ଜଳନ୍ଧର: ପଞ୍ଜାବର ଜଳନ୍ଧର ସହରରେ ଥିବା ପ୍ରତିଷ୍ଠିତ ସନ୍ଥ ଭାଗ୍ସିଂହ ବିଶ୍ୱବିଦ୍ୟାଳୟ ବାହାରେ ଜଣେ ଯୁବକଙ୍କୁ ଗୁଳି କରି ହତ୍ୟା କରାଯିବା ପରେ ପୁଲିସ ଏନକାଉଣ୍ଟରରେ ଦୁଇଜଣ ଅଭିଯୁକ୍ତ ଆହତ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ରବିବାର ପୁଲିସ ସୂଚନା ଦେଇଛି। ଜଳନ୍ଧର ଏସ୍ଏସ୍ପି ହରବିନ୍ଦର ସିଂହ ଭିର୍କ ସୂଚନା ଦେଇଛନ୍ତି ଯେ, ବିଶ୍ବବିଦ୍ୟାଳୟ କ୍ୟାମ୍ପସ ବାହାରେ କେସର୍ ଧାମି ନାମକ ଜଣେ ଯୁବକଙ୍କୁ ଦୁର୍ବୃତ୍ତ ଗୁଳି କରି ହତ୍ୟା କରିଥିଲେ।
ଅପରାଧ ଘଟାଇବା ପରେ ଦୁଇ ବନ୍ଧୁକଧାରୀ ସାମାଜିକ ଗଣମାଧ୍ୟମରେ ଏ ସମ୍ପର୍କରେ ପୋଷ୍ଟ ମଧ୍ୟ କରିଥିଲେ। ଏହା ଖୁବ୍ ସମ୍ବେଦନଶୀଳ ପ୍ରସଙ୍ଗ। ଆଦମପୁର ପୁଲିସ ଷ୍ଟେସନରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା। ଯୁବକଙ୍କ ହତ୍ୟାରେ ସାମିଲ ଦୁଇ ଅଭିଯୁକ୍ତ ଏନକାଉଣ୍ଟରରେ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଏସ୍ଏସ୍ପି ସୂଚନା ଦେଇଛନ୍ତି।
ଅନ୍ୟ ଏକ ଘଟଣାରେ ଶନିବାର ମୋହାଲିର ରାଣା ବାଲାଚୌରିଆ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ କରନ ପାଠକର ପୁଲିସ ଏନକାଉଣ୍ଟରରେ ମୃତ୍ୟୁ ହୋଇଛି। ଏସ୍ଏସ୍ପି ହରମନଦୀପ କହିଛନ୍ତି, ଅଭିଯୁକ୍ତ ସିଆଇଏ ଖାରାର୍ ଜେଲରେ ଥିବାବେଳେ ଛାତିରେ ଯନ୍ତ୍ରଣା ଅଭିଯୋଗ କରିଥିଲା। ସକାଳ ସମୟରେ ପୁଲିସ ଅଭିଯୁକ୍ତକୁ ହସ୍ପିଟାଲ ନେଇ ଯାଉଥିବାବେଳେ ଘନକୁହୁଡ଼ି ଯୋଗୁ ପୁଲିସ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।
ଏହାର ଫାଇଦା ନେଇ ଅଭିଯୁକ୍ତ ପୁଲିସ ଉପରେ ଆକ୍ରମଣ କରି ଖସି ଯାଇଥିଲା। ନିକଟସ୍ଥ ଏକ ଜଙ୍ଗଲରେ ସେ ଲୁଚି ରହିଥିବାବେଳେ ପୁଲିସ ତାକୁ ଧରିବାକୁ ଯିବା ସମୟରେ ସେ ପୁଲିସ ଉପରକୁ ଗୁଳି ଚାଳନା କରିଥିଲା। ଉଭୟ ପକ୍ଷର ଗୁଳି ବିନିମୟ ପରେ ପୁଲିସ ଗୁଳିରେ ପାଠକର ମୃତ୍ୟୁ ହୋଇଥିଲା। ଏନକାଉଣ୍ଟରରେ ଜଣେ ପୁଲିସ କର୍ମୀ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ବୋଲି ଏସ୍ଏସ୍ପି ହରମନଦୀପ କହିଛନ୍ତି।
ସୌଜନ୍ୟ ସମ୍ବାଦ
