Road: ଯନ୍ତ୍ରଣା ଦେଉଛି ବାଇପାସ୍ରୁ କୋରଡ଼କଣ୍ଟା ରାସ୍ତା
ରାସ୍ତା ସମସ୍ୟାରୁ ମୁକୁଳି ପାରୁନାହାନ୍ତି ଆଦର୍ଶ ନଗର କଲୋନିବାସୀ। ପୁରୀ ବାଇପାସ୍ ରାସ୍ତାରୁ କଲୋନି ଦେଇ ବାସୁଆଘାଇ ପଞ୍ଚାୟତ ଅନ୍ତର୍ଗତ କୋରଡ଼କଣ୍ଟା ଗ୍ରାମକୁ ସଂଯୋଗ କରୁଥିବା ୪ କିଲୋମିଟର ରାସ୍ତା ବିଚ୍ଛିନ୍ନାଞ୍ଚଳର ଭ୍ରମ ସୃଷ୍ଟି କରୁଛି।

ଭୁବନେଶ୍ୱର: ରାସ୍ତା ସମସ୍ୟାରୁ ମୁକୁଳି ପାରୁନାହାନ୍ତି ଆଦର୍ଶ ନଗର କଲୋନିବାସୀ। ପୁରୀ ବାଇପାସ୍ ରାସ୍ତାରୁ କଲୋନି ଦେଇ ବାସୁଆଘାଇ ପଞ୍ଚାୟତ ଅନ୍ତର୍ଗତ କୋରଡ଼କଣ୍ଟା ଗ୍ରାମକୁ ସଂଯୋଗ କରୁଥିବା ୪ କିଲୋମିଟର ରାସ୍ତା ବିଚ୍ଛିନ୍ନାଞ୍ଚଳର ଭ୍ରମ ସୃଷ୍ଟି କରୁଛି। ଏହି ବାଟ ଦେଇ ଚାଲିକି ଯିବାରେ ବି ଅଞ୍ଚଳବାସୀ ଯନ୍ତ୍ରଣା ଭୋଗୁଥିବା ଦେଖିବାକୁ ମିଳୁଛି। ୩ ବର୍ଷ ହେଲା ରାସ୍ତା କାମ ହେଉନଥିବାରୁ ଅଞ୍ଚଳବାସୀ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି।
ରାସ୍ତାର ଉଭୟ ପାର୍ଶ୍ବରେ ପାଖାପାଖି ୨ଶହ ଘର ଥିବା ବେଳେ ଦେଢ଼ ହଜାର ଲୋକ ବାସ କରୁଛନ୍ତି। ପୁଣି ରାସ୍ତାରେ ବିଭିନ୍ନ ଶିଳ୍ପାନୁଷ୍ଠାନ, ଶିକ୍ଷାନୁଷ୍ଠାନ, ମଣ଼୍ଡପ ମଧ୍ୟ ରହିଛି। ଅଞ୍ଚଳବାସୀଙ୍କ ମଧ୍ୟରେ ଅଧିକାଂଶ ବରିଷ୍ଠ ନାଗରିକ ରହିଛନ୍ତି। ବର୍ତ୍ତମାନ ବର୍ଷା ଯୋଗୁ ଖାଲରେ ପଡ଼ି ଯାନବାହନ କ୍ଷତିଗ୍ରସ୍ତ ହେଉଛି। ଅଞ୍ଚଳବାସୀଙ୍କ ବାରମ୍ବାର ଦାବି ସତ୍ତ୍ବେ ପ୍ରଶାସନର ଦୃଷ୍ଟି ପଡ଼ୁନି। କାଦୁଅ ଭର୍ତ୍ତି ଖାଲଖମା ଲୋକଙ୍କୁ ଅଣନିଶ୍ବାସୀ କରିବା ସହ ରାତିରେ ଖାଲ ଠଉରାଇ ନପାରି ବାଇକ୍ ଚାଳକମାନେ ଖସିପଡ଼ି ଆହତ ହେଉଛନ୍ତି। ବର୍ଷା ଦିନେ ଅଞ୍ଚଳବାସୀଙ୍କ ଉଦ୍ୟମରେ ଏହି ରାସ୍ତାରେ ମାଟି ଓ ସିମେଣ୍ଟ ପକାଯାଉଥିଲେ ବି ବଡ଼ ବର୍ଷାରେ ମାଟି ଧୋଇଯାଇ ଅବସ୍ଥା ପୂର୍ବବତ୍ ହେଇଯାଉଛି। ରାସ୍ତା ନିର୍ମାଣ ପାଇଁ ପଞ୍ଚାୟତରେ ପାଣ୍ଠି ନଥିବା ସରପଞ୍ଚ କହୁଛନ୍ତି। ରାସ୍ତାର ଦୈର୍ଘ୍ୟ କମ୍ ଥିବାରୁ ଆର୍ଡିରେ ମଧ୍ୟ ଏହା ସାମିଲ୍ ହୋଇପାରୁନାହିଁ। ଏହି ଅଞ୍ଚଳ ବିଏମ୍ସିରେ ମିଶିବା ପାଇଁ ମଧ୍ୟ ଯୋଜନା ରହିଛି।
ସୌଜନ୍ୟ ସମ୍ବାଦ




