Senior Citizens ବୋଉ ଫାଉଣ୍ଡେସନ୍ ବୟସ୍କଙ୍କ ନିମନ୍ତେ ଆରମ୍ଭ କରିବ ପ୍ରକଳ୍ପ ‘ରାହା’

ଭୁବନେଶ୍ୱର: ଭୁବନେଶ୍ୱର ସହରରେ ବୟସ୍କ ନାଗରିକମାନେ ଯେପରି ସମ୍ମାନଜନକ ଜୀବନଯାପନ କରିପାରିବେ ସେନେଇ ଏକ ସଂଗଠିତ ବ୍ୟବସ୍ଥା ଗଠନ କରିବାକୁ ବୋଉ ଫାଉଣ୍ଡେସନ୍ ଟ୍ରଷ୍ଟ୍ ଏକ ନୂତନ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛି। ’ରାହା’ ନାମକ ଏହି କାର୍ଯ୍ୟକ୍ରମ ସମ୍ପର୍କରେ ଆଜି ସଂଗଠନ ପକ୍ଷରୁ ଘୋଷଣା କରାଯାଇଛି।
“ରାହା” ସମ୍ପର୍କରେ ବୋଉ ଫାଉଣ୍ଡେସନ ର ଆଜି (ସୋମବାର) ଏକ ଗୁରୁତ୍ୱପୂର୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ, ବୋଉ ଫାଉଣ୍ଡେସନ ପ୍ରତିଷ୍ଠାତା ଅତିଶ ମହାନ୍ତି, ସହପ୍ରତିଷ୍ଠାତା ସସ୍ମିତା ଦାଶ, ବରିଷ୍ଠ ଆଇନଜୀବୀ ମଧୁମାଧବ ଜେନା, ଶିକ୍ଷାବିତ ତଥା ବିଶିଷ୍ଟ ଲେଖକ ଡ ରଜନୀରଞ୍ଜନ, ବୋଉ ଫାଉଣ୍ଡେସନ ଉପଦେଷ୍ଟା କବିତା ମହାନ୍ତି, କେଦାର ପୃଷ୍ଟି ପ୍ରମୁଖ ଯୋଗ ଦେଇ ନିଜର ମତାମତ ରଖିଥିଲେ।
ବୈଠକରେ, ପ୍ରକଳ୍ପ “ରାହା” ର ସମ୍ପର୍କସାରଥୀ ଭୂମିକା ନିର୍ବାହ ନିମନ୍ତେ ଜଣାଶୁଣା ବ୍ୟକ୍ତିତ୍ବ ଛନ୍ଦା ମିଶ୍ର , ଶ୍ରୁତକିର୍ତ୍ତୀ ତ୍ରିପାଠୀ ଏବଂ ଶ୍ଵେତା ରାଉତ ଙ୍କୁ ଚୟନ କରାଯାଇଛି। ପରେ ଭୁବନେଶ୍ୱରର ନିର୍ବାଚିତ ଜନପ୍ରତିନିଧିଙ୍କ ସହ ଆଲୋଚନା କରାଯିବ ଏବଂ ପ୍ରତ୍ୟେକ ୱାର୍ଡରୁ ଅଣରାଜନୈତିକ, ସାମାଜିକ ଚେତନାସମ୍ପନ୍ନ ଓ ଚିନ୍ତାଶୀଳ ୫ ଜଣ ବୟସ୍କ ପ୍ରତିନିଧିଙ୍କୁ ଚୟନ କରାଯିବ। ଜୁନ୍ ୩୦ ତାରିଖରେ ଗୀତଗୋବିନ୍ଦ ସଦନରେ ବିଏମସି କର୍ପୋରେଟର, ମେୟର, ପୁଲିସ ଓ ତିନି ବିଧାୟକଙ୍କ ସହ ଏକ ବୃହତ୍ ପରାମର୍ଶ କର୍ମଶାଳା ଆୟୋଜିତ ହେବ। ଏହା ପରେ ବୟସ୍କ ପ୍ରତିନିଧିଙ୍କ ସହ ସମ୍ପର୍କ ସ୍ଥାପନ, ପରାମର୍ଶ କୋର କମିଟି ଓ ପରିଚାଳନା କମିଟି ଗଠନ କରାଯିବ। ପ୍ରକଳ୍ପର ଭବ୍ୟ ଉଦଘାଟନ ଅକ୍ଟୋବର ୧ ତାରିଖ ଅନ୍ତର୍ଜାତୀୟ ବୟସ୍କ ଦିବସ ଦିନ ରବୀନ୍ଦ୍ର ମଣ୍ଡପ, ଭୁବନେଶ୍ୱରରେ ହେବ।
ଫାଉଣ୍ଡେସନ୍ରର ବୟସ୍କମିତ୍ର ସହର ନିମନ୍ତେ ପ୍ରମୁଖ ଉଦ୍ୟମ ଓ କାର୍ଯ୍ୟକ୍ରମ ମଧ୍ୟରୁ , ଜରୁରୀକାଳୀନ ସେବା ଏବଂ ଆଶ୍ୱାସନା ପ୍ରଦାନ କରୁଥିବା ଏକ ସମର୍ପିତ “୨୪ ଘଣ୍ଟିଆ ବୟସ୍କହେଲ୍ପଲାଇନ୍”, ନିଃସଙ୍ଗତାରେ ବାସ କରୁଥିବା ବୟସ୍କଙ୍କ ପାଇଁ “ଦ୍ୱାରସ୍ଥ ଜରୁରୀ ଔଷଧ ,ଖାଦ୍ୟ ଓ ସ୍ୱାସ୍ଥ୍ୟ ଯାଞ୍ଚ ସେବା”, ସମବୟସ୍କଙ୍କ ସହିତ ପୁରୁଣା ସ୍ମୃତି ଆଦାନ-ପ୍ରଦାନ ହସଖୁସି ,ଗପସପ ନିମନ୍ତେ ସହରର ବିଭିନ୍ନ ଜଣବସତି ସଡକ କଡ଼ରେ “ବୟସ୍କ ଆଡ୍ଡା” ସ୍ଥାପନ ଏବଂ ପରିଚାଳନା ଓ ସ୍ୱତନ୍ତ୍ର ଭାବେ ବୟସ୍କମନସ୍କ ପରିକଳ୍ପିତ ମନୋରଞ୍ଜନ ଏବଂ ସାଂସ୍କୃତିକ ନିୟମିତ କାର୍ଯ୍ୟକ୍ରମ “ରାହା”ଅନୁଷ୍ଠିତ କରାଯିବ ବୋଲି ଫାଉଣ୍ଡେସନ୍ର ମ୍ୟାନେଜିଂ ଟ୍ରଷ୍ଟି ଆତ୍ମଜା ମହାନ୍ତି କହିଛନ୍ତି।
ସୌଜନ୍ୟ ସମ୍ବାଦ




