ନୂଆଦିଲ୍ଲୀ:ଇରାନର ବିଦେଶ ମନ୍ତ୍ରୀ ଅବାସ ଅରାଘଚି ତାଙ୍କ ଭାରତ ପ୍ରତିପକ୍ଷ ସୁବ୍ରମଣ୍ୟମ ଜୟଶଙ୍କରଙ୍କ ସହିତ ଟେଲିଫୋନ ମାଧ୍ୟମରେ କଥା ହୋଇଛନ୍ତି। ଅରାଘଚି ପଶ୍ଚିମ ଏସିଆ ସଙ୍କଟ ଦୂର ଏବଂ ବ୍ୟାପକ ଭୂରାଜନୈତିକ ବିକାଶ ଉପରେ ଆଲୋଚନା କରିବା, ବିଶ୍ୱ ସ୍ଥିରତାକୁ ସମର୍ଥନ କରିବା ପାଇଁ ବ୍ରିକ୍ସ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଅଧିକ ସହଯୋଗ ପାଇଁ ଆହ୍ୱାନ କରିଥିଲେ। ଇରାନର ଏକ ବିବୃତି ଅନୁଯାୟୀ, ଇରାନ ଉପରେ ଆମେରିକା ଓ ଇସ୍ରାଏଲ ଆକ୍ରମଣ ପରେ ଦେଖାଦେଇଥିବା ଆଞ୍ଚଳିକ ତଥା ବୈଶିକ ଅସ୍ଥିରତା ସମ୍ପର୍କରେ ଦୁଇ ନେତା କଥା ହୋଇଛନ୍ତି।
ଚତୁର୍ଥ ଥର ପାଇଁ କଥା ହେଲେ ଜୟଶଙ୍କର
ଇରାନ ତା’ର ସାର୍ବଭୌମତା ପାଇଁ ଲଢ଼ିବାର ଅଧିକାର ଅଛି ବୋଲି ଅରାଘଚି କହିଛନ୍ତି। ଇରାନ ଉପରେ ଫେବ୍ରୁଆରି ୨୮ ଆକ୍ରମଣ ପରେ ଚତୁର୍ଥ ଥର ପାଇଁ ଅରାଘଚି ଭାରତର ବିଦେଶ ମନ୍ତ୍ରୀ ଜୟଶଙ୍କରଙ୍କ ସହିତ କଥା ହୋଇଛନ୍ତି। ଇରାନ ଆମେରିକା-ଇସ୍ରାଏଲ ଆକ୍ରମଣକୁ ସାମରିକ ଆକ୍ରମଣ ବୋଲି ଅଭିହିତ କରି ଅନ୍ତର୍ଜାତୀୟ ଏବଂ ଆଞ୍ଚଳିକ ସଂଗଠନଗୁଡ଼ିକୁ ଏହାକୁ ନିନ୍ଦା କରିବାକୁ ସେ ଆହ୍ୱାନ କରିଥିଲେ ଏବଂ ବିଶ୍ୱ ସ୍ଥିରତାକୁ ସମର୍ଥନ କରିବାରେ ବ୍ରିକ୍ସର ଗୁରୁତ୍ୱ ଉପରେ ଅରାଘଚି ଆଲୋକପାତ କରିଥିଲେ।
ଜୟଶଙ୍କରଙ୍କ ସୀକୃତି
ଜୟଶଙ୍କର ତାଙ୍କ ପକ୍ଷରୁ କହିଛନ୍ତି ଯେ, ଭାରତ ଆଞ୍ଚଳିକ ଏବଂ ଅନ୍ତର୍ଜାତୀୟ ମଞ୍ଚରେ ଦ୍ୱିପାକ୍ଷିକ ଏବଂ ବହୁପାକ୍ଷିକ ସହଯୋଗକୁ ବିସ୍ତାର କରିବାକୁ ପ୍ରସ୍ତୁତ ଏବଂ ଏହି କ୍ଷେତ୍ରରେ ସ୍ଥାୟୀ ସ୍ଥିରତା ଏବଂ ସୁରକ୍ଷାକୁ ସୁଦୃଢ଼ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି ବୋଲି ତେହେରାନ ପକ୍ଷରୁ କୁହାଯାଇଛି। ଗୁରୁବାର ରାତିରେ ଦୁଇ ବିଦେଶ ମନ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ଏହି କଥାକୁ ଜୟଶଙ୍କର ମଧ୍ୟ ସ୍ବୀକାର କରିଛନ୍ତି। ଏହାପୂର୍ବରୁ ମାର୍ଚ୍ଚ ୧୦ ତାରିଖରେ ଦୁଇ ନେତା କଥାବାର୍ତ୍ତା ହୋଇଥିଲେ।
ସୌଜନ୍ୟ ସମ୍ବାଦ
