IMD Prediction: ସେପ୍ଟେମ୍ବର ନେଇ IMD ଆକଳନ; ଉତ୍ତର ଓଡ଼ିଶାରେ ଅଧିକ, ଦକ୍ଷିଣରେ ଶୁଖିଲା,୧୦ ପରେ ଆଉ ଏକ ଲଘୁଚାପ

ଭୁବନେଶ୍ୱର,୦୧/୦୯: ୪ ମାସରେ ଯେତିକି ବର୍ଷା ଓଡ଼ିଶାରେ ହେବା କଥା, ଅଗଷ୍ଟ ଶେଷ ସୁଦ୍ଧା ତା’ଠାରୁ ଅଧିକ ଢାଳି ସାରିଲାଣି ମୌସୁମୀ । ଜୁନ୍ ପହିଲାରୁ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ରାଜ୍ୟରେ ସ୍ୱାଭାବିକ ବର୍ଷା ପରିମାଣ ୧୧୫୦.୨ ମିଲିମିଟର । ଜୁନ୍ରେ ୪୭% ନିଅଣ୍ଟିଆ ସ୍ଥିତି ଥିଲା କିନ୍ତୁ ଜୁଲାଇ ଓ ଅଗଷ୍ଟରେ ପ୍ରବଳ ବର୍ଷିଲା । ଜୁନ୍ରୁ ଅଗଷ୍ଟ ଶେଷ ସୁଦ୍ଧା ରାଜ୍ୟରେ ମୋଟ ହାରାହାରି ବର୍ଷା ପରିମାଣ ୧୧୫୨ ମିମି ଛୁଇଁସାରିଛି । ଏହି ୩ ମାସର ସ୍ୱାଭାବିକ ପରିମାଣ ହେଉଛି ୯୧୪ ମିମି । ଅର୍ଥାତ୍ ୨୬% ଅଧିକ ବର୍ଷା ପାଇସାରିଛି ଓଡ଼ିଶା ।
ଏପଟେ ସେପ୍ଟେମ୍ବରରେ ବି ଭଲ ବର୍ଷା ହୋଇପାରେ ଓଡ଼ିଶାରେ । ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର (ଆଇଏମଡି) ଆକଳନ କରିଛି, ସେପ୍ଟେମ୍ବର ମାସରେ ଦେଶରେ ସ୍ୱାଭାବିକ ଠାରୁ ବର୍ଷା ପରିମାଣ କମ୍ ରହିପାରେ । ଦେଶର ଅନେକ ଅଞ୍ଚଳରେ ବର୍ଷା ନିଅଣ୍ଟିଆ ରହିବା ସମ୍ଭାବନା ଅଛି । ହେଲେ ପୂର୍ବ, ଉତ୍ତର-ପୂର୍ବ, ଉତ୍ତର-ପଶ୍ଚିମ ଓ ଦକ୍ଷିଣ ପୂର୍ବ ଭାରତର ବହୁ ଅଞ୍ଚଳରେ ସ୍ୱାଭାବିକ କିମ୍ବା ତା’ଠାରୁ ଅଧିକ ବର୍ଷା ହୋଇପାରେ ।
ଆଇଏମଡି ଜାରି କରିଥିବା ସମ୍ଭାବ୍ୟ ଚିତ୍ର ଦର୍ଶାଉଛି, ଓଡ଼ିଶାର ଉତ୍ତରରେ ଅଧିକ ବର୍ଷା ରହିପାରେ ସେପ୍ଟେମ୍ବରରେ । ପଶ୍ଚିମ ଓଡ଼ିଶାର ଅନେକ ଅଞ୍ଚଳରେ ବି ସ୍ୱାଭାବିକ ବର୍ଷା ସମ୍ଭାବନା ଅଛି । କେନ୍ଦ୍ରୀୟ ଓଡ଼ିଶାର ଅଳ୍ପ କିଛି ଜାଗାରେ ସ୍ୱାଭାବିକ ବର୍ଷା ହୋଇପାରେ । ମାତ୍ର ଦକ୍ଷିଣ ଓଡ଼ିଶାରେ ବର୍ଷା ନିଅଣ୍ଟିଆ ରହିବା ଆଶଙ୍କା ଅଛି । ଉତ୍ତର ଉପକୂଳରେ ଭଲ ବର୍ଷା ଆଶା ଦେଖାଯାଉଛି ।ହେଲେ ଦକ୍ଷିଣ ଉପକୂଳରେ ବର୍ଷା ଗାଏବ ରହିପାରେ । ଏହି ଅନୁମାନ ଯଦି ସତ ହୁଏ, ତେବେ ଜୁଲାଇ ଓ ଅଗଷ୍ଟ ଭଳି ଏଥର ବି ଉତ୍ତର ଓଡ଼ିଶାରେ ବର୍ଷା ଅଧିକ ହେବ । ତାପମାତ୍ରାକୁ ନେଇ ଯେଉଁ ପୂର୍ବାନୁମାନ ସମ୍ଭାବ୍ୟ ଚିତ୍ର ଦେଖାଯାଇଛି, ସେଥିରେ ଓଡ଼ିଶାରେ ଅସ୍ୱାଭାବିକ ଗରମ ଅନୁଭୂତ ହୋଇପାରେ । ସମଗ୍ର ଓଡ଼ିଶାରେ ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରହିବ ।
ପାଣିପାଗ ବୈଜ୍ଞାନିକ ବିଶ୍ୱଜିତ ସାହୁଙ୍କ ପୂର୍ବାନୁମାନ ହେଲା, ବର୍ତ୍ତମାନ ସପ୍ତାହେ ପର୍ଯ୍ୟନ୍ତ ରାଜ୍ୟରେ ବିଶେଷ ବର୍ଷା ନାହିଁ । ପାଗ ମୁଖ୍ୟତଃ ଶୁଖିଲା ରହିବ । ତେବେ ଘଡ଼ଘଡ଼ି ସହ ସ୍ଥାନେ ସ୍ଥାନେ ଅସରାଏ ବର୍ଷା ହୋଇପାରେ । ୮-୯ ତାରିଖ ଯାଏଁ କୌଣସି ଘୂର୍ଣ୍ଣିବଳୟ ସମ୍ଭାବନା ନାହିଁ । ତେବେ ୧୦ ତାରିଖ କିମ୍ବା ତା’ ପରେ ଦକ୍ଷିଣ ଚୀନ ସାଗର (ଥାଇଲାଣ୍ଡ) ପଟୁ ଏକ ଘୂର୍ଣ୍ଣିବଳୟ ବଙ୍ଗୋପସାଗରକୁ ଆସିପାରେ । ୧୨ରୁ ୧୪ ତାରିଖ ଭିତରେ ଏହା ଆଣ୍ଡାମାନ ସାଗରରେ ଲଘୁଚାପ ରୂପ ନେଇପାରେ । ଅନୁମାନ କରାଯାଉଛି, ସେପ୍ଟେମ୍ବରରେ ଓଡ଼ିଶାରେ ବର୍ଷା ରହିବ । ଉତ୍ତର ତୁଳନାରେ ଦକ୍ଷିଣ ଓ ଉପକୂଳରେ ଅଧିକ ବର୍ଷା ହୋଇପାରେ । ଏ ମାସରେ ଗରମ ପ୍ରଭାବ ବି ରହିପାରେ ।
ସୌଜନ୍ୟ ସମ୍ବାଦ




