କରୁଣାନିଧିଙ୍କ ପଛରେ ଛିଡ଼ା ହୋଇଥିଲେ, ଏବେ ଡିଏମକେକୁ ଶାସନରୁ ବିଦା କଲେ; ଭାଇରାଲ ହେଉଛି ବିଜୟଙ୍କ ଫଟୋ

ନୂଆଦିଲ୍ଲୀ: ସରିଛି ତାମିଲନାଡୁରେ ଦଶନ୍ଧିର ସବୁଠୁ ବଡ଼ ନିର୍ବାଚନ। ଏହି ନିର୍ବାଚନର ଫଳାଫଳ ସହ ଥାଲାପତି ବିଜୟଙ୍କ ଦଳ ତାମିଲଗା ଭେଟ୍ଟ୍ରି କାଝାଗମ (TVK) ରାଜ୍ୟରେ ସବୁଠୁ ବଡ଼ ପାର୍ଟି ଭାବରେ ଉଭା ହୋଇଛି। ହେଲେ ଏହି ନୂଆ ପରିବର୍ତ୍ତନ ମଧ୍ୟରେ ଭାଇରାଲ ହେଉଛି ଏକ ପୁରୁଣା ଫଟୋ। ଫଟୋଟି ହେଉଛି ଏମ କରୁଣାନିଧିଙ୍କ ପଛରେ ଛିଡ଼ା ହୋଇଥିବା ଜଣେ ବାଳକର।
ଏହି ଫଟୋ ଫିଲ୍ମ ନିର୍ମାତା ରାମ ଗୋପାଳ ବର୍ମା ଏକ୍ସରେ ସେୟାର କରିଛନ୍ତି। ଫଟୋରେ ଥିବା ଏହି ଯୁବକ ଜଣକ ହେଉଛନ୍ତି ବିଜୟ। ଆଉ ଆଜି ବିଜୟଙ୍କ ଦଳ ହିଁ କରୁଣାନିଧିଙ୍କ ଦ୍ବାରା ଗଠିତ ରାଜନୈତିକ ବଂଶକୁ ଧ୍ବଂସ କରିଛି। ଫଟୋ ସେୟାର କରି ରାମ ଗୋପାଳ ବର୍ମା ଲେଖିଛନ୍ତି, ‘‘କଲାଇନଗର କେବେ ସ୍ବପ୍ନରେ ଭାବି ନଥିବେ ଯେ, ତାଙ୍କ ପଛରେ ଛିଡ଼ା ହୋଇଥିବା ଏହି ଯୁବକ ଦିନେ ତାଙ୍କ ପାର୍ଟିକୁ ନଷ୍ଟ କରିଦେବ।’’
ଭାଇରାଲ ହେଉଛି ଫଟୋ
ତେବେ ଏହି ପୋଷ୍ଟ ଏବେ ଅନଲାଇନରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ମାତ୍ର କିଛି ଘଣ୍ଟାରେ ହିଁ ଏହାକୁ ୧୦ ଲକ୍ଷରୁ ଅଧିକ ଥର ଦେଖାଯାଇଛି ଏବଂ ପ୍ରାୟ ୧୦ ହଜାର ଥର ରିଟିଟ୍ବ କରାଯାଇଛି। କାରଣ ତାମିଲନାଡୁରେ ନିର୍ବାଚନ ପରେ ଚର୍ଚ୍ଚା ଶୀର୍ଷରେ ରହିଛି।
୫ ଦଶନ୍ଧି ଯାଏ ଡିଏମକେ ମୁଖ୍ୟ ଥିଲେ କରୁଣାନିଧି
କରୁଣାନିଧି ପାଞ୍ଚ ଦଶକ ପର୍ଯ୍ୟନ୍ତ ଡିଏମକେର ସେବା କରିଥିଲେ। ୧୯୬୯ରୁ ଅଗଷ୍ଟ ୨୦୧୮ରେ ମୃତ୍ୟୁ ପର୍ଯ୍ୟନ୍ତ ସେ ପାର୍ଟି ମୁଖ୍ୟ ରହିଥିଲେ। ତାଙ୍କ ନେତୃତ୍ବରେ ଡିଏମକେ ଭାରତର ସବୁଠୁ ଶକ୍ତିଶାଳୀ ଆଞ୍ଚଳିକ ଦଳରୁ ଗୋଟିଏ ହୋଇଥିଲା। ଯାହା ପିଢ଼ୀ ପରେ ପୀଢ଼ି ପର୍ଯ୍ୟନ୍ତ ତାମିଲନାଡ଼ୁର ସାଂସ୍କୃତିକ ଏବଂ ରାଜନୈତିକ ପରିଚୟକୁ ଆକାର ଦେବାରେ ସଫଳ ହୋଇଥିଲା । ତାଙ୍କ ପୁଅ ଏମକେ ଷ୍ଟାଲିନ ମଧ୍ୟ ଦଳର ମଙ୍ଗ ଧରିଥିଲେ ଏବଂ ୨୦୨୧ରେ ଐତିହାସିକ ଭାବରେ ୧୫୯ ସିଟରେ ବିଜୟ ହୋଇ ଶାସନକୁ ଆସିଥିଲେ।
ବିଜୟଙ୍କ ବାପା ଥିଲେ ଫିଲ୍ମ ନିର୍ମାତା
ବିଜୟଙ୍କ ବାପା ଏସ.ଏ ଚନ୍ଦ୍ରଶେଖର ଜଣେ ଅନୁଭବୀ ଫିଲ୍ମ ନିର୍ମାତା। ବୋଧ ହୁଏ ଏହି କାରଣରୁ ବିଜୟ କରୁଣାନିଧିଙ୍କ କାର୍ଯ୍ୟକ୍ରମରେ ଅତିଥି ଭାବରେ ଉପସ୍ଥିତି ହୋଇଥିଲେ। ଆଉ ସେ ସମୟରେ ସେଠାରେ ଥିବା କେହିବି ବ୍ୟକ୍ତି କେବେ କଳ୍ପନା କରିନଥିବେ ଫଟୋରେ ଥିବା ଏହି ବାଳକ ଦିନେ ରାଜ୍ୟର ପ୍ରତିନିଧିତ୍ବ କରିବ।
ଏହି ଫଟୋ ଭାଇରାଲ ହେବା ପଛରେ ବି କାରଣ ରହିଛି। କାରଣ ବିଜୟଙ୍କ ରାଜନୈତିକ ଅଦ୍ଭ୍ୟୁଦୟକୁ ନେଇ ଅନଲାଇନରେ ଚର୍ଚ୍ଚାର ଜାରି ରହିଛି। ଅନେକ ତାଙ୍କ ଫିଲ୍ମର ଲୋକପ୍ରିୟତା ଏବଂ ତାଙ୍କ ଅପ୍ରତ୍ୟାଶିତ ରାଜନୈତିକ ଉତଥାନ ମଧ୍ୟରେ ସମାନତା ଥିବା କହୁଛନ୍ତି।
ସୌଜନ୍ୟ Prameya News7




