ମୁମ୍ବାଇ: ବମ୍ବେ ଷ୍ଟକ୍ ବଜାରରେ ଆଜିର କାରବାରରେ ସେନସେକ୍ସ ୯୬୧ ପଏଣ୍ଟ ହ୍ରାସ ପାଇଛି। ଜାତୀୟ ଷ୍ଟକ୍ ଏକ୍ସଚେଞ୍ଜ୍ ସୂଚକାଂକ ନିଫ୍ଟି ମଧ୍ୟ ୩୧୭ ପଏଣ୍ଟ ହ୍ରାସ ପାଇଛି। ଆନ୍ତର୍ଜାତିକ ସ୍ତରରେ ଜାରି ରହିଥିବା ଭୂ-ରାଜନୈତିକ ସ୍ଥିତିକୁ ନେଇ ନିବେଶକମାନଙ୍କ ମଧ୍ୟରେ ଥିବା ଆଶଙ୍କା ଆଜି ଷ୍ଟକ୍ ବଜାରରେ ପ୍ରତିଫଳିତ ହୋଇଥିଲା। ସଂସ୍ଥାଗତ ନିବେଶକମାନେ ବଜାରରୁ ପୁଞ୍ଜି ଫେରାଇ ଦନବାର କେତେକ କଂପାନିଙ୍କ ସେୟାର ମୂଲ୍ୟରେ ଅବନତି ଘଟିଥିଲା। ଫଳରେ ସେନ୍ସେକ୍ସ ଆଜି ଦିନର ମଧ୍ୟବର୍ତ୍ତୀକାଳୀନ କାରବାରରେ ସର୍ବାଧିକ ୧୦୮୯ ପଏଣ୍ଟ ହ୍ରାସ ପାଇଥିଲା।
ପରେ ଏଥିରେ ସାମାନ୍ୟ ସୁଧାର ଆସିଥିଲା। ତେବେ ଆଜିର କାରବାର ବନ୍ଦ ବେଳକୁ ସେନ୍ସେକ୍ସ ୯୬୧ ପଏଣ୍ଟ ହ୍ରାସ ପାଇ ୮୧,୨୮୭.୧୯ରେ ପହଞ୍ଚିଥିଲା। ସନ୍ ଫାର୍ମା, ଭାରତୀ ଏୟାରଟେଲ୍, ଇଣ୍ଟରଗ୍ଲୋଭ୍ ଆଭିଏସନ୍, ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଓ ମାରୁତି ଭଳି କଂପାନିର ସେୟାର ମୂଲ୍ୟ ଉଲ୍ଲେଖନୀୟ ଭାବେ ହ୍ରାସ ପାଇଥିଲା। ଅନ୍ୟପକ୍ଷରେ ଆଜିର କାରବାରରେ ଏଚ୍ସିଏଲ, ଇନ୍ଫୋସିସ୍ ଭଳି କଂପାନିଙ୍କ ସେୟାର ମୂଲ୍ୟରେ ବୃଦ୍ଧି ପରିଲକ୍ଷିତ ହୋଇଥିଲା। ଷ୍ଟକ୍ ଏକ୍ସଚେଞ୍ଜ୍ ପକ୍ଷରୁ ପ୍ରଦାନ କରାଯାଇଥିବା ସୂଚନା ଅନୁଯାୟୀ, ଆଜି ଗୋଟିଏ ଦିନରେ ବିଦେଶୀ ସଂସ୍ଥାଗତ ନିବେଶକମାନେ ସେୟାର ବଜାରରୁ ୩୪୬୫.୯୯ କୋଟି ଟଙ୍କା ମୂଲ୍ୟର ପୁଞ୍ଜି ଉଠାଇ ନେଇଥିଲେ।
ସୌଜନ୍ୟ ସମ୍ବାଦ
