Prisoner given: କଏଦୀଙ୍କୁ ସୁନା ବଦଳରେ ଦେଲେ ୧.୯ଲକ୍ଷ

ଚୌଦ୍ବାର ସର୍କଲ ଜେଲ୍‌ରେ କଏଦୀ ଇତିଶ୍ରୀ ମହାନ୍ତିଙ୍କ ଅଳଙ୍କାର ଗାଏବ ଘଟଣା ବିବାଦୀୟ ମୋଡ଼ ନେଇଛି। ବରିଷ୍ଠ ଅଧୀକ୍ଷକ ସୁଜିତ କୁମାର ରାଉଳ ଆଜି ସୁନା ବଦଳରେ ୧ ଲକ୍ଷ ୯୦ ହଜାର...

କଟକ‌: ଚୌଦ୍ବାର ସର୍କଲ ଜେଲ୍‌ରେ କଏଦୀ ଇତିଶ୍ରୀ ମହାନ୍ତିଙ୍କ ଅଳଙ୍କାର ଗାଏବ ଘଟଣା ବିବାଦୀୟ ମୋଡ଼ ନେଇଛି। ବରିଷ୍ଠ ଅଧୀକ୍ଷକ ସୁଜିତ କୁମାର ରାଉଳ ଆଜି ସୁନା ବଦଳରେ ୧ ଲକ୍ଷ ୯୦ ହଜାର ଟଙ୍କା ଇତିଶ୍ରୀଙ୍କୁ ଫେରାଇଛନ୍ତି। ୨୦୨୦ ଓଡ଼ିଶା ମଡେଲ୍‌ ଜେଲ୍ ମାନୁଆଲ୍‌ର ରୁଲ୍‌- ୮୩୪(୧୨)ର ଏହା ସଂପୂର୍ଣ୍ଣ ବିରୁଦ୍ଧାଚରଣ ବୋଲି କୁହାଯାଉଛି। ନିୟମାନୁଯାୟୀ ଯଦି କୌଣସି କଏଦୀଙ୍କ ସାମଗ୍ରୀ ଜେଲ୍‌ରେ ହଜିଯିବ ତେବେ ଏହାର ତଦନ୍ତ ଜେଲ୍ ଅଧୀକ୍ଷକ କରି ଦୋଷୀ ଜେଲ୍ କର୍ମଚାରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ସହିତ ଉତ୍ତରଦାୟୀ କରାଇବେ। ସମ୍ପୃକ୍ତ ଦୋଷୀ କର୍ମଚାରୀଙ୍କ ଦରମାରୁ ଏହି ଟଙ୍କା ଭରଣା କରାଯିବ। କିନ୍ତୁ ଇତିଶ୍ରୀଙ୍କୁ ଚୌଦ୍ବାର ସର୍କଲ ଜେଲ୍‌ର ବରିଷ୍ଠ ଅଧୀକ୍ଷକ ଶ୍ରୀ ରାଉଳ ଟଙ୍କା ଦେବା ଘଟଣା ହଇଚଇ ସୃଷ୍ଟି କରିଛି। କେଉଁ ଉତ୍ସରୁ ଏତେ ପରିମାଣର ଟଙ୍କା ଆଣି ଶ୍ରୀ ରାଉଳ ଜଣେ ଅଭିଯୁକ୍ତଙ୍କୁ ଦେଲେ ତାହାକୁ ନେଇ ପ୍ରଶ୍ନ ଉଠିଛି।

କଟକ ଜିଲ୍ଲା ମାହାଙ୍ଗାର ଇତିଶ୍ରୀ ମହାନ୍ତି ଏକ ମାମଲାରେ ୨୦୨୫ ସେପ୍ଟେମ୍ବର ୨୨ରେ ଗିରଫ ହୋଇ ୨୩ ତାରିଖରେ ଚୌଦ୍ବାର ସର୍କଲ ଜେଲ୍‌କୁ ଯାଇଥିଲେ। ସେଦିନ ଅପରାହ୍‌ଣରେ ଚୌଦ୍ବାର ଜେଲ୍‌ରେ ପହଞ୍ଚିବା ପରେ ତାଙ୍କ କାନଫୁଲ, ମୁଦି, ନାକଫୁଲ ସୁରକ୍ଷାକର୍ମୀମାନେ କାଢ଼ିଥିଲେ। ଇତିଶ୍ରୀ ୩ ମାସ ଜେଲ୍‌ରେ ରହିବା ପରେ ଡିସେମ୍ବର ୨୩ ତାରିଖରେ ଜାମିନରେ ବାହାରିଥିଲେ। ବାହାରିବା ସମୟରେ ଗହଣା ମିଳୁ ନ ଥିବା କହି ତାଙ୍କୁ ପରେ ଆସିବାକୁ କୁହାଯାଇଥିଲା। ପରବର୍ତ୍ତୀ ସମୟରେ ସେ ପ୍ରାୟ ୫ ଥର ଜେଲ୍‌କୁ ଯାଇଥିଲେ ବି ତାଙ୍କୁ ଗହଣା ମିଳି ନ ଥିଲା। ଓଲଟା ସର୍କଲ ଜେଲ୍ ବରିଷ୍ଠ ଅଧୀକ୍ଷକ ଶ୍ରୀ ରାଉଳ ତାଙ୍କୁ ପୂର୍ବତନ ଜେଲର ସନ୍ତୋଷିନୀ ଦାସଙ୍କ ବିରୋଧରେ ସୁନା ଚୋରି ନେଇ ମିଥ୍ୟା ମାମଲା ଦେଲେ ଟଙ୍କା ଦେବାର ପ୍ରତିଶ୍ରୁତି ଦେଇଥିଲେ। ଏଥିରେ ଇତିଶ୍ରୀ ରାଜି ନ ହେବାରୁ ତାଙ୍କୁ ନିର୍ଯାତନା ଦିଆଯାଇଥିବା ନେଇ ଚୌଦ୍ବାର ଥାନାରେ ଇତିଶ୍ରୀ ଚଳିତ ମାସ ୮ ତାରିଖରେ ଅଭିଯୋଗ କରିଥିଲେ। ଏହି ଘଟଣାର ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା ବେଳେ ମଙ୍ଗଳବାର ଇତିଶ୍ରୀଙ୍କୁ ଜେଲ୍ ଅଧୀକ୍ଷକ ଶ୍ରୀ ରାଉଳ ଏହି ନଗଦ ଟଙ୍କା ଦେଇଥିବା ନେଇ ଇତିଶ୍ରୀ ଚୌଦ୍ବାର ଥାନା ଆଇଆଇସି ରଜନୀକାନ୍ତ ଦାସଙ୍କୁ ଲିଖିତ ଭାବେ ଜଣାଇଛନ୍ତି।

ଏହି ଟଙ୍କା କାରବାର ଅଧୀକ୍ଷକଙ୍କ କାର୍ଯ୍ୟାଳୟ ଭିତରେ ହୋଇଥିବାର ଫଟୋ ବି ଉଠାଯାଇଛି। ତେଣୁ ପୂର୍ବରୁ ଇତିଶ୍ରୀ ଜେଲ୍ ଅଧୀକ୍ଷକଙ୍କ ବିରୋଧରେ ଚୌଦ୍ବାର ଥାନାରେ ଯେଉଁ ଅଳଙ୍କାର ଗାଏବ ଅଭିଯୋଗ କରିଥିଲେ ଉକ୍ତ ମାମଲା ପ୍ରତ୍ୟାହାର କରି ନେଉଥିବା ସମ୍ପର୍କରେ ଆଇଆଇସିଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ପୂର୍ବରୁ ଜାନୁଆରି ୧୭ରେ ପୂର୍ବତନ ଜେଲର ସନ୍ତୋଷିନୀ ଦାଶ ଜେଲ୍‌ ଅଧୀକ୍ଷକ ଶ୍ରୀ ରାଉଳଙ୍କ ବିରୋଧରେ କାଗଜପତ୍ର ଜାଲିଆତି କରିବା ନେଇ ଅଭିଯୋଗ ଦେଇଥିଲେ। ଏହାକୁ ନେଇ ଶ୍ରୀ ରାଉଳ ଚୌଦ୍ବାର ଥାନାରେ ୧୮ ତାରିଖରେ ଯେଉଁ ପାଲଟା ଅଭିଯୋଗ ଆଣିଥିଲେ, ଏଥିରେ ଇତିଶ୍ରୀଙ୍କ ସୁନା ଅଳଙ୍କାର ଗାଏବ ପଛରେ ଶ୍ରୀମତି ଦାସଙ୍କୁ ଦାୟୀ କରିଥିଲେ।  ଏଭଳି ଘଟଣାରେ ଅଧୀକ୍ଷକଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ କାହିଁକି ଗ୍ରହଣ କରାଯିବ ନାହିଁ ବୋଲି ପ୍ରଶ୍ନ ଉଠିଛି।

ସୌଜନ୍ୟ ସମ୍ବାଦ

Exit mobile version