Rajan: ଯୁଦ୍ଧ ଚାଲିଲେ ତେଲ ୨୦୦ ଡଲାର ହେବ: ରାଜନ

ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ଚିନ୍ତା ପ୍ରକଟ କରିଛନ୍ତି। ତାହା ବିଶ୍ବ ଅର୍ଥନୀତିକୁ ଗୁରୁତର ପ୍ରଭାବିତ କରିବ ଏବଂ ତେଲ ଓ ଗ୍ୟାସ୍‌ ପାଇଁ ଅନ୍ୟ ଉପରେ ନିର୍ଭରଶୀଳ ଥିବା ଭାରତ ଭଳି ଦେଶଗୁଡ଼ିକର ଦୁର୍ବଳତାକୁ ପଦାରେ ପକାଇଦେବ ବୋଲି ‘ଇଣ୍ଡିଆ ଟୁଡେ’ ସହ ଆଲୋଚନା ବେଳେ ସେ କହିଛନ୍ତି।

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ଚିନ୍ତା ପ୍ରକଟ କରିଛନ୍ତି। ତାହା ବିଶ୍ବ ଅର୍ଥନୀତିକୁ ଗୁରୁତର ପ୍ରଭାବିତ କରିବ ଏବଂ ତେଲ ଓ ଗ୍ୟାସ୍‌ ପାଇଁ ଅନ୍ୟ ଉପରେ ନିର୍ଭରଶୀଳ ଥିବା ଭାରତ ଭଳି ଦେଶଗୁଡ଼ିକର ଦୁର୍ବଳତାକୁ ପଦାରେ ପକାଇଦେବ ବୋଲି ‘ଇଣ୍ଡିଆ ଟୁଡେ’ ସହ ଆଲୋଚନା ବେଳେ ସେ କହିଛନ୍ତି। ଯୁଦ୍ଧ ବନ୍ଦ ନ ହେଲେ ଅଶୋଧିତ ତେଲର ବ୍ୟାରେଲ ପିଛା ଦର ୧୫୦, ୨୦୦ ଡଲାର ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ସେ ଚେତାବନୀ ଦେଇଛନ୍ତି। ବର୍ତ୍ତମାନ ତେଲ ଦର ୧୦୦ ଡଲାର ପାଖାପାଖି ରହିଛି। ରାଜନ କହିଛନ୍ତି ଯେ ବର୍ତ୍ତମାନର ସବୁଠୁ ବଡ଼ ପ୍ରଶ୍ନ ହେଉଛି ଏହି ଯୁଦ୍ଧ କେତେ ଲମ୍ବା ଚାଲିବ। ବର୍ତ୍ତମାନ ଏହା ତୃତୀୟ ସପ୍ତାହରେ ପହଞ୍ଚିଛି। ତାହାର ପ୍ରଭାବରେ ସାରା ବିଶ୍ବରେ ତୈଳ ଉତ୍ପାଦନ ୨୦ ପ୍ରତିଶତ ହ୍ରାସ ପାଇଛି। ତେଲ ଆମଦାନି କରୁଥିବା ଦେଶଗୁଡ଼ିକ ସେହି ଧକ୍କାକୁ ନିଜ ଗଚ୍ଛିତ ଭଣ୍ଡାର ଜରିଆରେ ପୂରଣ କରୁଛନ୍ତି। ଯଦି ବିଶ୍ବର ୧୫-୨୦ ପ୍ରତିଶତ ଶକ୍ତି ଉତ୍ସ ବନ୍ଦ ହୋଇଯିବ ତେବେ ବଡ଼ ଅସୁବିଧା ହୋଇଯିବ ଓ ତେଲ ଦର ୨୦୦ ଡଲାର ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ ବୋଲି ସେ କହିଛନ୍ତି।

ହର୍ମୁଜ ପ୍ରଣାଳୀରେ ପରିବହନ ବାଧାପ୍ରାପ୍ତ ହେବା ଦ୍ବାରା ଭାରତ, ଜାପାନ, ଚୀନ ଓ ଦକ୍ଷିଣ କୋରିଆ ଭଳି ଏସିଆର ପ୍ରମୁଖ ଅର୍ଥନୀତିଗୁଡ଼ିକ ପ୍ରଭାବିତ ହୋଇଛନ୍ତି। ତେବେ ତାହାର ପ୍ରଭାବ କେବଳ ଏସିଆ ମଧ୍ୟରେ ସୀମିତ ରହିବ ନାହିଁ। ଏହି ସଙ୍କଟର ପ୍ରଭାବ ସାରା ବିଶ୍ବରେ, ବିଶେଷ କରି ଆମେରିକାରେ ଅନୁଭୂତ ହେବ ବୋଲି ରାଜନ ଚେତାଇ ଦେଇଛନ୍ତି। ଏଥି ସହିତ ସେ କହିଛନ୍ତି ଯେ ତେଲ ମହଙ୍ଗା ହେଲେ ସବୁ କିଛି ମହଙ୍ଗା ହେବ। ମହଙ୍ଗା ସ୍ଥିତିର ମୁକାବିଲା କରିବାକୁ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ସୁଧ ହାର ବଢ଼ାଇବେ। କିନ୍ତୁ ବର୍ତ୍ତମାନ ସୁଧ ବଢ଼ାଇବା ଭଳି କଠୋର ନିଷ୍ପତ୍ତି ନେବା ସ୍ଥିତି କୌଣସି ଦେଶରେ ନାହିଁ।ଭାରତ ସମ୍ପର୍କରେ ସେ କହିଛନ୍ତି ଯେ ଗ୍ରାହକଙ୍କ ସ୍ବାର୍ଥକୁ ସରକାର ଅଧିକ ଦିନ ସୁରକ୍ଷା ଦେଇପାରିବେ ନାହିଁ। ଯଦି ତେଲ ଓ ଗ୍ୟାସ୍‌ ଉପରେ ସବ୍‌ସିଡି ଜାରି ରହିବ ତାହା ସରକାରଙ୍କ ଆର୍ଥିକ ଗଣିତକୁ ବିଗାଡ଼ିବ। ବିତ୍ତୀୟ ନିଅଣ୍ଟକୁ ବଢ଼ାଇବ। ସମଗ୍ର ଅର୍ଥନୀତି ଚାପ ମଧ୍ୟକୁ ଚାଲିଆସିବା ଆଶଙ୍କା ଥିବା ରାଜନ କହିଛନ୍ତି। ତେଣୁ ଦରବୃଦ୍ଧିକୁ ଖାଉଟି, ଚାଷୀ ଓ ଉତ୍ପାଦନକାରୀମାନେ ସମସ୍ତେ ସହ୍ୟ କରିବା ଲାଗି ପ୍ରସ୍ତୁତ ରହିବାକୁ ସେ ପରାମର୍ଶ ଦେଇଛନ୍ତି।

 

 

 

 

ସୌଜନ୍ୟ ସମ୍ବାଦ

Exit mobile version