ରାଜ୍ୟ

SCB: ଏସ୍‌ସିବିରେ ପାରାସିଟାମଲ୍ ବି ନାହିଁ: ଟ୍ରାମାଡୋଲ୍, ଟ୍ରାନେକ୍ସାମିକ୍ ଏସିଡ୍, ଭିଟାମିନ୍‌-କେ ଅଭାବ

ଏସ୍‌ସିବିକୁ ଆସୁଥିବା ଗୁରୁତର ରୋଗୀଙ୍କ ପାଇଁ ଜରୁରିକାଳୀନ ଔଷଧର ଅଭାବ ଦେଖାଦେଇଛି। ଦୁର୍ଘଟଣାରେ ଆହତ ରୋଗୀଙ୍କ ରକ୍ତ ଜମାଟ ବାନ୍ଧିବା, ଯନ୍ତ୍ରଣା ଉପଶମ କରିବା ଭଳି ଔଷଧ ଏସ୍‌ସିବିରେ ନାହିଁ।

କଟକ: ଏସ୍‌ସିବିକୁ ଆସୁଥିବା ଗୁରୁତର ରୋଗୀଙ୍କ ପାଇଁ ଜରୁରିକାଳୀନ ଔଷଧର ଅଭାବ ଦେଖାଦେଇଛି। ଦୁର୍ଘଟଣାରେ ଆହତ ରୋଗୀଙ୍କ ରକ୍ତ ଜମାଟ ବାନ୍ଧିବା, ଯନ୍ତ୍ରଣା ଉପଶମ କରିବା ଭଳି ଔଷଧ ଏସ୍‌ସିବିରେ ନାହିଁ। ଗଲା ପ୍ରାୟ ୩ ମାସ ହେବ ୱାର୍ଡରେ ଏଭଳି ଔଷଧକୁ ନେଇ ସମସ୍ୟା ଲାଗି ରହିଛି। ଏ ସମ୍ପର୍କରେ ୱାର୍ଡ ପକ୍ଷରୁ ଯଦିଓ ଅବଗତ କରାଯାଇଛି, କିନ୍ତୁ ଏହି ଔଷଧଗୁଡ଼ିକ ଓଡ଼ିଶା ରାଜ୍ୟ ମେଡିକାଲ କର୍ପୋରେସନ୍ ଲିମିଟେଡ୍‌ ପକ୍ଷରୁ ପର୍ଯ୍ୟାପ୍ତ ଓ ନିୟମିତ ଭାବେ ଯୋଗାଣ କରାଯାଉନଥିବା କୁହାଯାଉଛି।

ୱାର୍ଡରେ ଏହି ଗୁରୁତ୍ବପୂର୍ଣ୍ଣ ଔଷଧ ମିଳୁନଥିବାରୁ ଡାକ୍ତରମାନେ ଚିକିତ୍ସା କରିବା ବେଳେ ସମସ୍ୟାରେ ପଡ଼ୁଛନ୍ତି। ଏସ୍‌ସିବି ମେଡିକାଲରେ କ୍ଲିନିକାଲ୍ ବିଭାଗ ମୋଟ ୩୭ଟି ଥିବା ବେଳେ ଆଉଟଡୋରକୁ ଆସୁଥିବା ରୋଗୀ ସଂଖ୍ୟା ଦୈନିକ ୫ରୁ ୮ ହଜାର ରହୁଛି। ଏଥିରୁ ୪୦୦ରୁ ୬୦୦ ରୋଗୀ ଇନ୍‌ଡୋରକୁ ସ୍ଥାନାନ୍ତର ହେଉଛନ୍ତି। ସାଧାରଣ ରୋଗୀ ନନ୍‌ ଟ୍ରମା ଓ ଦୁର୍ଘଟଣା କିମ୍ବା ଗଭୀର ଆଘାତ ଜନିତ ରୋଗୀ ଟ୍ରମା କାଜୁଆଲିଟିରେ ଚିକିତ୍ସିତ ହେଉଛନ୍ତି। ଏବେ ଏସ୍‌ସିବିରେ ଜରୁରିକାଳୀନ ଚିକିତ୍ସା ପାଇଁ ଗୁରୁତ୍ବପୂର୍ଣ୍ଣ ଔଷଧର ନିଅଣ୍ଟିଆ ସ୍ଥିତି ସୃଷ୍ଟି ହୋଇଛି।

ଟ୍ରାମାଡୋଲ୍, ଟ୍ରାନେକ୍ସାମିକ୍ ଏସିଡ୍, ଭିଟାମିନ୍‌-କେ ଅଭାବ
ଜରୁରିକାଳୀନ ରୋଗୀଙ୍କ ପାଇଁ ସମସ୍ୟା ଗୁରୁତ୍ବପୂର୍ଣ୍ଣ ଔଷଧ

ଏସ୍‌ସିବିରେ ନିରାମୟ ଓ ବିଭିନ୍ନ ବିଭାଗର ୱାର୍ଡକୁ ଦୁଇଟି ଉତ୍ସରୁ ଔଷଧ ଆସିଥାଏ। ଓଡ଼ିଶା ରାଜ୍ୟ ମେଡିକାଲ କର୍ପୋରେସନ୍ ଲିମିଟେଡ ପକ୍ଷରୁ ରାଷ୍ଟ୍ରାୟତ୍ତ କମ୍ପାନି ମାଧ୍ୟମରେ ୮୦ ପ୍ରତିଶତ ଔଷଧ ଓ ଇଂଜେକ୍ସନ ଯୋଗାଣ ହେଉଥିବା ବେଳେ ୨୦ ପ୍ରତିଶତ ସ୍ଥାନୀୟ ଟେଣ୍ଡରରେ ଖରିଦ କରାଯାଉଛି। ପାଖାପାଖି ୧୩ ଶହ ପ୍ରକାର ଔଷଧ ଓ ଇଞ୍ଜେକ୍ସନ ଏସ୍‌ସିବିକୁ ଯୋଗାଣ କରାଯାଉଛି। ଏସ୍‌ସିବିରେ ଡିଭିଡିଏମ୍‌ଏସ୍‌(ଡ୍ରଗ ଏଣ୍ଡ ଭ୍ୟାକ୍ସିନ ଡିଷ୍ଟ୍ରିବ୍ୟୁସନ ମ୍ୟାନେଜମେଣ୍ଟ ସିଷ୍ଟମ) ପୋର୍ଟାଲ ମାଧ୍ୟମରେ ଏସ୍‌ସିବିର ବିଭିନ୍ନ ବିଭାଗ ପକ୍ଷରୁ ଔଷଧ ସମ୍ପର୍କରେ ଅବଗତ କରିବେ। ସେହି ଅନୁଯାୟୀ ବିଭାଗର ବିଭିନ୍ନ ୱାର୍ଡକୁ ଔଷଧ ଯୋଗାଣ ହୋଇପାରିବ।

ଏବେ ମେଡିସିନ, ସର୍ଜରି, ଟ୍ରମା, ଅର୍ଥୋପେଡିକ ଇତ୍ୟାଦି ବିଭାଗରେ ଆବଶ୍ୟକ ହେଉଥିବା ଜରୁରି ଔଷଧ ନାହିଁ। ଟ୍ରାମାଡୋଲ୍ ନାମକ ଔଷଧ ପେନ୍ କିଲର ଭାବେ କାର୍ଯ୍ୟ କରିଥାଏ। ଟ୍ରାନେକ୍ସାମିକ୍ ଏସିଡ୍ ନାମକ ଔଷଧ ରକ୍ତସ୍ରାବ ବନ୍ଦ କରିବାରେ ସାହାଯ୍ୟ କରେ। ପାରାସିଟାମଲ୍ ସାଧାରଣ ଯନ୍ତ୍ରଣାନାଶକ ଏବଂ ଜ୍ୱର ପାଇଁ ବ୍ୟବହାର ହୋଇଥାଏ। ଭିଟାମିନ୍-କେ ଶରୀରରେ ସାଧାରଣ ଭାବେ ରକ୍ତ ଜମାଟ ବାନ୍ଧିବା ପ୍ରକ୍ରିୟାକୁ ସକ୍ରିୟ କରିବା ସହିତ ରକ୍ତସ୍ରାବ ରୋକିବାରେ ସାହାଯ୍ୟ କରିଥାଏ। ଗଲା ୩ ମାସ ହେବ ଏସ୍‌ସିବି ଔଷଧ ଭଣ୍ଡାରରେ ଏହି ଗୁରୁତ୍ବପୂର୍ଣ୍ଣ ଔଷଧଗୁଡ଼ିକ ନାହିଁ। ୱାର୍ଡରେ ରୋଗୀ ଏହି ଔଷଧ ପାଇପାରୁ ନାହାନ୍ତି। ଫଳରେ ଡାକ୍ତରମାନେ ଏହାକୁ ନେଇ ସମସ୍ୟାରେ ପଡ଼ିବା ସହିତ ଚିକିତ୍ସା ବ୍ୟବସ୍ଥା ପ୍ରଭାବିତ ହେଉଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button