Rushikulya: ଠିକଣା ହଜିଗଲା ଋଷିକୁଲ୍ୟାରେ: ଜାହାଡ଼ାରେ ୧୦ ଘର ମାଟିରେ ମିଶିଲା, ଭାସିଗଲା ଆସବାବପତ୍ର ଓ ବତୁରି ଗଲା ଚାଉଳ ବସ୍ତା
ଆଖି ଆଗରେ ଥିଲା ନିଜର ସୁନ୍ଦର ସଂସାର। ମୁଣ୍ଡ ଗୁଞ୍ଜିବାକୁ ଥିଲା ଛୋଟିଆ ଘରଟିଏ। ଝାଳବୁହା ପରିଶ୍ରମ କରି ଗଢ଼ିଥିଲେ ସ୍ୱପ୍ନର ବାସ। ହେଲେ ମାତ୍ର କେଇ ମୁହୂର୍ତ୍ତରେ ସବୁ କିଛି ଓଲଟପାଲଟ କରିଦେଲା ବନ୍ୟାର ବିକଟାଳ ରୂପ।

ପୂର୍ଣ୍ଣଚନ୍ଦ୍ର ନାୟକ
ଧରାକୋଟ: ଆଖି ଆଗରେ ଥିଲା ନିଜର ସୁନ୍ଦର ସଂସାର। ମୁଣ୍ଡ ଗୁଞ୍ଜିବାକୁ ଥିଲା ଛୋଟିଆ ଘରଟିଏ। ଝାଳବୁହା ପରିଶ୍ରମ କରି ଗଢ଼ିଥିଲେ ସ୍ୱପ୍ନର ବାସ। ହେଲେ ମାତ୍ର କେଇ ମୁହୂର୍ତ୍ତରେ ସବୁ କିଛି ଓଲଟପାଲଟ କରିଦେଲା ବନ୍ୟାର ବିକଟାଳ ରୂପ। ଆଖି ପିଛୁଳାକେ ଭାସିଗଲା ଘର। ଭାଙ୍ଗିଗଲା ସଂସାର। ମାଟିରେ ମିଶିଗଲା ବର୍ଷ ବର୍ଷର ପରିଶ୍ରମ। ଗଞ୍ଜାମଜିଲ୍ଲା ଧରାକୋଟ ବ୍ଲକ ଜାହାଡ଼ା ଗାଁରେ ପ୍ରକୃତିର ଏଭଳି କରାଳ ରୂପ ଦେଖିବାକୁ ମିଳିଛି। ହଠାତ୍ ମାଡ଼ି ଆସିଥିବା ବନ୍ୟାଜଳରେ ୧୦ଟି ଘର ସମ୍ପୂର୍ଣ୍ଣ ଭାବେ ମାଟିରେ ମିଶିଯାଇଛି। ଜୀବନ ବଞ୍ଚାଇବାକୁ ଘରଦ୍ୱାର ଛାଡ଼ି ଚାଲି ଆସିଥିବା ପରିବାରଗୁଡ଼ିକ ଏବେ ସର୍ବସ୍ୱ ହରାଇ ଅସହାୟ।
ଧରାକୋଟ ବ୍ଲକ୍ରେ ଋଷିକୁଲ୍ୟାର କୋପ ଏତେ ଥିଲା ଯେ ବହୁ ଗାଁରେ ପାଣି ମାଡ଼ିଗଲା। ତା’ ଭିତରେ ଅଧିକ କ୍ଷତିଗ୍ରସ୍ତ ହୋଇଛି ସିଙ୍ଗିପୁର, ନନ୍ଦିଗୋର, ଭରତପଲ୍ଲୀ ଓ ଜାହାଡ଼ା। ସିଙ୍ଗିପୁର ଗାଁ କେଉଁଠି ଥିଲା ଜାଣିବା ଏବେ କଷ୍ଟକର। ସେଠାରେ ବଢ଼ି ପାଣି ଘାଇ ସୃଷ୍ଟି କରିଥିଲା।
ଜାହାଡ଼ାରେ ୧୦ ଘର ମାଟିରେ ମିଶିଲା
ଭାସିଗଲା ଆସବାବପତ୍ର ଓ ବତୁରି ଗଲା ଚାଉଳ ବସ୍ତା
ଧରାକୋଟ ବ୍ଲକ ଛାରଖାର
ଘରଦ୍ବାର ଭାସି ଯାଇଛି, ଚାଷ ଜମିରେ ମାଡ଼ିଯାଇଛି ବାଲି, କାଦୁଅ। ଭରତପଲ୍ଲୀର ଚାଷଜମିରେ ୧୦ଫୁଟ ଉଚ୍ଚାର ବାଲି ଚରିଯାଇଛି। ଜାହାଡ଼ା ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଥିଲା। ଏଠାରେ ୧୦ଟି ଘରକୁ ମାଟିରେ ମିଶାଇ ଦେଇଥିଲା ବଢ଼ିପାଣି। ଚନ୍ଦ୍ରମା ସ୍ବାଇଁ, ବିଚିତ୍ର ସ୍ବାଇଁ, ସନ୍ତୋଷ ରାଉଳ, ନିବାସିନୀ ସାମଲ, ତ୍ରିନାଥ ପ୍ରଧାନ, ଗୌର ପଣ୍ଡା, ନଳବଣ୍ଟା ବ୍ରାହ୍ମଣ ଓ ଜମ୍ଭୁ ଜେନାଙ୍କ ଘର ଭାସି ଯାଇଛି। ସେହି ପାଖରେ ଗୋଦାମ ଘରେ ଥିବା ୯୦୦ ବସ୍ତା ଚାଉଳ ବତୁରି ଯାଇଛି। ସେଗୁଡ଼ିକୁ ଆଜି ନଦୀରେ ଭସାଇ ଦିଆଯାଇଛି। ସେହିପରି ନନ୍ଦିଗୋର ସ୍କୁଲ୍ର ୪ଟି ଘର ଭାଙ୍ଗି ମାଟିରେ ଲୋଟିଛି। ତେଲିସାହିରେ ବି ସମାନ କାହାଣୀ ଦେଖିବାକୁ ମିଳିଛି।
ସୌଜନ୍ୟ ସମ୍ବାଦ




