ଭୁବନେଶ୍ବର: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ବାରା ଦ୍ୱାରା ଆଜି ସଂସଦରେ ଉପସ୍ଥାପିତ ବିଜେଟ୍-୨୦୨୬ ଉପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ପ୍ରତିକ୍ରିୟା ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଟୁଇଟ୍ କରି ବିଜୁ ଜନତା ଦଳ (ବିଜେଡି) ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି, ଏହି ବଜେଟ୍ ନେଇ ମୁଁ ମୋର ନିରାଶା ପ୍ରକାଶ କରୁଛି। ବଜେଟରେ ଓଡ଼ିଶା ଏବଂ ରାଜ୍ୟର ଜନସାଧାରଣଙ୍କୁ କୌଣସି ଉଲ୍ଲେଖନୀୟ ଲାଭ ମିଳିନାହିଁ। ଓଡ଼ିଶାବାସୀଙ୍କ ଆଶା ଥିଲା ଯେ ଡବଲ ଇଞ୍ଜିନ୍ ସରକାର ଭିତ୍ତିଭୂମି, ନିଯୁକ୍ତି ସୃଷ୍ଟି ଏବଂ ରାଜ୍ୟ ପାଇଁ ଅତିରିକ୍ତ ଆବଣ୍ଟନ ଉପରେ ଧ୍ୟାନ ଦେଇ ଅଭିବୃଦ୍ଧି ଗତି ପ୍ରଦାନ କରିବ। କିନ୍ତୁ ଏଥିରୁ ରାଜ୍ୟବାସୀଙ୍କୁ ବହୁତ କମ୍ ମିଳିଛି।
ବିରୋଧୀ ଦଳ ନେତା ଶ୍ରୀ ପଟ୍ଟନାୟକ କହିଛନ୍ତି, ମୁଁ ଓଡ଼ିଶାରେ ସମର୍ପିତ ବିରଳ ମୃତ୍ତିକା କରିଡର (Rare Earth Corridor) ପ୍ରତିଷ୍ଠା ପ୍ରସ୍ତାବକୁ ସ୍ୱାଗତ କରୁଛି। ଓଡ଼ିଶା ଅନେକ ପ୍ରମୁଖ ଖଣିଜ ପଦାର୍ଥର ଅଗ୍ରଣୀ ଉତ୍ପାଦକ ଏବଂ ଏହାର ସମୃଦ୍ଧ ସମ୍ପଦ ମାଧ୍ୟମରେ ରାଷ୍ଟ୍ର ନିର୍ମାଣରେ ସର୍ବଦା ଯୋଗଦାନ ଦେବ। ଖଣିଜ ସମୃଦ୍ଧ ଅଞ୍ଚଳ ଏବଂ ଶିଳ୍ପ କେନ୍ଦ୍ରଗୁଡ଼ିକୁ ବନ୍ଦର ସହିତ ସଂଯୋଗ କରିବା ପାଇଁ ପୁଣି ଥରେ ଜାତୀୟ ଜଳପଥ ଘୋଷଣା କରାଯାଇଛି। କିନ୍ତୁ ଏହା ଏକ ଦଶନ୍ଧି ପୁରୁଣା ପ୍ରସ୍ତାବ ଯାହା ଭୂମିରେ କୌଣସି ଅଗ୍ରଗତି ନାହିଁ। ଓଡ଼ିଶାବାସୀଙ୍କ ପାଇଁ ଏହା ଏକ ବଡ଼ ନିରାଶା ଯେ ସହରଗୁଡ଼ିକ ମଧ୍ୟରେ ସାତଟି ହାଇ-ସ୍ପିଡ୍ ରେଳ କରିଡରକୁ ‘ବୃଦ୍ଧି ସଂଯୋଗକାରୀ’ ଭାବରେ ବିକଶିତ କରିବାର ଘୋଷଣାରେ ଓଡ଼ିଶା ସ୍ଥାନ ପାଇନାହିଁ। ଓଡ଼ିଶା ବିଜେପି ପୂର୍ବରୁ ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପକୁ ହଟାଇ ଦେଇଥିଲା ଏବଂ ଲୋକଙ୍କ ଆବଶ୍ୟକତାକୁ ଅଣଦେଖା କରିବା ପୂର୍ବପରି ଜାରି ରହିଛି।
ମୋତେ ଆଶ୍ଚର୍ଯ୍ୟ ଲାଗୁଛି ଯେ ପର୍ଯ୍ୟଟନ କେନ୍ଦ୍ରିକ ବୌଦ୍ଧ ସର୍କିଟ ବିକାଶ ଯୋଜନା ଆମର ହୀରା ତ୍ରିଭୁଜ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ବୌଦ୍ଧ ସ୍ଥଳୀ ଥିବା ସତ୍ତ୍ୱେ ଓଡ଼ିଶାକୁ ସମ୍ପୂର୍ଣ୍ଣ ଭାବରେ ଛାଡ଼ି ଦେଇଛି। କେନ୍ଦ୍ରୀୟ ବଜେଟର ସମ୍ପୂର୍ଣ୍ଣ ବିବରଣୀରୁ ଦେଖାଯାଉଛି ଯେ, ଓଡ଼ିଶା କେବଳ ଏହାର ପ୍ରାକୃତିକ ସମ୍ପଦ ଛଡ଼ାଇ ନେବା ପାଇଁ ବ୍ୟୟବରାଦ ପାଉଛି ଏବଂ ରାଜ୍ୟର ଲୋକଙ୍କ ସୁବିଧା ପାଇଁ ସମ୍ପଦ ବଣ୍ଟନ କ୍ଷେତ୍ରରେ ଏହାକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଉଛି। ରାଜ୍ୟରେ ବିଜେପି ସରକାର ଓଡ଼ିଶାର ଲୋକଙ୍କ ଦାୟିତ୍ୱ ନେବା ଏବଂ କେନ୍ଦ୍ରରୁ ସେମାନଙ୍କର ନ୍ୟାର୍ଯ୍ୟ ପ୍ରାପ୍ୟ ପାଇବା ନିଶ୍ଚିତ କରିବାର ସମୟ ଆସିଛି। ଓଡ଼ିଶା ଏବଂ ଏହାର ଲୋକମାନେ କେନ୍ଦ୍ରୀୟ ବଜେଟରୁ ଅଧିକରୁ ଅଧିକ ପାଇବାକୁ ଯୋଗ୍ୟ ଅଟନ୍ତି ବୋଲି ନବୀନ କହିଛନ୍ତି।
ସୌଜନ୍ୟ ସମ୍ବାଦ
