SCB Tragedy: ତିନି ଦିନ ବିତିଲା କାର୍ଯ୍ୟାନୁଷ୍ଠାନ ଶୂନ, ଅଭିଜ୍ଞତା ନ ଥାଇ ଅଯୋଗ୍ୟଙ୍କୁ SCB ଅଧୀକ୍ଷକ କରିଛ: ବିଜେଡି

ଭୁବନେଶ୍ଵର: ଓଡ଼ିଶାରେ କଟକ ବଡ଼ ଡାକ୍ତରଖାନା ଅଗ୍ନିକାଣ୍ଡ ଘଟଣାରେ ବର୍ତ୍ତମାନ ସୁଦ୍ଧା ୧୩ ଜଣଙ୍କ ମୃତ୍ୟୁ ହୋଇଛି । ଘଟଣାକୁ ୩ ଦିନ ବିତି ଯାଇଥିଲେ ମଧ୍ୟ ସରକାର କଣ କରୁଛନ୍ତି ତାହା ଜଣାପଡିନି । ସୋମବାର ସୁଦ୍ଧା ଆସିବାକୁ ଥିବା ରିପୋର୍ଟ ବର୍ତ୍ତମାନ ସୁଦ୍ଧା ସାର୍ବଜନୀନ ହେଉନାହିଁ । ଏହାସହ ଏହି ଅଗ୍ନିକାଣ୍ଡ ପାଇଁ ଦାୟୀ କିଏ ତାହାକୁ ନେଇ ଶଙ୍ଖ ଭବନ ରେ ଆୟୋଜିତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ କରିଛି ବିଜେଡି। ଏହି ଘଟଣାରେ ସରକାର କଣ ନେଲେ କାର୍ଯ୍ୟନୁଷ୍ଠାନ ବୋଲି ମଧ୍ୟ ପ୍ରଶ୍ନ କରିଛି ବିଜେଡି ।

ଅଭିଜ୍ଞତା ନ ଥାଇ ଏସସିବି ଅଧୀକ୍ଷକ

ବିଜେଡି କହିଛି, ଯେଉଁଦିନ କଟକ ବଡ଼ ମେଡିକାଲରେ ନିଆଁ ଲାଗିଲା ସେଦିନ ଜଣେ କନିଷ୍ଠ ଡାକ୍ତର ଦାୟିତ୍ୱରେ ଥିଲେ । ଗୋଟେ ସମ୍ବେଦନଶୀଳ ଜାଗାରେ କିପରି ଜଣେ କନିଷ୍ଠ ଡାକ୍ତରଙ୍କୁ ଦାୟିତ୍ଵ ଦିଆଯାଇଥିଲା ତାହାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି । SCB ମେଡିକାଲ କଲେଜ ଓ ହସ୍ପିଟାଲର ଅଧୀକ୍ଷକ ଜଣେ ଅଯୋଗ୍ୟ ବ୍ୟକ୍ତି ହୋଇ ଜାଗା ଅଧିକାର କରିଛନ୍ତି ବୋଲି ସଙ୍ଗିନ ଅଭିଯୋଗ ଆଣିଛି ବିଜେଡି । ତାଙ୍କର ଅଭିଜ୍ଞତା ନ ଥାଏ ମଧ୍ୟ ସେ କିପରି ମେଡିକାଲ ଅଧୀକ୍ଷକ ହେଲେ ତାହାକୁ କିପରି ଅନୁମୋଦନ ମିଳିଲା ତାହାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି ।

୬ ମାସରେ ଥରେ ବି ହେଉନି ତଦାରଖ

ଡ. ଶତପଥୀ ଯେତେବେଳେ ବୁର୍ଲାରେ ନିଲମ୍ବିତ ହୋଇଥିଲେ ତାହାଙ୍କୁ କିଭଳି ଏତେ ବଡ଼ ପଦବୀ ମିଳିଲା ବୋଲି ପ୍ରଶ୍ନ କରିଛି ବିଜେଡି । ସେ ଆଉ ଜଣେ ଅତିରିକ୍ତ ଅଧିକ୍ଷକ ଭାବେ ଆଉ ଜଣଙ୍କୁ ନିଯୁକ୍ତି ଦେଲେ, ଯିଏ ଚୁକ୍ତିଭିତ୍ତିକ କାର୍ଯ୍ୟକର୍ତ୍ତା ଭାବେ ନିଯୁକ୍ତି ପାଇଛନ୍ତି । ସେଠାରେ ମେଡିକାଲ କାମ କମ୍ ହୋଇଛି, ନିର୍ଦ୍ଧିଷ୍ଟ ରାଜନୈତିକ ଦଳର କାର୍ଯ୍ୟ ଅଧିକ ହେଉଛି ବୋଲି ସଙ୍ଗିନ ଅଭିଯୋଗ ଆଣିଛି ବିଜେଡି । ନିୟମ ମୁତାବକ ପ୍ରତି ୬ ମାସରେ ଥରେ ପ୍ରତି ହସ୍ପିଟାଲରେ ବିଦ୍ୟୁତ୍ ବିଭାଗର ତଦାରଖ କରିବା ଆବଶ୍ୟକ । ଏହାକୁ ନିଜେ ମେଡିକାଲ ଅଧ୍ୟକ୍ଷଙ୍କ ତତ୍ତ୍ଵାବଧାନରେ ତଦାରଖ କରିବା ଆବଶ୍ୟକ ।

ପଦ ଛାଡ଼ ସ୍ଵାସ୍ଥ୍ୟ ମନ୍ତ୍ରୀ

ଅନ୍ୟପଟେ ଘଟଣା ଘଟିବା ଦିନ ନିଜେ ସ୍ୱାସ୍ଥ୍ୟମନ୍ତ୍ରୀ ପାରାଦୀପ ସମୁଦ୍ର କୂଳରେ ବୁଲୁଛନ୍ତି । ସେଠାରୁ ଫେରିବା ପରେ ବିଧାନସଭାରେ ଯୁକ୍ତିତର୍କ ବା ଗଣ୍ଡଗୋଳରେ ସାମିଲ ହେଉଛନ୍ତି । ହେଲେ ନିଜ ବିବେକ ଦୃଷ୍ଟିରୁ ଥରେ ହସ୍ପିଟାଲ ଗଲେ ନାହିଁ । କଟକ ବଡ଼ ମେଡିକାଲରେ ଅଗ୍ନିକାଣ୍ଡ ଘଟଣାରେ ମୁଖ୍ୟମନ୍ତ୍ରୀ ଙ୍କ ବିବୃତ୍ତି ଉପରେ ପ୍ରତିକ୍ରିୟା ରଖିଛି ବିଜେଡି । ପ୍ରାୟ ୨୦ ମାସର ସରକାର ପୂର୍ବ ସରକାରଙ୍କୁ ଏଥିପାଇଁ ଦାୟୀ କରିବା ଅତ୍ୟନ୍ତ ସମ୍ବେଦନଶୀଳ ବୋଲି କହିଛନ୍ତି ଦେବୀ ମିଶ୍ର। ପୁରା ଘଟଣାରେ ବିରୋଧିଦଳ ନେତା ନବୀନ ପଟ୍ଟନାୟକ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି । ନିଜ ବିବେକ ଦୃଷ୍ଟିରୁ ସ୍ୱାସ୍ଥ୍ୟମନ୍ତ୍ରୀ ନିଜ ପଦବୀ ଛାଡ଼ି ଦେବା ଦରକାର ବୋଲି ଦାବି କରିଛି ବିଜେଡି । ଏହାସହ ଏହି ଘଟଣାର ପ୍ରକୃତ ଦୋଷୀ ଙ୍କ ବିରୁଦ୍ଧରେ କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛି ବିଜେଡି।

ସୂଚନାଯୋଗ୍ୟ, ସୋମବାର ଭୋର ୨ଟା ୫୮ ମିନିଟରେ ରାଜ୍ୟର ସର୍ବବୃହତ ମେଡିକାଲ୍ କଲେଜ୍ ଏସସିବିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା। ଏହି ବଡ଼ ଘଟଣାରେ ଏ ପର୍ଯ୍ୟନ୍ତ ୧୩ ଜଣ ରୋଗୀଙ୍କ ମୃତ୍ୟୁ ଘଟି ସାରିଥିବା ଆଉ କିଛି ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଏହି ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ।

ସୌଜନ୍ୟ Prameya News7

Exit mobile version