ଚଣ୍ଡିଗଡ଼: ହରିୟାଣାରେ ଯୁବପିଢ଼ିଙ୍କ ମଧ୍ୟରେ ବଢୁଥିବା ହୃଦଘାତ ଜନିତ ମୃତ୍ୟୁକୁ ନେଇ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ୨୦୨୦ରୁ ୨୦୨୬ ଜାନୁଆରି ମଧ୍ୟରେ ରାଜ୍ୟରେ ୧୮ରୁ ୪୫ ବର୍ଷ ବୟସ୍କ ପ୍ରାୟ ୧୭,୯୭୩ ଜଣ ଯୁବକଙ୍କର ହୃଦଘାତ ଯୋଗୁଁ ପ୍ରାଣହାନୀ ଘଟିଛି। ହରିୟାଣା ବିଧାନସଭାରେ କଂଗ୍ରେସ ବିଧାୟକଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେବାକୁ ଯାଇ ସରକାର ଏହି ତଥ୍ୟ ଉପସ୍ଥାପନ କରିଛନ୍ତି।
ବର୍ଷୱାରୀ ମୃତ୍ୟୁ ସଂଖ୍ୟା
ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ତଥ୍ୟ ଅନୁଯାୟୀ, ପ୍ରତିବର୍ଷ ହୃଦଘାତ ଜନିତ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ୨୦୨୦ରେ ୨,୩୯୪, ୨୦୨୧ରେ ଏହି ସଂଖ୍ୟା ବୃଦ୍ଧି ପାଇ ୩,୧୮୮ ହୋଇଥିବା ବେଳେ ୨୦୨୨ରେ ୨,୭୯୬, ୨୦୨୩ରେ ୨,୮୮୬, ୨୦୨୪ରେ ୩,୦୬୩, ୨୦୨୫ରେ ୩,୨୫୫, ୨୦୨୬ (ଜାନୁଆରୀ)ରେ ୩୯୧ ଜଣଙ୍କ ହୃଦଘାତ ହୋଇଥିବା ସରକାର ସୂଚନା ପ୍ରଦାନ କରିଛନ୍ତି।
ବିଭିନ୍ନ ଜିଲ୍ଲାରୁ ମିଳିଥିବା ସୂଚନା ଅନୁଯାୟୀ, ଯମୁନାନଗର ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ସବୁଠାରୁ ଅଧିକ ରହିଛି। ଏଠାରେ ପ୍ରତିବର୍ଷ ହାରାହାରି ୩୭୦ରୁ ୪୬୦ ଜଣ ଯୁବକ ହୃଦଘାତର ଶିକାର ହେଉଛନ୍ତି। ଅନ୍ୟପଟେ ଗୁରୁଗ୍ରାମରେ ଏହି ସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଇ ୧୧୩ରୁ ୮୩କୁ ଖସିଥିବା ବେଳେ, ରୋହତକରେ ମୃତ୍ୟୁ ସଂଖ୍ୟା ତୁଳନାତ୍ମକ ଭାବେ କମ୍ (ବାର୍ଷିକ ପ୍ରାୟ ୩୦-୪୦) ରହିଛି।
କୋଭିଡ୍ ଓ ଟୀକାକରଣକୁ ନେଇ ସରକାର ନୀରବ
ଏହି ମୃତ୍ୟୁଗୁଡ଼ିକ କୋଭିଡ-୧୯ ସଂକ୍ରମଣ କିମ୍ବା ଟୀକାକରଣ ସହିତ ଜଡ଼ିତ କି ନାହିଁ, ସେ ସମ୍ପର୍କରେ ବିଧାୟକ ପ୍ରଶ୍ନ କରିଥିଲେ। ତେବେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ଏପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ ଏଭଳି କୌଣସି ସର୍ଭେ କିମ୍ବା ବୈଜ୍ଞାନିକ ଅଧ୍ୟୟନ କରାଯାଇ ନାହିଁ। ଯୁବପିଢ଼ିଙ୍କ ମଧ୍ୟରେ ବୃଦ୍ଧି ପାଉଥିବା ଏହି ”ହୃଦ୍ ବିଫଳତା” ପଛର କାରଣ ଖୋଜିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ସରକାରୀ ପଦକ୍ଷେପ ନିଆଯାଇ ନଥିବା ସେ ସ୍ପଷ୍ଟ କରିଛନ୍ତି। ତେବେ ଯୁବବର୍ଗଙ୍କ ମୃତ୍ୟୁ ସଂଖ୍ୟା ଏତେ ଅଧିକ ହେବା ସତ୍ତ୍ୱେ ସରକାରଙ୍କ ପକ୍ଷରୁ କୌଣସି ଅନୁସନ୍ଧାନ କରାଯାଇ ନଥିବାରୁ ବିରୋଧୀ ପକ୍ଷ ଉଦ୍ବେଗ ପ୍ରକାଶ କରିଛନ୍ତି। ବିଶ୍ୱବ୍ୟାପୀ ହୃଦଘାତ ସମସ୍ୟା ବଢୁଥିବା ବେଳେ ହରିୟାଣାର ଏହି ରିପୋର୍ଟ ସାଧାରଣ ଜନତାଙ୍କ ମଧ୍ୟରେ ଭୟ ସୃଷ୍ଟି କରିଛି।
ସୌଜନ୍ୟ ସମ୍ବାଦ
