ରାଜ୍ୟ

Rayagada College Election: ନିର୍ବାଚନ ଫଳାଫଳ ପରେ ରାୟଗଡ଼ା ଅଶାନ୍ତ, ସ୍ୱୟଂଶାସିତ ମହାବିଦ୍ୟାଳୟ ଆଗରେ ବିଜୁ ଛାତ୍ର ଜନତା ଦଳର ରାତିତମାମ ଧାରଣା

ରାୟଗଡ଼ା, ୧୬।୧୦: ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ସହରରେ ଉତ୍ତେଜନା ଦେଖାଦେଇଛି । ଗଣତି ପ୍ରକ୍ରିୟାରେ ବ୍ୟାପକ ଚଞ୍ଚକତା କରାଯାଇଥିବା ଅଭିଯୋଗ ଆଣି ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଜୋରଦାର ବିରୋଧ ପ୍ରଦର୍ଶନ କରାଯାଇଛି । ଫଳାଫଳ ଘୋଷଣା ପରଠାରୁ ରାତି ତମାମ ମହାବିଦ୍ୟାଳୟର ମୁଖ୍ୟ ଫାଟକ ଏବଂ ଅଧ୍ୟାପକମାନଙ୍କ କୋଠରୀରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ଆନ୍ଦୋଳନକାରୀ ଛାତ୍ରଛାତ୍ରୀ । ସମ୍ପୂର୍ଣ୍ଣ ନିର୍ବାଚନ ମୈଦାନରେ ଏଭିବିପି ପ୍ରାର୍ଥୀ ସୁମିତ୍ ରତ୍ନାଲୁ ମାତ୍ର ୧୭ ଖଣ୍ଡ ଭୋଟ୍‌ର ବ୍ୟବଧାନରେ ବିଜୟୀ ହୋଇଥିବା ଘୋଷଣା କରାଯାଇଥିଲା । ଏହି ସାମାନ୍ୟ ବ୍ୟବଧାନର ବିଜୟ ପରେ ହିଁ ବିବାଦର ସୂତ୍ରପାତ ହୋଇଥିଲା । ବିଜୁ ଛାତ୍ର ଜନତା ଦଳର ପରାଜିତ ପ୍ରାର୍ଥୀ ଓ ସମର୍ଥକମାନେ ଦୃଢ଼ ଯୁକ୍ତି ବାଢ଼ିଛନ୍ତି ଯେ, ଭୋଟ୍ ଗଣତି ସମୟରେ ଜାଣିଶୁଣି ଚଞ୍ଚକତା କରାଯାଇଛି, ଯାହାଫଳରେ ସେମାନଙ୍କର ବିଜୟକୁ ପରାଜୟରେ ପରିଣତ କରାଯାଇଛି ।

ଗତକାଲି ସନ୍ଧ୍ୟା ଏବଂ ରାତିରେ ଉତ୍ତେଜିତ ଛାତ୍ରଛାତ୍ରୀମାନେ ମହାବିଦ୍ୟାଳୟ ଫାଟକ ସମ୍ମୁଖରେ ଟାୟାର ଜାଳି ରାସ୍ତାରେ ବିକ୍ଷୋଭ କରିଥିଲେ । ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ଯାଇ ପୁଲିସ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଠେଲାପେଲା ଦେଖିବାକୁ ମିଳିଥିଲା । ତଥାପି, ପୁଲିସର କଡ଼ା ପହରା ସତ୍ତ୍ୱେ ବିଜୁ ଛାତ୍ର ଜନତା ଦଳର କର୍ମୀମାନେ ପାଖାପାଖି ସାରା ରାତି କଲେଜ ଫାଟକ ଆଗରେ ବସି ରହି ବିରୋଧ ଜାରି ରଖିଛନ୍ତି । ପ୍ରଶାସନ ଓ କଲେଜ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସନ୍ତୋଷଜନକ ପଦକ୍ଷେପ କିମ୍ବା ପୁନଃଗଣତିର ସ୍ପଷ୍ଟୀକରଣ ନ ମିଳିଲେ, ଆନ୍ଦୋଳନ ଆଗକୁ ଆହୁରି ଉଗ୍ରରୂପ ନେବ ବୋଲି ଚେତାବନୀ ଦିଆଯାଇଛି । ବର୍ତ୍ତମାନ ସ୍ଥିତିକୁ ଦୃଷ୍ଟିରେ ରଖି ରାୟଗଡ଼ା ସହରର ବିଭିନ୍ନ ପ୍ରମୁଖ ଛକ ଓ ବଜାର ଅଞ୍ଚଳରେ ବିଜୁ ଛାତ୍ର ଜନତା ଦଳର କର୍ମୀ ଓ ସମର୍ଥକମାନେ ଏକଜୁଟ୍ ହେଉଥିବା ଦେଖିବାକୁ ମିଳୁଛି । କଲେଜ ପରିସର ଏବଂ ଆଖପାଖ ଅଞ୍ଚଳରେ ଆଇନଗତ ଶୃଙ୍ଖଳା ବଜାୟ ରଖିବା ପାଇଁ ପୁଲିସ ଫୋର୍ସ ମୁତୟନ କରାଯାଇଛି ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button