ରାଜ୍ୟ

ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ‘ଶିକ୍ଷକଙ୍କ ତାଗିଦ୍‌କୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଭାବେ ଗ୍ରହଣ କରାଯାଇ ପାରିବ ନାହିଁ’

କଟକ,୧୬/୧୦: ଶିକ୍ଷାନୁଷ୍ଠାନରେ ଶୃଙ୍ଖଳା ରକ୍ଷା କରିବା ଏବଂ ନିଶାଦ୍ରବ୍ୟ ସେବନ ନ କରିବା ପାଇଁ ବିଦ୍ୟାର୍ଥୀଙ୍କୁ ତାଗିଦ୍ କରିବାର ଅର୍ଥ ନୁହେଁ ସଂପୃକ୍ତ ବିଦ୍ୟାର୍ଥୀଙ୍କୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା । ଏଭଳି ଘଟଣାକୁ ଆତ୍ମହତ୍ୟା ପାଇଁ ପ୍ରରୋଚନା ଭାବେ ଗ୍ରହଣ କରାଯାଇପାରିବ ନାହିଁ ବୋଲି ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ମତ ଦେଇଛନ୍ତି । ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଅବା ବାଧ୍ୟ କରିବା ଘଟଣାକୁ ପ୍ରମାଣିତ କରିବାକୁ ହେଲେ ଅପରାଧିକ ଉଦ୍ଦେଶ୍ୟ ଏବଂ ପ୍ରବର୍ତ୍ତାଇବା ସମ୍ପର୍କିତ ପ୍ରାଥମିକ ପ୍ରମାଣ ରହିବା ଆବଶ୍ୟକ । କେବଳ ସାଧାରଣ ଶୃଙ୍ଖଳାଗତ ପଦକ୍ଷେପ କିମ୍ବା ତାଗିଦ୍କୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ବୋଲି କୁହାଯାଇପାରିବ ନାହିଁ । ଏଭଳି ଏକ ମାମଲାରେ ଚମ୍ପୁଆସ୍ଥିତ ଏକ ଘରୋଇ ଇଂରାଜୀ ମାଧ୍ୟମ ସ୍କୁଲର ଶିକ୍ଷକ ଏବଂ ହଷ୍ଟେଲ୍ ୱାର୍ଡନଙ୍କ ବିରୋଧରେ ଚମ୍ପୁଆ ଏସ୍‌ଡ଼ି ଜେଏମ୍ ଅଦାଲତଙ୍କ ପକ୍ଷରୁ ନିଆଯାଇଥିବା କଗ୍ନିଜାନ୍ସକୁ ରଦ୍ଦ କରିବା ଅବସରରେ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ରାଧାକୃଷ୍ଣ ପଟ୍ଟନାୟକ ଏଭଳି ରାୟ ଦେଇଛନ୍ତି ।

କେନ୍ଦୁଝର ଜିଲ୍ଲା ଚମ୍ପୁଆସ୍ଥିତ ଏକ ଘରୋଇ ଇଂରାଜୀ ମାଧ୍ୟମ ସ୍କୁଲ ହଷ୍ଟେଲରେ ରହି ଦଶମ ଶ୍ରେଣୀରେ ପଢ଼ୁଥିବା ଜଣେ ୧୬ ବର୍ଷୀୟ ଛାତ୍ର ୨୦୨୫ ଜୁଲାଇ ୧୨ ତାରିଖରେ ହଷ୍ଟେଲର ଚତୁର୍ଥ ମହଲାରୁ ଡେଇଁ ଆତ୍ମହତ୍ୟା କରିଥିଲେ । ଛାତ୍ରଙ୍କ ପିତା ଅଭିଯୋଗ କରିଥିଲେ ଯେ ହଷ୍ଟେଲ କର୍ମଚାରୀ ଓ ଶିକ୍ଷକଙ୍କ ଶାରୀରିକ ଏବଂ ମାନସିକ ନିର୍ଯାତନା ଯୋଗୁଁ ତାଙ୍କ ପୁଅ ଏଭଳି ଚରମ ନିଷ୍ପତ୍ତି ନେଇଛି । ଚମ୍ପୁଆ ଥାନାରେ ଏତଲା ରୁଜୁ ହୋଇଥିଲା । ତଦନ୍ତ ପରେ ପୁଲିସ ଆତ୍ମହତ୍ୟା ପାଇଁ ପ୍ରରୋଚନା ହୋଇଥିବା ଦର୍ଶାଇ ଚାର୍ଜସିଟ୍ ଦାଖଲ କରିଥିଲା ଏବଂ ଚମ୍ପୁଆ ଏସ୍‌ଡିଜେଏମ୍‌ଙ୍କ  ଅଦାଲତ ୨୦୨୫ ସେପ୍ଟେମ୍ବର ୨୪ରେ ଶିକ୍ଷକ ଓ ହଷ୍ଟେଲ ୱାର୍ଡେନ୍‌ଙ୍କ  ବିରୋଧରେ କଗ୍ନିଜାନ୍ସ ଗ୍ରହଣ କରିଥିଲେ । ନିମ୍ନ ଅଦାଲତଙ୍କ ଏହି ଆଦେଶକୁ ଚାଲେଞ୍ଜ କରି ସୁରେନ୍ଦ୍ରନାଥ ମିଶ୍ର ଓ ଅନ୍ୟମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

ତଦନ୍ତ ରିପୋର୍ଟ ଓ ଅନ୍ୟ ଛାତ୍ରମାନଙ୍କ ବୟାନରୁ ଜଣାପଡ଼ିଥିଲା ଯେ, ଘଟଣା ରାତିରେ ହଷ୍ଟେଲରେ କିଛି ଛାତ୍ର ନିଶାଦ୍ରବ୍ୟ ସେବନ କରୁଥିବା ବେଳେ ଶିକ୍ଷକ ଓ ୱାର୍ଡେନ୍‌ଙ୍କ ଦ୍ୱାରା ଧରାପଡ଼ିଥିଲେ । ଶିକ୍ଷକମାନେ ଉକ୍ତ ଛାତ୍ରମାନଙ୍କୁ ତାଗିଦ୍ କରିବା ସହ ଏ ବାବଦରେ ସେମାନଙ୍କ ଅଭିଭାବକଙ୍କୁ ଜଣାଇବେ ବୋଲି ସତର୍କ କରାଇଥିଲେ । ମୃତ ଛାତ୍ର ମଧ୍ୟ ସେମାନଙ୍କ ମଧ୍ୟରେ ଥିଲେ ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button