିବରଣୀ ପ୍ରଦାନ କରିଥିଲେ । ୩ ଦିନର ଏହି କାର୍ଯ୍ୟକ୍ରମ ଅକ୍ଟୋବର ୧୫ରେ ଶେଷ ହେବ ।
ଏ ବର୍ଷ ଫୋରମର ଶୀର୍ଷକ ରହିଛି ‘ପରିବର୍ତ୍ତିତ ବିଶ୍ୱରେ ସାମର୍ଥ୍ୟର ନୂଆ ଉତ୍ସ ଧାର୍ଯ୍ୟ କରିବା’ । ମୋଦି କହିଲେ, ସରକାରଙ୍କ ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ ସେମାନଙ୍କ ଗୋଡ଼ରେ ଛିଡ଼ା କରିବା । ଗତ ଏକ ଦଶକରେ ଭାରତ ୨୫ କୋଟି ଲୋକଙ୍କୁ ଦାରିଦ୍ର୍ୟରୁ ବାହାରକୁ ଆଣିଛି । ଷ୍ଟାର୍ଟଅପର ସୁଯୋଗ ଛୋଟ ସହର ପର୍ଯ୍ୟନ୍ତ ପହଞ୍ଚିଛି । ପ୍ରଧାନମନ୍ତ୍ରୀ କହିଲେ, ଜ୍ଞାନ, ଧନ ଓ ଶକ୍ତିର ମହତ୍ୱ ହେଉଛି, ଏହାର ବ୍ୟବହାର କେଉଁ ଉଦ୍ଦେଶ୍ୟରେ କରାଯାଉଛି । ଭାରତ ଅନ୍ୟମାନଙ୍କ ପାଇଁ ସୁଯୋଗ ସୃଷ୍ଟି କରିବା ଏବଂ ଦେଶଗୁଡ଼ିକୁ ଯୋଡ଼ିବା ଉପରେ ବିଶ୍ୱାସ ରଖେ । ସେ ଆହୁରି କହିଲେ, କୋଭିଡ୍ ଅବସରରେ ଭାରତ ୧୦୦ରୁ ଊଦ୍ଧ୍ୱର୍ ଦେଶ ପର୍ଯ୍ୟନ୍ତ ଟୀକା ପହଞ୍ଚାଇଛି । ଭାରତ ନିଜର କ୍ଷମତାର ବ୍ୟବହାର ସମଗ୍ର ମାନବତାର ଫାଇଦା ପାଇଁ କରିବାକୁ ଚାହେଁ । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସହ ସପ୍ଲାଏ ଚେନ୍, ଉର୍ଜା, ଖଣିଜ ଏବଂ ପ୍ରଯୁକ୍ତି କ୍ଷେତ୍ରରେ ବିଶ୍ୱକୁ ଭରସାଯୋଗ୍ୟ ସହଯୋଗିତାର ଆବଶ୍ୟକତା ରହିଛି । ସରକାରଙ୍କ ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ ସଶକ୍ତ କରିବା ।
ସୌଜନ୍ୟ ପ୍ରମେୟ




