ନୂଆଦିଲ୍ଲୀ: ବୟସ ବଢ଼ିଲାଣି, ହେଲେ ମନର ମଣିଷ ମିଳିନାହାନ୍ତି। ବିବାହ ପାଇଁ ମନରେ ଆଗ୍ରହ ଅଛି, ଜୀବନସାଥୀଙ୍କ ସହ ଜୀବନ ବିତାଇବାର ସ୍ୱପ୍ନ ବି ରହିଛି। ହେଲେ ବିବାହ ପାଇଁ ନିଜ ଆତ୍ମସମ୍ମାନ ସହ ସାଲିସ୍ କରିବାକୁ ରାଜି ନାହାନ୍ତି ସେ। ଆମେ କହୁଛୁ ବଲିଉଡ୍ର ନବାବ ପରିବାରର ଝିଅ ତଥା ଅଭିନେତା ସୈଫ୍ ଅଲ୍ଲୀ ଖାନ୍ଙ୍କ ଭଉଣୀ ସବା ପଟୌଦୀଙ୍କ କଥା। ନିକଟରେ ଏକ ପଡ୍କାଷ୍ଟରେ ନିଜ ବ୍ୟକ୍ତିଗତ ଜୀବନ ଓ ସମ୍ପର୍କକୁ ନେଇ ଖୋଲାଖୋଲି ମତ ରଖିଛନ୍ତି ସବା। ତାଙ୍କ କହିବା କଥା, ସେ ନିଜ ଇଚ୍ଛାରେ ଅବିବାହିତ ନୁହନ୍ତି। ଜୀବନରେ ଜଣେ ସାଥୀ ତାଙ୍କର ବି ଦରକାର। ହେଲେ ସେଭଳି ପରିପକ୍ୱ ମଣିଷ ମିଳିନାହାନ୍ତି, ଯାହାଙ୍କ ସହ ଜୀବନ ବାଣ୍ଟିପାରିବେ। ଆଜି ବି ଅପେକ୍ଷାରେ ।
ସବା କହିଛନ୍ତି, ତାଙ୍କ ବାପା ମନସୁର ଅଲ୍ଲୀ ଖାନ୍ ପଟୌଦୀ ପିଲାଦିନରୁ ତାଙ୍କୁ ଦାୟିତ୍ୱବାନ୍ ଓ ଆତ୍ମନିର୍ଭରଶୀଳ ହେବା ଶିଖାଇଥିଲେ। ଏହି ଶିକ୍ଷା ତାଙ୍କୁ ଜୀବନରେ ନିଜ ପରିଚୟ ଓ ଆତ୍ମସମ୍ମାନକୁ ଗୁରୁତ୍ୱ ଦେବାକୁ ଶିଖାଇଛି। ତେଣୁ ଯେଉଁ ସମ୍ପର୍କରେ ଦାୟିତ୍ୱବୋଧ ନାହିଁ, ସେଠାରେ ନିଜକୁ ଖାପ ଖୁଆଇବା ତାଙ୍କ ପାଇଁ ସହଜ ନୁହେଁ। ତାଙ୍କ ମତରେ, ଅନେକ ପୁରୁଷ ଆଜି ବି ଆତ୍ମନିର୍ଭରଶୀଳ ଓ ଦୃଢ଼ ମହିଳାଙ୍କୁ ସହଜରେ ଗ୍ରହଣ କରିପାରୁନାହାନ୍ତି। ଏଥିପାଇଁ ବେଳେବେଳେ ଏକାପଣ ଅନୁଭବ ହୁଏ। ହେଲେ ଏକା ରହିବା ଅର୍ଥ ଦୁଃଖୀ ରହିବା ନୁହେଁ। ନିଜ ସହ ସମୟ ବିତାଇବା ଓ ନିଜ ଦୁନିଆରେ ଖୁସିରେ ରହିବା ମଧ୍ୟ ସେ ଜାଣନ୍ତି।
ତେବେ ବିବାହ ପାଇଁ ଆଶା ଛାଡ଼ିନାହାନ୍ତି ସବା। ତାଙ୍କ କହିବା ଅନୁସାରେ, ଜୀବନରେ ନୂଆ ସମ୍ପର୍କ ଗଢ଼ିବାର କୌଣସି ବୟସ ନାହିଁ। ହେଲେ କେବଳ ସମାଜର ଚାପ କିମ୍ବା ବିବାହ କରିବା ପାଇଁ ସେ କାହା ସହ ସମ୍ପର୍କ ଯୋଡ଼ିବେ ନାହିଁ। ତାଙ୍କ ପାଇଁ କେବଳ ଆକର୍ଷଣ ନୁହେଁ, ସମ୍ପର୍କରେ ବନ୍ଧୁତା, ବିଶ୍ୱାସ, ପରସ୍ପର ପ୍ରତି ସମ୍ମାନ ଓ ଭଲପାଇବା ରହିବା ଜରୁରୀ। ଯାହାଙ୍କ ସହ ମନ ଖୋଲି କଥା ହୋଇହେବ, ଯିଏ ତାଙ୍କୁ ବୁଝିପାରିବେ ଓ ଭରସା ଦେଇପାରିବେ, ସେଭଳି ସାଥୀଙ୍କୁ ଅପେକ୍ଷା କରିଛନ୍ତି ସବା। ସେ କହିଛନ୍ତି, ଯଦି ଏମିତି ଜଣେ ମଣିଷ ମିଳନ୍ତି, ତେବେ ଆଜି ବି ସେ ସମ୍ପର୍କ ପାଇଁ ପ୍ରସ୍ତୁତ। ନବାବ ପରିବାରର ଝିଅ ହୋଇ ବି ଜୀବନସାଥୀ ବାଛିବାରେ ସବାଙ୍କ ମାପଦଣ୍ଡ ସ୍ପଷ୍ଟ। ବିବାହ ନିଶ୍ଚୟ କରିବେ, ହେଲେ ନିଜ ସର୍ତ୍ତରେ। କାରଣ ତାଙ୍କ ପାଇଁ ଜୀବନସାଥୀ ମିଳିବା ଯେତିକି ଜରୁରୀ, ନିଜ ପରିଚୟ ଓ ଆତ୍ମସମ୍ମାନକୁ ବଜାୟ ରଖିବା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ।
ସୌଜନ୍ୟ ସମ୍ବାଦ