ନୂଆଦିଲ୍ଲୀ : ବରିଷ୍ଠ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଆଜି ଆସାମର ନଜିରାରେ ପ୍ରଥମ ନିର୍ବାଚନ ରାଲି କରି ବିଜେପି ବିରୋଧରେ ବର୍ଷିଛନ୍ତି। ପ୍ରଥମ ନିର୍ବାଚନ ରାଲିରେ ପ୍ରିୟଙ୍କା କହିଛନ୍ତି, ଚଳିତ ନିର୍ବାଚନୀ ଲଢ଼େଇ ସଂସ୍କୃତି ଏବଂ ସମସ୍ତଙ୍କର ମତବ୍ୟକ୍ତ ଅଧିକାର ସୁରକ୍ଷିତ ସୁନିଶ୍ଚିତ କରିବାପାଇଁ ଉଦ୍ଦିଷ୍ଟ। ଆସାମ ସରକାର ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବା ସହ ଅନେକ କଲ୍ୟାଣକାରୀ ଯୋଜନା ଆଣିଛନ୍ତି। କିନ୍ତୁ ସେଗୁଡ଼ିକ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରାଲି, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସମେତ ଅନ୍ୟାନ୍ୟ ବିଜେପି କାର୍ଯ୍ୟକ୍ରମରେ ଯୋଗଦେବାପାଇଁ।
ଯଦି ସେମାନେ ଏହି କାର୍ଯ୍ୟ କରିବେନି ତେବେ ସେମାନଙ୍କୁ କିଛି ସୁବିଧା ମିଳିବନି। ପ୍ରିୟଙ୍କା କହିଛନ୍ତି , ଆସାମର ମହିଳାମାନେ ଏବେ ବଡ଼ ସମସ୍ୟାରେ ପଡ଼ିଯାଇଛନ୍ତି। ସେମାନେ ଘର କାମ କରିବେ ନା’ ବାହାରକୁ ଜୀବିବାର୍ଜନ ପାଇଁ ଯିବେ ନା’ ବିଜେପି ସଭାରେ ଯୋଗ ଦେବେ କିଛି ଜାଣିପାରୁନାହାନ୍ତି। ପ୍ରିୟଙ୍କା କହିଛନ୍ତି, ଆପଣମାନଙ୍କ ଟଙ୍କା ଆପଣ ପାଉଛନ୍ତି। ଏଥିପାଇଁ ନିଜ ସ୍ବାଧୀନତା ହରାଇବା କିଛି ଦରକାର ନାହିଁ।
ବିଜେପି ଆସାମରେ କଂଗ୍ରେସ କର୍ମୀମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ଧମକ ଦେଉଛି ବୋଲି ପ୍ରିୟଙ୍କା ଅଭିଯୋଗ କରିଛନ୍ତି। ପ୍ରିୟଙ୍କା ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ତୀବ୍ର ଆକ୍ରମଣ କରି କହିଛନ୍ତି ଯେ ମୋଦୀ ହେଉଛନ୍ତି ଆମେରିକାର ଦାସ। ଗାନ୍ଧୀ ଦାବି କରିଛନ୍ତି ଯେ ଗୋଟିଏ ପରିବାର ଆସାମରେ ସବୁକିଛି ଲୁଟୁଛନ୍ତି। ଯେତେବେଳେ ସେମାନେ ଲୁଟୁନାହାନ୍ତି ସେତେବେଳେ ଜମି, ଖଣି ଏବଂ ଅନ୍ୟ ସମସ୍ତ ସମ୍ପତ୍ତି ବଡ଼ ଶିଳ୍ପପତିମାନଙ୍କୁ ହସ୍ତାନ୍ତର କରାଯାଉଛି। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମାଙ୍କୁୁ ସମାଲୋଚନା କରି ପ୍ରିୟଙ୍କା ଏହା କହିଛନ୍ତି।
ସୌଜନ୍ୟ ସମ୍ବାଦ
