Punjab Honor Killing: ପଞ୍ଜାବରେ “ଅନର୍ କିଲିଙ୍ଗ୍”, ପ୍ରେମ ବିବାହ କରିବାରୁ ୨୦ ବର୍ଷର ଝିଅକୁ ହତ୍ୟା !
ପ୍ରେମ ବିବାହ ପାଇଁ ଝିଅକୁ ମାରିଦେଲେ ପରିବାର । ପଞ୍ଜାବର ଫରିଦକୋଟ ଜିଲ୍ଲାର କୋଟକାପୁରାରେ ୨୦ ବର୍ଷୀୟା ମେହକପ୍ରୀତ କୌରଙ୍କ ହତ୍ୟା ଘଟଣା ସାମ୍ନାକୁ ଆସିଛି । ପରିବାର ଲୋକେ ତାଙ୍କୁ ରାସ୍ତାରେ ଗଳାକାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି...

ଫରିଦକୋଟ, ୨୨/୦୭ : କ୍ରୋଧ ହିଁ ପରମ ଶତ୍ରୁ । ପ୍ରେମ ବିବାହ କରିବାରୁ ଝିଅକୁ ବିଚ୍ ରାସ୍ତାରେ ହତ୍ୟା କଲେ ବାପା,ମା’ । ଏହି ଖବର ଚାଞ୍ଚଲ୍ୟ ସୃଷ୍ଟି କରିଛି । ପଞ୍ଜାବର ଫରିଦକୋଟରେ ନିଜ ଗ୍ରାମର ଯୁବକଙ୍କୁ ପ୍ରେମ ବିବାହ କରିବାରୁ ଜଣେ ୨୦ ବର୍ଷୀୟା ଯୁବତୀଙ୍କୁ ହତ୍ୟା କରାଯାଇଛି । ଯୁବତୀଙ୍କ ପରିବାର ଲୋକ ହିଁ ତାଙ୍କୁ ଧାରୁଆ ଅସ୍ତ୍ରରେ କାଟି ଦେଇଥିଲେ । ଏହାପରେ ଛଟପଟ ହୋଇ ସେ ପ୍ରାଣ ହରାଇଥିଲେ । ପରିଜନ ଶବକୁ ନେଇ ବିଲରେ ଫିଙ୍ଗିଦେଇଥିଲେ । ମଙ୍ଗଳବାର ସକାଳେ ଯୁବତୀଙ୍କ ମୃତଦେହ ବିଲରେ ଲଗାଯାଇଥିବା କଣ୍ଟାବାଡ଼ ନିକଟରେ ପଡ଼ିଥିଲା । ଏହାକୁ ଦେଖି ଲୋକମାନେ ପୁଲିସକୁ ଖବର ଦେଇଥିଲେ ।
ପୁଲିସ ପହଞ୍ଚି କୋଟକପୁରା ନିକଟସ୍ଥ ଅମୃତସର-ବଠିଣ୍ଡା ଜାତୀୟ ରାଜପଥ କଡ଼ ଚାଷଜମିରୁ ମୃତଦେହ ଉଦ୍ଧାର କରିଥିଲା ।ଏହାପରେ ପୁଲିସ ‘ଅନର କିଲିଙ୍ଗ୍’ ମାମଲାରେ ଯୁବତୀଙ୍କ ପରିଜନଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ତେବେ ଏଯାବତ୍ କାହାକୁ ଗିରଫ କରାଯାଇ ନାହିଁ । ମୃତ ଯୁବତୀଙ୍କ ନାମ ମହକପ୍ରୀତ କୌର ।
ପ୍ରାରମ୍ଭିକ ତଥ୍ୟ ଅନୁସାରେ, ମହକପ୍ରୀତ ପ୍ରାୟ ଅଢ଼େଇ ମାସ ପୂର୍ବେ ଗ୍ରାମର ଜଗଦୀପ ସିଂହଙ୍କୁ ପ୍ରେମ ବିବାହ କରିଥିଲେ । ଝିଅର ଏହି ବିବାହକୁ ପିତାମାତା ସ୍ୱୀକାର କରି ନ ଥିଲେ । ପରିବାର ଲୋକଙ୍କ ପ୍ରବଳ ବିରୋଧ ଯୋଗୁ ସେ ଜଗଦୀପଙ୍କ ସହ ଗାଁ ଛାଡ଼ି ବଠିଣ୍ଡା ପଳାଇଥିଲେ । ସେହିଠାରେ ରହିବାକୁ ଲାଗିଥିଲେ । ସୋମବାର ମହକପ୍ରୀତଙ୍କ ପରିବାର ଲୋକ ଉଭୟଙ୍କୁ ଦେଖା କରିବା ବାହାନାରେ ଡକାଇଥିଲେ । ସେମାନେ ଆସି ନିଜ ଗାଁ ବୁର୍ଜ ହରିକାରେ ପହଞ୍ଚିବା ପରେ ସୁଯୋଗ ଦେଖି ପରିବାର ଲୋକ ମିଶି ମହକପ୍ରୀତଙ୍କୁ ହତ୍ୟା କରିଥିଲେ । ଯୁବକ ଜଣକ ଘଟଣାସ୍ଥଳରୁ ପଳେଇ ଯିବାରେ ସଫଳ ହୋଇଥିଲେ ।
ସୌଜନ୍ୟ ପ୍ରମେୟ




