ରାଜ୍ୟ

SC କଲ୍ୟାଣ ପରାମର୍ଶଦାତା ବୋର୍ଡର ପୁନର୍ଗଠନ, ୨୦ ଜଣିଆ ସଦସ୍ୟଙ୍କୁ ନେଇ ଗଠନ ହେଲା ନୂଆ ବୋର୍ଡ

ଭୁବନେଶ୍ବର: ପୁନର୍ଗଠନ ହେଲା ଅନୁସୂଚିତ ଜାତି କଲ୍ୟାଣ ପରାମର୍ଶଦାତା ବୋର୍ଡ। ଅନୁସୂଚିତ ଜାତିଗୁଡ଼ିକର କଲ୍ୟାଣ, ବିକାଶ ଓ ସରକାରୀ ଯୋଜନାର କାର୍ଯ୍ୟକାରିତା ଉପରେ ପରାମର୍ଶ ଦେବା ପାଇଁ ଓଡ଼ିଶା ସରକାର ଏହାର ପୁନର୍ଗଠନ କରିଛନ୍ତି। ଏନେଇ ST & SC Development, M&BCW ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ତେବେ ନୂତନ ବୋର୍ଡର ଅଧ୍ୟକ୍ଷ ଭାବେ ମୁଖ୍ୟମନ୍ତ୍ରୀ ରହିଥିବା ବେଳେ ବିଭାଗୀୟ ମନ୍ତ୍ରୀଙ୍କୁ ଉପାଧ୍ୟକ୍ଷ ଦାୟିତ୍ୱ ଦିଆଯାଇଛି।

ଏହି ଆଦେଶ ମାଧ୍ୟମରେ ବୋର୍ଡରେ ଲୋକସଭା ସଦସ୍ୟ, ବିଧାୟକ ଏବଂ ବିଭିନ୍ନ ଅଞ୍ଚଳର ପ୍ରତିନିଧିମାନଙ୍କୁ ସଦସ୍ୟ ଭାବେ ସାମିଲ କରାଯାଇଛି। ନୂଆ ବୋର୍ଡରେ ଜଗତସିଂହପୁର ସାଂସଦ ବିଭୁ ପ୍ରସାଦ ତରାଇ ଏବଂ ଯାଜପୁର ସାଂସଦ ଡ଼. ରବିନ୍ଦ୍ର ନାରାୟଣ ବେହେରାଙ୍କୁ ସଦସ୍ୟ କରାଯାଇଛି। ସେହିପରି ବଡ଼ସାହିର ସନାତନ ବିଜୁଳି, ନିଆଳିର ଛବି ମଲ୍ଲିକ, ଛେଣ୍ଡିପଦାର ଅଗସ୍ତି ବେହେରା, ଅତାବିରାର ନିହାର ରଞ୍ଜନ ମହାନନ୍ଦ, କଟକ ସଦରର ପ୍ରକାଶ ଚନ୍ଦ୍ର ସେଠୀ, ହିନ୍ଦୋଳର ସିମାରାଣୀ ନାୟକ, ଛତ୍ରପୁରର କୃଷ୍ଣଚନ୍ଦ୍ର ନାୟକ, କୋରାପୁଟର ରଘୁରାମ ମାଛ, ରଘୁନାଥପାଲ୍ଲୀର ଦୁର୍ଗାଚରଣ ତନ୍ତୀ, ତିର୍ତ୍ତୋଲର ଡ଼. ରମାକାନ୍ତ ଭୋଇ ଏବଂ ଖଲ୍ଲିକୋଟର ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ବୋର୍ଡ ସଦସ୍ୟ ଭାବେ ମନୋନୀତ କରାଯାଇଛି।

ଏହାଛଡ଼ା ବୀରମହାରାଜପୁରର ରଘୁନାଥ ଜଗଦଲା, ପୂର୍ବତନ ବିଧାୟକ ବାଇଧର ମଲ୍ଲିକ, ନୂଆପଡ଼ାର ମନିଜର ଆରିୟା, ଅନୁଗୋଳର ଚନ୍ଦନ ସ୍ୱରାଜ ଏବଂ ମାଲକାନଗିରିର ନିମାଇ ଚନ୍ଦ୍ର ପାଲଙ୍କୁ ମଧ୍ୟ ସଦସ୍ୟ ଭାବେ ସ୍ଥାନ ମିଳିଛି। ବିଭାଗର ପ୍ରଧାନ ସଚିବ/କମିଶନର-ତଥା-ସଚିବ ବୋର୍ଡର ସଚିବ (Ex-officio) ଭାବେ କାର୍ଯ୍ୟ କରିବେ।

ଅନୁସୂଚିତ ଜାତି ସମ୍ପ୍ରଦାୟଙ୍କ ସାମାଜିକ, ଆର୍ଥିକ ଓ ଶିକ୍ଷାଗତ ଉନ୍ନତି ସମ୍ପର୍କିତ ବିଭିନ୍ନ ନୀତି, ଯୋଜନା ଓ କାର୍ଯ୍ୟକ୍ରମ ଉପରେ ସରକାରଙ୍କୁ ପରାମର୍ଶ ଦେବା ଏହି ବୋର୍ଡର ପ୍ରମୁଖ ଦାୟିତ୍ୱ ହେବ। ଏସ୍‌ସି ସମ୍ପ୍ରଦାୟଙ୍କ ପାଇଁ ଚାଲୁଥିବା କଲ୍ୟାଣମୂଳକ ଯୋଜନାର ଅଗ୍ରଗତି, ସମସ୍ୟା ଓ ସମାଧାନ ସମ୍ପର୍କରେ ବୋର୍ଡ ନିୟମିତ ଭାବେ ସରକାରଙ୍କୁ ମତାମତ ପ୍ରଦାନ କରିପାରିବ।

ନୂତନ ବୋର୍ଡରେ ସାଂସଦ, ବିଧାୟକ ଓ ବିଭିନ୍ନ ଜିଲ୍ଲାର ସାମାଜିକ ପ୍ରତିନିଧିମାନଙ୍କୁ ସ୍ଥାନ ଦିଆଯାଇଥିବାରୁ ଅନୁସୂଚିତ ଜାତି ସମ୍ପ୍ରଦାୟର ବିଭିନ୍ନ ଅଞ୍ଚଳଭିତ୍ତିକ ସମସ୍ୟା ଓ ଆବଶ୍ୟକତା ସରକାରଙ୍କ ନଜରକୁ ଆସିବାର ସୁଯୋଗ ବଢ଼ିବ। ଏହା ନୀତି ନିର୍ଦ୍ଧାରଣ ପ୍ରକ୍ରିୟାକୁ ଅଧିକ ଅଂଶଗ୍ରହଣମୂଳକ ଏବଂ ପ୍ରଭାବଶାଳୀ କରିବ ବୋଲି ପ୍ରଶାସନିକ ମହଳରେ ମତ ପ୍ରକାଶ ପାଉଛି।

 

 

 

ସୌଜନ୍ୟ Prameya News7

Show More
Back to top button