ରାଜ୍ୟ

Tigress Death: ଶିମିଳିପାଳରେ ରହସ୍ୟମୟ ଭାବେ ମାଈ ବାଘର ମୃତ୍ୟୁ

ପ୍ରାଥମିକ ଯାଞ୍ଚରେ ବାଘର ଶରୀରରେ କୌଣସି ଆଘାତ ଚିହ୍ନ କିମ୍ବା ମୃତ୍ୟୁର ଅନ୍ୟ କୌଣସି ସ୍ପଷ୍ଟ କାରଣ ମିଳିନଥିବା ଜଣାପଡ଼ିଛି। ତେବେ ମୃତ୍ୟୁର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ବୈଶିଙ୍ଗା: ଶିମିଳିପାଳ ଟାଇଗର ରିଜର୍ଭରେ ପୁଣି ଏକ ମାଈ ବାଘର ମୃତ୍ୟୁ ଘଟଣା ଚିନ୍ତା ବଢ଼ାଇଛି। ଶିମିଳିପାଳ ଦକ୍ଷିଣ ବନଖଣ୍ଡ ଅଧୀନ UBK ରେଞ୍ଜର ଜଟିଆଣୀ କ୍ୟାମ୍ପ ନିକଟସ୍ଥ କୋର୍ ଅଞ୍ଚଳରୁ ପ୍ରାୟ ୫ ବର୍ଷ ବୟସର ଏକ ମାଈ ବାଘର ମୃତଦେହ ଉଦ୍ଧାର କରାଯାଇଛି। ବାଘଟି Pseudo Melanistic ପ୍ରଜାତିର ବୋଲି ପ୍ରେସ୍ ନୋଟ୍‌ରେ ଉଲ୍ଲେଖ ରହିଛି।

ସୂଚନା ଅନୁଯାୟୀ, ୬ ଅଗଷ୍ଟ ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଜଟିଆଣୀ କ୍ୟାମ୍ପର ପାଟ୍ରୋଲିଂ କର୍ମଚାରୀମାନେ ବାଘର ମୃତଦେହ ଠାବ କରିଥିଲେ। ଖବର ପାଇ ଶିମିଳିପାଳ ଟାଇଗର ରିଜର୍ଭର ଫିଲ୍ଡ ଡାଇରେକ୍ଟର ଘଟଣାସ୍ଥଳ ପରିଦର୍ଶନ କରିବା ସହ ତଦନ୍ତ ଆରମ୍ଭ କରିଥିଲେ।

NTCA SOP ଅନୁଯାୟୀ ପୋଷ୍ଟମର୍ଟମ୍

୭ ଅଗଷ୍ଟରେ ନ୍ୟାସନାଲ୍ ଟାଇଗର କନ୍ଜରଭେସନ୍ ଅଥରିଟି (NTCA)ର ନିର୍ଦ୍ଧାରିତ SOP ଅନୁଯାୟୀ ବିଶେଷଜ୍ଞ ଟିମ୍ ଦ୍ୱାରା ବାଘର ପୋଷ୍ଟମର୍ଟମ୍ କରାଯାଇଥିଲା। ଏଥିରେ ଶିମିଳିପାଳ ଟାଇଗର ରିଜର୍ଭର ଫିଲ୍ଡ ଡାଇରେକ୍ଟରଙ୍କ ସମେତ ପ୍ରାଣୀ ଚିକିତ୍ସକ ଓ ବନ୍ୟଜନ୍ତୁ ବିଶେଷଜ୍ଞମାନେ ସାମିଲ ଥିଲେ।

ପ୍ରାଥମିକ ଯାଞ୍ଚରେ ବାଘର ଶରୀରରେ କୌଣସି ଆଘାତ ଚିହ୍ନ କିମ୍ବା ମୃତ୍ୟୁର ଅନ୍ୟ କୌଣସି ସ୍ପଷ୍ଟ କାରଣ ମିଳିନଥିବା ଜଣାପଡ଼ିଛି। ତେବେ ମୃତ୍ୟୁର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ନମୁନା ଗଲା OUATକୁ

ବାଘର ଶରୀରରୁ ଆବଶ୍ୟକ ଜୈବିକ ନମୁନା ସଂଗ୍ରହ କରାଯାଇଛି। ବିଷାକ୍ତତା, ପାଥୋଲୋଜିକାଲ୍ ଓ ଅନ୍ୟାନ୍ୟ ପରୀକ୍ଷା ପାଇଁ ନମୁନାଗୁଡ଼ିକୁ OUAT ଅଧୀନ ସେଣ୍ଟର ଫର୍ ୱାଇଲ୍ଡଲାଇଫ୍ ହେଲ୍ଥ୍ (CWH), ଭୁବନେଶ୍ୱରକୁ ପଠାଯାଇଛି। ଲାବୋରେଟୋରୀ ରିପୋର୍ଟ ଆସିବା ପରେ ହିଁ ବାଘର ମୃତ୍ୟୁର ସଠିକ୍ କାରଣ ଜଣାପଡ଼ିବ।

ଦାହ ପ୍ରକ୍ରିୟାର ହେଲା ଭିଡିଓଗ୍ରାଫି

ପୋଷ୍ଟମର୍ଟମ୍ ସମାପ୍ତ ପରେ ଫିଲ୍ଡ ଡାଇରେକ୍ଟର ଓ ବନ ବିଭାଗର କର୍ମଚାରୀଙ୍କ ଉପସ୍ଥିତିରେ ବାଘର ମୃତଦେହକୁ ଦାହ କରାଯାଇଥିଲା। ପୋଷ୍ଟମର୍ଟମ୍‌ଠାରୁ ଆରମ୍ଭ କରି ଦାହ ପ୍ରକ୍ରିୟା ସମାପ୍ତ ହେବା ପର୍ଯ୍ୟନ୍ତ ସମଗ୍ର ପ୍ରକ୍ରିୟାକୁ ନିର୍ଦ୍ଧାରିତ ପ୍ରୋଟୋକଲ୍ ଅନୁଯାୟୀ ଭିଡିଓଗ୍ରାଫ୍ ଓ ଫଟୋଗ୍ରାଫ୍ କରାଯାଇଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି।

ଏବେ ସମସ୍ତଙ୍କ ନଜର ଲାବୋରେଟୋରୀ ରିପୋର୍ଟ ଉପରେ। ରିପୋର୍ଟ ଆସିବା ପରେ ହିଁ ଏହି ମାଈ ବାଘର ମୃତ୍ୟୁ ପଛରେ ପ୍ରକୃତ କାରଣ କ’ଣ, ତାହା ସ୍ପଷ୍ଟ ହେବ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button