ରିୟାଦ୍ : ୟେମେନ ଗୃହଯୁଦ୍ଧକୁ ନେଇ ମୁହାଁମୁହିଁ ହୋଇଛନ୍ତି ଆରବ ଦୂନିଆର ଦୁଇ କ୍ଷମତାଶାଳୀ ରାଷ୍ଟ୍ର ସାଉଦି ଆରବ (Saudi Arabia) ଓ ୟୁଏଇ । ଏବେ ଏହି ବିବାଦରେ ଫସିଯାଇଛି ବିଚାରା ପାକିସ୍ତାନ (Pakistan) ।
ୟୁଏଇ ରାଷ୍ଟ୍ରପତି ମହମ୍ମଦ ବିନ ଜାୟେଦ୍ ଅଲ ନାହୟାନଙ୍କ ପାକିସ୍ତାନ ଗସ୍ତ ନେଇ ଇସ୍ଲାମାବାଦ ଉପରେ ଖପ୍ପା ହୋଇଯାଇଛନ୍ତି ସାଉଦି ଆରବର ପ୍ରିନ୍ସ ମହମ୍ମଦ ବିନ ସଲମାନ । ସ୍ଥିତି ଏପରି ହୋଇଛି ଯେ ସଲମାନ ପାକିସ୍ତାନୀ ନେତାମାନଙ୍କୁ ଭେଟିବାକୁ ମନା କରିଦେଇଛନ୍ତି। ଏପରିକି ପାକିସ୍ତାନ-ସାଉଦି ପ୍ରତିରକ୍ଷା ଚୁକ୍ତି ଉପରେ ବିପଦ ମାଡ଼ିଆସିଛି ।
ପୂର୍ବତନ ପାକିସ୍ତାନୀ ସେନା ମେଜର ଆଦିଲ ରାଜା ଦାବି କରିଛନ୍ତି ଯେ ୟୁଏଇ ରାଷ୍ଟ୍ରପତିଙ୍କ ପାକିସ୍ତାନ ଗସ୍ତ ଯୋଗୁଁ ମହମ୍ମଦ ବିନ୍ ସଲମାନ ପାକିସ୍ତାନ ସେନାମୁଖ୍ୟ ଅସୀମ ମୁନିର କିମ୍ବା ଅନ୍ୟ କୌଣସି ନେତାଙ୍କ ସହ ସାକ୍ଷାତ କରିବାକୁ ମନା କରିଦେଇଛନ୍ତି।
ୟେମେନକୁ ୟୁଏଇ ପକ୍ଷରୁ ଅସ୍ତ୍ରଶସ୍ତ୍ର ପ୍ରେରଣ ଯୋଗୁଁ ଖପ୍ପା ହୋଇ ସାଉଦି ଆରବ ଗତ ସପ୍ତାହରେ ୟେମେନର ଏକ ବନ୍ଦର ଉପରେ ବିମାନ ଆକ୍ରମଣ କରିଥିଲା । ଏହି ବିବାଦ ମଧ୍ୟରେ ସେପଟେ ୟୁଏଇ ରାଷ୍ଟ୍ରପତି ମହମ୍ମଦ ବିନ ଜାୟେଦ୍ ଅଲ ନାହୟାନ ପାକିସ୍ତାନ ଗସ୍ତ କରିଥିଲେ ଓ ତାଙ୍କୁ ନୂର ଖାଁ ଏୟାରବେସରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ସ୍ବାଗତ କରିଥିଲେ । ଏହାକୁ ନେଇ ପ୍ରିନ୍ସ ସଲମାନ ଖପ୍ପା ଅଛନ୍ତି । ଏହା ପରେ ତାଙ୍କୁ ମନାଇବାକୁ ପାକିସ୍ତାନ ସେନାମୁଖ୍ୟ ଅସିମ ମୁନୀର ରିୟାଦ ଯିବାକୁ ଚାହୁଁଥିଲେ । କିନ୍ତୁ ତାଙ୍କୁ ଭେଟିବାକୁ ସଲମାନ ମନାକରିଦେଇଥିଲେ ।
ସୌଜନ୍ୟ ସମ୍ବାଦ
