POCSO Case: ବୈବାହିକ ବିବାଦରେ ପୋକ୍ସୋ ମାମଲା: ଅଭିଯୁକ୍ତ ଅଭିଭାବକଙ୍କୁ ତୁରନ୍ତ ଗିରଫ ନ କରିବାକୁ ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ
ଅଦାଲତ କହିଛନ୍ତି, ଯଦି ଦୁଇଟି ସର୍ତ୍ତ ପୂରଣ ହୁଏ, ତେବେ ତୁରନ୍ତ ଗିରଫ କରାଯିବ ନାହିଁ । ପ୍ରଥମତଃ, ପୋକ୍ସୋ ଆଇନ ଅଧୀନରେ ଅଭିଯୋଗ ଶିଶୁ ସହିତ ଏକାଠି ରହୁଥିବା ଅଭିଭାବକ କିମ୍ବା ପରିବାର ସଦସ୍ୟଙ୍କ ବିରୋଧରେ ହୋଇଥିବା ଦରକାର ।

ନୂଆଦିଲ୍ଲୀ : ବୈବାହିକ ବିବାଦ ମଧ୍ୟରେ ଘରେ ରହୁଥିବା ଶିଶୁଙ୍କ ବିରୋଧରେ ଯୌନ ଅପରାଧ ଅଭିଯୋଗ ଆସିଲେ ଅଭିଯୁକ୍ତ ଅଭିଭାବକ କିମ୍ବା ପରିବାର ସଦସ୍ୟଙ୍କୁ ତୁରନ୍ତ ଗିରଫ ନ କରିବାକୁ ସୁପ୍ରିମ୍କୋର୍ଟ ଗୁରୁବାର ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ୍ ଜେବି ପାର୍ଦିୱାଲା ଓ ଜଷ୍ଟିସ୍ କେଭି ବିଶ୍ୱନାଥନଙ୍କ ଖଣ୍ଡପୀଠ କହିଛନ୍ତି, ଏଭଳି ମାମଲାରେ ପୁଲିସ ତରବରିଆ ଭାବେ ଗିରଫ ପଦକ୍ଷେପ ନ ନେଇ ସମସ୍ତ ପରିସ୍ଥିତି ଓ ପ୍ରମାଣର ବିଚାର କରିବା ଉଚିତ ।
ଅଦାଲତ କହିଛନ୍ତି, ଯଦି ଦୁଇଟି ସର୍ତ୍ତ ପୂରଣ ହୁଏ, ତେବେ ତୁରନ୍ତ ଗିରଫ କରାଯିବ ନାହିଁ । ପ୍ରଥମତଃ, ପୋକ୍ସୋ ଆଇନ ଅଧୀନରେ ଅଭିଯୋଗ ଶିଶୁ ସହିତ ଏକାଠି ରହୁଥିବା ଅଭିଭାବକ କିମ୍ବା ପରିବାର ସଦସ୍ୟଙ୍କ ବିରୋଧରେ ହୋଇଥିବା ଦରକାର । ଦ୍ୱିତୀୟତଃ, ଶିଶୁର ମାତା-ପିତାଙ୍କ ମଧ୍ୟରେ ବୈବାହିକ ବିବାଦ ଥିବା ଦରକାର । ବିବାଦ ଅଦାଲତରେ ବିଚାରାଧୀନ ହୋଇଥିବା ଆବଶ୍ୟକ ନୁହେଁ । ଅଭିଯୋଗ ମିଳିବା ପରେ ପୁଲିସ ଅଧିକାରୀ ପ୍ରଥମେ ଏଭଳି ବୈବାହିକ ବିବାଦ ରହିଛି କି ନାହିଁ, ତାହା ଯାଞ୍ଚ କରିବେ ।.
ଏହି ମାମଲାରେ ତଦନ୍ତକାରୀ ଅଧିକାରୀ କିମ୍ବା ସ୍ପେସାଲ୍ ଜୁଭେନାଇଲ୍ ପୁଲିସ ୟୁନିଟ୍ ଶିଶୁ ଓ କିଶୋର ମାନସିକ ଚିକିତ୍ସା କିମ୍ବା କ୍ଲିନିକାଲ୍ ସାଇକୋଲୋଜି ବିଶେଷଜ୍ଞଙ୍କ ସହାୟତା ନେବେ । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ସହ ପରାମର୍ଶ କରି ଏହା କରାଯିବ । ଏହି ୟୁନିଟ୍ ନଥିଲେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସହାୟତା ନିଆଯିବ । ଶିଶୁର ମୂଲ୍ୟାଙ୍କନ ଉଭୟ ପକ୍ଷ ଓ ତଦନ୍ତକାରୀଙ୍କ ପ୍ରଭାବରୁ ମୁକ୍ତ ଭାବେ କରାଯିବ । ବିଶେଷଜ୍ଞଙ୍କ ମତ ସହ ଅନ୍ୟ ପ୍ରମାଣ ଓ ପରିସ୍ଥିତିକୁ ବିଚାର କରିବା ପରେ ଅଭିଯୁକ୍ତଙ୍କୁ ଗିରଫ କରିବାର ଆବଶ୍ୟକତା ଅଛି କି ନାହିଁ, ତଦନ୍ତକାରୀ ନିଷ୍ପତ୍ତି ନେବେ । ତେବେ ଅଭିଯୋଗ ସମ୍ପର୍କିତ ପ୍ରମାଣ ଯଦି ସ୍ପଷ୍ଟ ଓ ଦୃଢ଼ ଥାଏ, ତେବେ ବିଶେଷଜ୍ଞଙ୍କ ମୂଲ୍ୟାଙ୍କନ ବିନା ମଧ୍ୟ ଗିରଫ କରାଯାଇପାରିବ । କିନ୍ତୁ ଏପରି ନିଷ୍ପତ୍ତିର କାରଣ ଲିଖିତ ଭାବେ ଦର୍ଶାଇବାକୁ ପଡ଼ିବ ।
ସୌଜନ୍ୟ ସମ୍ବାଦ




