ଗଜପତିଆଦିବାସୀ କନ୍ୟା ୧୭ ବର୍ଷ ବୟସ୍କା ଜ୍ୟୋସ୍ନା ଶବରଙ୍କୁ ପ୍ରଧାନମନ୍ତ୍ରୀ ଜାତୀୟ ଶିଶୁ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ଜ୍ୟୋସ୍ନା ଗଜପତି ଜିଲ୍ଲାର ପେକଟ ଗ୍ରାମ ଅନ୍ତର୍ଗତ ମାର୍ଲବା ପଞ୍ଚାୟତ, ରାୟଗଡ଼ ବ୍ଲକ୍‌ର କୀର୍ତ୍ତନ ଶବରଙ୍କ କନ୍ୟା।

ଆସନ୍ତା ୨୬ ତାରିଖରେ ନୂଆ ଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନରେ ଆୟୋଜିତ ଏକ ଭବ୍ୟ ସମାରୋହରେ ମହାମହିମ ରାଷ୍ଟ୍ରପତିଙ୍କ ଦ୍ୱାରା, ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ, ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବ।

ଚଳିତ ବର୍ଷ ସାରା ଦେଶରୁ କେବଳ ୨୧ ଜଣ ଶିଶୁ ଏହି ପୁରସ୍କାର ପାଇଁ ମନୋନୀତ ହୋଇଥିବା ବେଳେ, ଓଡ଼ିଶାରୁ ଜ୍ୟୋସ୍ନା ଏକମାତ୍ର ଓ ଗଜପତି ଜିଲ୍ଲାରୁ ପ୍ରଥମ ଶିଶୁ ଭାବେ ଏହି ସମ୍ମାନ ଲାଭ କରିଛନ୍ତି।

ୱେଟଲିଫ୍ଟିଂରେ ସଫଳତା

ଜ୍ୟୋସ୍ନା ଭାରୋତ୍ତୋଳନ (ୱେଟଲିଫ୍ଟିଂ) କ୍ଷେତ୍ରରେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ଗୌରବଜନକ ସଫଳତା ଅର୍ଜନ କରିଛନ୍ତି ।

୨୦୧୯ ମସିହାରୁ ସେ ନିୟମିତ ଭାବେ ଭୁବନେଶ୍ବର ସ୍ଥିତ କଳିଙ୍ଗ ଇନଷ୍ଟିଟ୍ଯୁଟ ଓଫ ସୋସିଏଲ ସାଇନ୍ସ ରେ ରହି ଶିକ୍ଷା ଲାଭ ସହ କଳିଙ୍ଗ ଷ୍ଟାଡିୟମରେ ଭାରୋତ୍ତୋଳନରେ ପ୍ରଶିକ୍ଷଣ ଗ୍ରହଣ କରିଆସୁଛନ୍ତି। ଜ୍ୟୋସ୍ନାଙ୍କ ଏହି ସଫଳତାରେ ସମଗ୍ର ଗଜପତି ଜିଲ୍ଲାବାସୀ ଏବଂ ଜିଲ୍ଲା ପ୍ରଶାସନ ଗର୍ବିତ ଅନୁଭବ କରୁଛନ୍ତି।