ବାଲିଅନ୍ତା: ଗ୍ୟାସ୍ ସିଲିଣ୍ଡର କଳାବଜାର ହେଉଥିବାରୁ ଲୋକେ ଚୁଲି ଉପରେ ଅଧିକ ଭରସା କରିବା ଦେଖାଗଲାଣି। ଘଷି ଓ ଜାଳେଣୀ କାଠର ଚାହିଦା ବଢ଼ିବଢ଼ି ଚାଲିଛି। ପୂର୍ବଭଳି ଘରମାନଙ୍କରେ ସ୍ଥାୟୀ କାଠ ଚୁଲି ରହିବା ବ୍ୟବସ୍ଥା ନଥିବାରୁ ଲୋକେ ଉଠା ଚୁଲି କିଣିବାକୁ ଧାଉଁଛନ୍ତି। କିନ୍ତୁ ଏତିକିବେଳେ କୁମ୍ଭକାରକୁ ମିଳୁନି ମାଟି। ତେଣୁ ଭଲ ଦି’ପଇସା ରୋଜଗାର କରିବାକୁ ଆଶା ବାନ୍ଧିଥିବା କୁମ୍ଭକାରମାନେ ମାଟି ଅଭାବରୁ ହତାଶ ହୋଇପଡ଼ିଛନ୍ତି। ମାଟି ଚୋରା ଚାଲାଣ ଧରପଗଡ଼ ଚାଲିଥିବାରୁ କୁମ୍ଭକାରମାନଙ୍କୁ ମାଟି ମିଳୁନି।
ଚୁଲି କିଣିବା ପାଇଁ ଏବେ କୁମ୍ଭକାରଙ୍କ ଘରେ ଲୋକଙ୍କ ଭିଡ଼ ଜମୁଛି। ତେଣୁ ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି କୁମ୍ଭକାରମାନେ ମାଟିଚୁଲି ତିଆରିରେ ଲାଗିପଡ଼ିଛନ୍ତି। ଯାହାକୁ ମାଟି ମିଳିଯାଉଛି, ତାକୁ ଚୁଲି ତିଆରି କରିବାକୁ ଫୁରୁସତ ମିଳୁନାହିଁ। କିନ୍ତୁ ବହୁ କୁମ୍ଭକାର ମାଟି ଅଭାବ ପାଇଁ ହାତବାନ୍ଧି ବସିଛନ୍ତି। କିଛି ମାସ ହେଲା ମାଟି ଚୋରା ଚାଲାଣ ରୋକିବାକୁ ଧରପଗଡ଼ ଲାଗିରହିଛି। ଜେସିବି, ଟ୍ରକ୍, ଟ୍ରାକ୍ଟର ଓ ହାଇୱା ଆଦି ଗାଡ଼ିକୁ ଖଣି ବିଭାଗ ଓ ପୁଲିସ ଗୋଡ଼ାଇ ଗୋଡ଼ାଇ ଧରୁଛି। ତେଣୁ ଲୁଚାଛପାରେ ଗୋଟିଏ ହାଇୱା ଟ୍ରିପ୍କୁ ୧୨ହଜାର ଟଙ୍କା ପଡ଼ୁଛି। ତଥାପି ମାଟି ପହଞ୍ଚି ପାରୁନି। ତେଣୁ ରାଜଧାନୀ ଉପକଣ୍ଠ ବାଳକାଟି ମୁଦୁଲିସାହି, ଝିଣ୍ଟି ମୁଦୁଲିସାହି, ବ୍ରାହ୍ମଣସୁଆଁଲୋ, ଦଣ୍ଡିଲୋ ଆଦି ଗ୍ରାମର ଶତାଧିକ କୁମ୍ଭକାର ପରିବାର ହାତବାନ୍ଧି ବସିଛନ୍ତି। ବାଳକାଟି ମୁଦୁଲିସାହିର ସସ୍ମିତା ମୁଦୁଲିଙ୍କ କହିବାନୁସାରେ ମାଟି କିଣା ମୂଲ୍ୟ ବଢ଼ିଥିବାରୁ ଏଭଳି ସମସ୍ୟା ମୁଣ୍ଡ ଟେକିଛି। କୁମ୍ଭକାରଙ୍କ ପାଇଁ ମାଟି ସଂଗ୍ରହ କଟକଣାକୁ ପ୍ରଶାସନ କୋହଳ କଲେ, ସମସ୍ୟା ଦୂର ହୋଇପାରନ୍ତା।
ସୌଜନ୍ୟ ସମ୍ବାଦ
