ଚନ୍ଦ୍ରଶେଖରପୁର: ସାଲିଆସାହି ଉପରେ ସ୍ବତନ୍ତ୍ର ନଜର ରଖିବ ପୁଲିସ। ଦିନରାତି ଏହି ଅଞ୍ଚଳ ଭିତରେ ପୁଲିସ ପହରା ମାରିବ। ଅପରାଧ ଘଟିବା କ୍ଷଣି ପୁଲିସ ପହଞ୍ଚିବ। ଅପରାଧୀକୁ ଧରିବ। ସମସ୍ୟାର ସମାଧାନ କରିବ, ନ ହେଲେ କାର୍ଯ୍ୟାନୁଷ୍ଠାନ ନେବ। ସାଲିଆସାହିରେ ବଢ଼ୁଥିବା ଅପରାଧକୁ ନଜରରେ ରଖି କମିସନରେଟ୍ ପୁଲିସ ଏଭଳି ଯୋଜନା ପ୍ରସ୍ତୁତ କରିଛି। ବସ୍ତି ଉପରେ ୨୪ ଘଣ୍ଟିଆ ନଜର ରଖିବାକୁ ସାଲିଆସାହିରେ ହିଁ ନିର୍ମାଣ ଚାଲିଛି ମୈତ୍ରୀବିହାର ଥାନାର ନୂଆ ବିଲଡିଂ। ଚନ୍ଦ୍ରଶେଖରପୁର, ସହିଦନଗର ଓ ନୂଆପଲ୍ଲୀ ଥାନା ଉପରୁ ଚାପ କମାଇବାକୁ ୨୦୨୩ରେ ପ୍ରତିଷ୍ଠା ହୋଇଥିବା ମୈତ୍ରୀବିହାର ଥାନା ଏବେ ନିଜସ୍ବ କୋଠାକୁ ଯିବାକୁ ପ୍ରସ୍ତୁତ ହେଉଛି। ଯେଉଁଠାରେ ସମସ୍ତ ପ୍ରକାର ଅତ୍ୟାଧୁନିକ ଜ୍ଞାନକୌଶଳ ଉପଲବ୍ଧ ରହିବ। ବିଲଡିଂ ନିର୍ମାଣ କାମ ଶେଷ ସହ ରଙ୍ଗ ଲଗାଇବା କାର୍ଯ୍ୟ ସାରି ଉଦ୍ଘାଟନ ଅପେକ୍ଷାରେ ରହିଛି।

