ରାଉରକେଲା: ରାଉରକେଲାର ଉଦିତନଗର ପଡ଼ିଆଠାରେ ୭୭ତମ ସ୍ଵାଧୀନତା ଦିବସ ମହାସମାରୋହରେ ପାଳନ କରାଯାଇଛି। ଏଥିରେ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ଶ୍ରୀଯୁକ୍ତ ସଚିନ ରାମଚନ୍ଦ୍ର ଜାଧବ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେl ଏହି ଅବସରରେ ସେ ଭାରତର ସମ୍ବିଧାନ ପ୍ରଣେତା ବାବା ଭୀମରାଓ ଆମ୍ବେଦକରଙ୍କୁ ମନେ ପକାଇଥିଲେ ଓ ସ୍ବାଧୀନତା ସଂଗ୍ରାମରେ ସାମିଲ ହୋଇଥିବା ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀମାନଙ୍କ ତ୍ୟାଗ ଓ ବଳିଦାନକୁ ମନେପକାଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।
ସାଧାରଣତନ୍ତ୍ର ଦିବସ କାର୍ଯ୍ୟକ୍ରମରେ ଅଭିଭାଷଣ ଦେଇ ସେ କହିଥିଲେ ଯେ, ରାଉରକେଲାର ଏକ ସ୍ବତନ୍ତ୍ର ପରିଚୟ ରହିଛି। ଏହାର ସାମାଜିକ ଚଳଣି ଓ ଭାଇଚାରା ର ପରମ୍ପରା ନିଆରା ରହିଛି l ରାଉରକେଲା ମହାନଗର ନିଗମ ର ପ୍ରୟାସରେ ସହରର ପରିମଳ ବ୍ୟବସ୍ଥା ସୁଦୂଢ ହୋଇ ପାରିଛି l ସହରରେ ସ୍ବଚ୍ଛତା ଦିଗରେ କରାଯାଉଥିବା ବିଭିନ୍ନ ପଦକ୍ଷେପ ତଥା ସ୍ବଚ୍ଛ ରହିବା ସହରକୁ ପରିସ୍କାର ରଖିବା ଲାଗି ଲୋକମାନଙ୍କୁ ପ୍ରୋତ୍ସାହନ ସହିତ ଜନସଚେତନ କରିବା ପ୍ରସଂଶନୀୟ l ରାଉରକେଲାକୁ ଏକ ସ୍ବଚ୍ଛ ଓ ସୁନ୍ଦର ସହର ଗଠନ ଦିଗରେ ସମସ୍ତେ ସହଯୋଗ କରନ୍ତୁ ବୋଲି ଆହ୍ବାନ କରିଛନ୍ତି l
ଏହା ବ୍ୟତୀତ ସେ କହିଥିଲେ ଯେ ୨୦୨୩ ରେ ପୁରୁଷ ହକି ବିଶ୍ୱକପ୍, ହକି ପ୍ରୋଲିଗ, ହକି ଇଣ୍ଡିଆ ଲିଗ ରାଉରକେଲାରେ ସଫଳତା ର ସହିତ ଆୟୋଜନ ପରେ ରାଉରକେଲା କ୍ରୀଡା ହବ ହୋଇପାରିଛି l ରାଉରକେଲାର ଖେଳାଳି ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଦେଶର ପ୍ରତିନିଧିତ୍ୱ କରି ସୁନ୍ଦରଗଡ଼ ଜିଲ୍ଲା ସହିତ ରାଉରକେଲା ପାଇଁ ଗୌରବ ଆଣିଛନ୍ତି। ରିଜର୍ଭ ପୁଲିସର ସମିତ ସାମଲ ଙ୍କ ନେତୃତ୍ୱରେ ପ୍ୟାରେଡ ହୋଇଥିଲା। ପ୍ୟାରେଡ ରେ ୫୨ ଦଳ ଅଂଶ ଗ୍ରହଣ କରିଥିଲେ। ପ୍ୟାରେଡ ପରେ ପରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ମଧ୍ଯ କରା ଯାଇଥିଲା। ଏହି କାର୍ଯ୍ୟକ୍ରମରେ କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କ୍ରୀଡ଼ା ପ୍ରତିଭାଙ୍କୁ ସମ୍ମାନିତ କରାଯାଇଥିଲା। ଏଥି ସହ ସ୍କୁଲ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ନେଇ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।
ସମାରୋହରେ ରାଉରକେଲା ଡିଆଇଜି ଶ୍ରୀଯୁକ୍ତ ବ୍ରିଜେଶ କୁମାର ରାୟ, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ ଆୟୁକ୍ତ ସୁଶ୍ରୀ ଦୀନା ଦସ୍ତଗୀର୍, ରାଉରକେଲା ଆରକ୍ଷୀ ଅଧିକ୍ଷକ ନିତେଶ ୱାଧୱାନି, ପାନପୋଷ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ରାଉରକେଲା ମୁଖ୍ୟଜେଲର ଅନ୍ତେବାସୀ ଓ ରାଉରକେଲା ସରକାରୀ ଚିକିତ୍ସାଳୟର ରୋଗୀମାନଙ୍କୁ ଫଳ ଓ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲାl ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ସୀମା ଫାତିମା ଏକ୍କା ଓ ଶ୍ରୀକାନ୍ତ ଷଡଙ୍ଗୀ ପରିଚାଳନା କରିଥିଲେ। କାଯ୍ୟକ୍ରମରେ ବିଭିନ୍ନ ବିଭାଗୀୟ ଅଧିକାରୀ ଓ ବହୁ ସଂଖ୍ଯା ରେ ଜନ ସାଧାରଣ ଉପସ୍ଥିତ ଥିଲେl
ସୌଜନ୍ୟ ସମ୍ବାଦ
