ଭୁବନେଶ୍ୱର ୨୪।୦୩ : ବିଧାନସଭା ବଜେଟ୍ ଅଧିବେଶନ । ମଙ୍ଗଳବାର ବି ଗୃହ ଅଚଳ । ବିଧାନସଭା ଆରମ୍ଭ ହେବା ମାତ୍ରେ ବିରୋଧୀଙ୍କ ହଟ୍ଟଗୋଳ ଏବଂ ହଙ୍ଗାମା । ଯାହାଫଳରେ ବିଧାନସଭାକୁ ୧୧ ଟା ୩୦ ଯାଏଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢୀ ।
ଦିନ ଗଡ଼ୁଛି, ତଥାପି ବିଧାନସଭାରେ ଥମୁନି ହଟ୍ଟଗୋଳ । ସେହି ସମାନ ପ୍ରସଙ୍ଗ ନେଇ ବିରୋଧୀ ସଦସ୍ୟ ହଟ୍ଟଗୋଳ ଏବଂ ନାରାବାଜି କରୁଛନ୍ତି । ଏସ୍ସିବି ମେଡିକାଲ ପୋଡ଼ି ପ୍ରସଙ୍ଗ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିରୋଧୀ ଅଟଳ । ମଙ୍ଗଳବାର ଦିନ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧ ପ୍ରଦର୍ଶନ କରିଥିଲେ ବିରୋଧୀ । ଗୃହ ମଧ୍ୟଭାଗକୁ ହୋହାଲ୍ଲା କରିଥିଲେ । ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ବିରୋଧୀମାନେ ପ୍ଲାକାର୍ଡ ଧରି ନାରାବାଜି କରିଥିଲେ । ବାଚସ୍ପତି ବାରମ୍ବାର ଅନୁରୋଧ କରିବା ପରେ ବିରୋଧୀ ନିଜ ଜିଦ୍ରେ ଅଟଳ ରହିଥିଲେ । ଯାହାଫଳରେ ସାଢେ ୧୧ଟା ଯାଏଁ ବିଧାନସଭାକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢୀ ।
ସେପଟେ ବିଧାନସଭା ଅଧିବେଶନକୁ ସୁରୁଖୁରୁରେ ଚଲାଇବା ପାଇଁ ସୋମବାର ଦିନ ସର୍ବଦଳୀୟ ବୈଠକ ବସିଥିଲେ । ସମସ୍ତ ଦଳର ନେତା ଏବଂ ବାଚସ୍ପତିଙ୍କ ମଧ୍ୟରେ ହୋଇଥିଲା ବୈଠକ । ତାପରେ ବି କୌଣସି ସମାଧାନ ହୋଇପାରିନାହିଁ ।
ସୌଜନ୍ୟ Prameya News7
