Salman-Nayanthara: ଇଦ୍ରେ ଧମାକା କରିବେ ସଲମାନ-ନୟନତାରା, ପ୍ରସ୍ତୁତ ହେଉଛି ମେଗା ବଜେଟ୍ ଫିଲ୍ମ ‘ମନଷ୍ଟର୍’

ମୁମ୍ୱାଇ, ୨୧.୮: ବଲିଉଡର ‘ଭାଇଜାନ୍’ ଅର୍ଥାତ୍ ସଲମାନ ଖାନ୍ଙ୍କ ଆଗାମୀ ବଡ଼ ପ୍ରୋଜେକ୍ଟକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି । ପ୍ରସିଦ୍ଧ ପ୍ରଯୋଜକ ଦିଲ୍ ରାଜୁଙ୍କ ସହ ସଲମାନ ପ୍ରଥମ ଥର ପାଇଁ ହାତ ମିଳାଇଥିବା ଏହି ପାନ୍-ଇଣ୍ଡିଆ ଫିଲ୍ମର ନାଁ କଥିତ ଭାବେ ‘ମନଷ୍ଟର୍’ ରଖାଯାଇଥିବା ନେଇ ଚର୍ଚ୍ଚା ଜୋର ଧରିଛି । ଏହି ଫିଲ୍ମଟିକୁ ଆସନ୍ତା ବର୍ଷ ଅର୍ଥାତ୍ ଇଦ୍ ୨୦୨୭ ଅବସରରେ ସିନେମାଘରରେ ମୁକ୍ତିଲାଭ କରିବାଖଉ ଲକ୍ଷ୍ୟ ରଖାଯାଇଛି । ଫିଲ୍ମର ନିର୍ଦ୍ଦେଶନା ଭାର ବାମସୀ ପେଡିପଲ୍ଲୀ ସମ୍ଭାଳିଛନ୍ତି । ଯଦିଓ ନିର୍ମାତାଙ୍କ ପକ୍ଷରୁ ଏପର୍ଯ୍ୟନ୍ତ ଔପଚାରିକ ଭାବେ ଟାଇଟଲ୍ ଘୋଷଣା ହୋଇନାହିଁ, ତଥାପି ଆଗାମୀ କିଛି ସପ୍ତାହ ଭିତରେ ଫିଲ୍ମର ଟାଇଟଲ୍ ଏବଂ ଫଷ୍ଟ ଲୁକ୍ ରିଲିଜ୍ କରାଯିବ ବୋଲି ଜଣାପଡ଼ିଛି ।
ମୁଖ୍ୟ ନାୟିକା ଭୂମିକାରେ ନୟନତାରା:
ଏହି ମେଗା ପ୍ରୋଜେକ୍ଟରେ ସଲମାନ ଖାନ୍ଙ୍କ ବିପକ୍ଷରେ ସାଉଥ୍ ସିନେମାର ଷ୍ଟାର୍ ଅଭିନେତ୍ରୀ ନୟନତାରା ମୁଖ୍ୟ ନାୟିକା ଭୂମିକାରେ ନଜର ଆସିବେ । ସଲମାନ ଏବଂ ନୟନତାରାଙ୍କ ଏହି ଯୋଡ଼ି ପ୍ରଥମ ଥର ପାଇଁ ପରଦାରେ ଏକାଠି ଦୃଶ୍ୟମାନ ହେବେ, ଯାହାକି ଦର୍ଶକଙ୍କ ପାଇଁ ଏକ ବଡ଼ ସରପ୍ରାଇଜ୍ ହେବ । ଫିଲ୍ମର ଆକ୍ସନ୍ ଦୃଶ୍ୟଗୁଡ଼ିକୁ ଅତ୍ୟନ୍ତ ଆକର୍ଷଣୀୟ କରାଯାଉଛି । ସୂଚନା ମୁତାବକ, ସଲମାନ ଖାନ୍ ଏହି ସିନ୍ଗୁଡ଼ିକରେ ସକ୍ରିୟ ଭାବେ ଅଂଶଗ୍ରହଣ କରୁଛନ୍ତି । ନିକଟରେ ତାଙ୍କ ପାଇଁ ଷ୍ଟଣ୍ଟ କରୁଥିବା ଜଣେ ବ୍ୟକ୍ତି ହୃଦ୍ଘାତର ଶିକାର ହୋଇଥିବା ଖବର ସାମ୍ନାକୁ ଆସିବା ପରେ, ନିର୍ମାତାମାନେ ଆକ୍ସନ୍ ସୁଟିଂ ସମୟରେ ଅଧିକ ସାବଧାନତା ଅବଲମ୍ବନ କରୁଛନ୍ତି । ତଥାପି, ସଲମାନ ନିଜ କାମକୁ ନେଇ ପୂର୍ଣ୍ଣ ସକ୍ରିୟ ଅଛନ୍ତି ଏବଂ ସୁଟିଂର ଗତି ମନ୍ଥର ହେବାକୁ ଦେବାକୁ ଚାହୁଁନାହାନ୍ତି । ଏହାସହ ସଲମାନ ଖାନ୍ ଖୁବ୍ ଶୀଘ୍ର ଛୋଟ ପରଦାକୁ ମଧ୍ୟ ଫେରୁଛନ୍ତି । ସେ ଲୋକପ୍ରିୟ ରିଆଲିଟି ଶୋ’ ‘ବିଗ୍ ବସ୍ ୨୦’ର ହୋଷ୍ଟ ଭାବେ ନଜର ଆସିବେ, ଯାହାର ପ୍ରିମିୟର ଆସନ୍ତା ସେପ୍ଟେମ୍ବର ୬, ୨୦୨୬ରେ ହେବାକୁ ଯାଉଛି । ବଡ଼ ବଜେଟ୍, ପାନ୍-ଇଣ୍ଡିଆ କାଷ୍ଟିଂ ଏବଂ ଦମଦାର ଆକ୍ସନ୍ ସହ ‘ମନଷ୍ଟର୍’ ଆଗାମୀ ଦିନରେ ଏକ ବଡ଼ ବ୍ଲକବ୍ଲଷ୍ଟର୍ ହେବାର ସମ୍ଭାବନା ରହିଛି ।
ସୌଜନ୍ୟ ପ୍ରମେୟ




