ରାଜ୍ୟ

Robbery,: ଗ୍ରିଲ୍ କାଟି ଘରେ ପଶିଲେ ଦୁର୍ବୃତ୍ତ, ଝିଅ ବାହାଘର ପାଇଁ ସଞ୍ଚିତ ସୁନା ଗହଣା ଓ ନଗଦ ଟଙ୍କା ଲୁଟି ନେଲେ

ଭଦ୍ରକ, ୧୬।୧୦: ଭଦ୍ରକ ଜିଲ୍ଲାରେ ଲୁଟେରା ଆତଙ୍କ । ବିଳମ୍ବିତ ରାତିରେ ଘରେ ପଶି ମାରଣାସ୍ତ୍ର ଦେଖାଇ ଭୟଭୀତ କରାଇବା ସହ ଝିଅ ବାହାଘର ପାଇଁ ସଞ୍ଚିତ ହୋଇ ରହିଥିବା ସୁନା ଗହଣା ଏବଂ ନଗଦ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା ଅଧୀନ ସାହୁ ସାହିରୁ । ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଧୁଷୁରୀ ଥାନା ଅନ୍ତର୍ଗତ ସାହୁ ସାହିର ନିରଞ୍ଜନ ନାଥଙ୍କ ଘରର ଗ୍ରିଲ୍ କାଟି ପ୍ରାୟ ୫ ଜଣ ଦୁର୍ବୃତ୍ତ ହଠାତ୍ ଘର ଭିତରକୁ ପ୍ରବେଶ କରିଥିଲେ । ଘର ଭିତରେ ପଶିବା ପରେ ଦୁର୍ବୃତ୍ତମାନେ ବିଭିନ୍ନ ଆସବାବପତ୍ର ଏବଂ ବାକ୍ସ ପାତ୍ର ତନ୍ନ ତନ୍ନ କରି ଖୋଜାଖୋଜି କରିଥିଲେ । କିନ୍ତୁ, ବହୁ ସମୟ ଧରି ଖୋଜିବା ପରେ ମଧ୍ୟ ସେମାନେ ଆଶାଜନକ କିଛି ପାଇ ନଥିଲେ ।

ଦୁର୍ବୃତ୍ତମାନେ ନିରଞ୍ଜନ ନାଥ ଏବଂ ତାଙ୍କ ସ୍ତ୍ରୀଙ୍କୁ ଭୟଭୀତ କରିବା ଉଦ୍ଦେଶ୍ୟରେ ହାତରେ ଧରିଥିବା ଛୁରୀ ଓ ଅନ୍ୟାନ୍ୟ ମାରଣାସ୍ତ୍ର ଦେଖାଇ ଧମକାଇଥିଲେ । ଦୁର୍ବୃତ୍ତମାନେ ସେମାନଙ୍କ ଠାରୁ ବଳପୂର୍ବକ ଟଙ୍କା ଏବଂ ଗହଣା ରଖିଥିବା ଜାଗା ପଚାରି ବୁଝିଥିଲେ । ପରିବାର ଲୋକଙ୍କ ସୂଚନା ମୁତାବକ, ଘରେ ଥିବା ନଗଦ ୪୦ ହଜାର ଟଙ୍କା ଏବଂ ଆଗକୁ ଝିଅ ବାହାଘର ପାଇଁ ଅତି କଷ୍ଟରେ ସଞ୍ଚି ରଖିଥିବା ସମସ୍ତ ମୂଲ୍ୟବାନ ସୁନା ଗହଣାକୁ ଲୁଟି ନେଇଥିଲେ । ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ପୀଡ଼ିତ ପରିବାର ପକ୍ଷରୁ ଏନେଇ ଧୁଷୁରୀ ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଛି । ଅଭିଯୋଗକୁ ଭିତ୍ତିକରି ଧୁଷୁରୀ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ରାତି ଅଧରେ ଏଭଳି ସଶସ୍ତ୍ର ଲୁଟ୍ ଘଟଣା ସ୍ଥାନୀୟ ଲୋକଙ୍କ ଚିନ୍ତା ବଢ଼ାଇ ଦେଇଥିବାବେଳେ ପୁଲିସ ଦୁର୍ବୃତ୍ତମାନଙ୍କୁ ଧରିବା ପାଇଁ ବିଭିନ୍ନ ଦିଗରୁ ଛାନ୍ଭିନ୍ ଜାରି ରଖିଛି ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button