ଦେଶ ବିଦେଶ

Sofia Firdous: ବାପା ମୋକିମଙ୍କ କାର୍ଯ୍ୟକ୍ରମରେ ଯୋଗ ଦେଇ ଅଡ଼ୁଆରେ ସୋଫିଆ, ରଦ୍ଦ ହେବ କି ବିଧାୟକ ପଦ !

ଭୁବନେଶ୍ଵର: ମହମ୍ମଦ ମୋକିମଙ୍କ ଓଡ଼ିଶା ଜନତା କଂଗ୍ରେସ ପାର୍ଟିର ଲଞ୍ଚିଂ କାର୍ଯ୍ୟକ୍ରମରେ କଟକ ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋସ ଯୋଗ ଦେବା ବେଳଠାରୁ ହିଁ ବିବାଦର ଗନ୍ଧ ଆସିଥିଲା। ସେହିଠାରେ ହିଁ ସୋଫିଆ କହିଥିଲେ ବାପାଙ୍କ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ହେଲେ ଆଜି ବିବାଦ ଅଧିକ ଘନୀଭୁତ ହୋଇଛି ଆଉ କଂଗ୍ରେସର ତୀର ସୋଫିଆଙ୍କ ଆଡକୁ ମୁହାଁଇଛି।

  • ଓଜେସି ପାଇଁ ଦାୟୀ ନା କଂଗ୍ରେସ ପାଇଁ ଦାୟୀ
  • ସୋଫିଆଙ୍କ ଆଗରେ କଂଗ୍ରେସର ପ୍ରଶ୍ନ
  • କଂଗ୍ରେସ ଏବେ ପ୍ରମାଣ ସହ ବାଚସ୍ପତିଙ୍କୁ ଲେଖିବ
  • କଣ ସୋଫିଆଙ୍କ ବିଧାୟକ ପଦ କଂଗ୍ରେସ ଛଡ଼ାଇ ନେବ?

ଓଡିଶା ଜନତା କଂଗ୍ରେସ ପ୍ରତିଷ୍ଠା ଉତ୍ସବରେ ଯୋଗଦେବାକୁ ନେଇ ସୋଫିଆଙ୍କୁ ଟାର୍ଗେଟ କରିଛି କଂଗ୍ରେସ। ବାପା ମହମଦ ମୋକିମଙ୍କ ନୂଆ ଆଞ୍ଚଳିକ ଦଳ ଓଡ଼ିଶା ଜନତା କଂଗ୍ରେସ ପ୍ରତିଷ୍ଠା ମଞ୍ଚରେ, ସୋଫିଆ ସାମିଲ ହେବା ଓ ଭାଷଣ ଦେବାକୁ ନେଇ ଚିହିଁକି ଉଠିଛି କଂଗ୍ରେସ । ବାଚସ୍ପତିଙ୍କୁ ସୋଫିଆଙ୍କ ସଭ୍ୟ ପଦ ରଦ୍ଦ ପାଇଁ ପ୍ରମାଣ ସହ ଚିଠି ଲେଖିବ ବୋଲି କହିଛି। କଂଗ୍ରେସ ଅଭିଯୋଗର ତାଲିକା ଗଣିଛି।

୧- ସୋଫିଆ ରାଷ୍ଟ୍ରପତି ନିର୍ବାଚନ ସମୟରେ ଦଳ ବିରୋଧୀ ବୟାନ ଦେଇଥିଲେ।

୨- ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ କରି ଦଳକୁ ଧୋକା ଦେଲେ।

୩ – ଏବେ କଂଗ୍ରେସରୁ ବହିଷ୍କୃତ ମହମ୍ମଦ ମୋକିମଙ୍କ ନୂଆ ଆଞ୍ଚଳିକ ଦଳର ସଭାରେ ସେ ସାମିଲ ହୋଇଛନ୍ତି।

ଯାହା ପ୍ରମାଣିତ କରୁଛି ସୋଫିଆ ଆଉ କଂଗ୍ରେସ ସହ ନାହାଁନ୍ତି । ଦଶମ ଅନୁଚ୍ଛେଦ ଅନୁସାରେ ତାଙ୍କର ସଭ୍ୟପଦ ରଦ୍ଦ ପାଇଁ ବାଚସ୍ପତିଙ୍କୁ ଚିଠି ଲେଖାଯିବ ବୋଲି କଂଗ୍ରେସ କହିଛି। ସେପଟେ କଟକ ନଗର କଂଗ୍ରେସ ନିନ୍ଦା ପ୍ରସ୍ତାବ ପାସ କରିଛି। ସୋଫିଆ ଇସ୍ତଫା ଦେଇ ଆଉ ଥରେ ନିର୍ବାଚନ ଲଢ଼ିବାକୁ ଆହ୍ବାନ ଦେଇଛି। ଫିର୍ଦ୍ଦୋସ କହିଛନ୍ତି ସେ ନିର୍ଦ୍ଦୋଷ। ଓଜେସି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ତାଙ୍କୁ ଅତିଥି ଭାବେ ନିମନ୍ତ୍ରଣ କରାଯାଇଥିଲା । ବାପାଙ୍କ ନୂଆ କାର୍ଯ୍ୟକ୍ରମ, ତେଣୁ ସେ ଯାଇଥିଲେ। ଦଳ ମୋତେ ନିଲମ୍ବିତ କରିଥିଲେ ବି ମୁଁ ଏବେବି ଦଳରେ ଅଛି ବୋଲି ସେ କହିଛନ୍ତି।

ସେପଟେ ମହମ୍ମଦ ମୋକିମ କହିଛନ୍ତି କି, ଦଳର ଲୋକାର୍ପଣ ଉତ୍ସବରେ ଅନେକ ବିଶିଷ୍ଟ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରିଥିଲୁ। ପ୍ରାୟ ସମସ୍ତେ ଆସିଥିଲେ, ସୋଫିଆ ବି ଆସିଥିଲେ। କଂଗ୍ରେସର ଆଭ୍ୟନ୍ତରୀଣ ବ୍ୟାପାରରେ ସେ ଟିପ୍ପଣୀ କରିବେନି ବୋଲି କହିଛନ୍ତି। ରାଜନୈତିକ ସମୀକ୍ଷକଙ୍କ କହିବା କଥା ବାଚସ୍ପତିଙ୍କ ଉପରେ ନିର୍ଭର କରେ ସୋଫିଆଙ୍କ ସଭ୍ୟପଦ ରହିବ ନା ରଦ୍ଦ ହେବେ।

ପୂର୍ବରୁ ଏଭଳି ବିହାରରେ ଦେଖିବାକୁ ମିଳିଥିଲା, ଜେଡିୟୁ ନେତା ଶରଦ ଯାଦବଙ୍କ ସଭ୍ୟ ପଦ ରଦ୍ଦ ହୋଇଥିଲା। ଏବେ ସୋଫିଆଙ୍କ ସଫେଇ ପରେ କଂଗ୍ରେସ ସନ୍ତୁଷ୍ଟ ହେଉଛି ନା ନାହିଁ, ବାଚସ୍ପତି କି ନିଷ୍ପତ୍ତି ନେଉଛନ୍ତି ତା ଉପରେ ନଜର।

 

 

 

ସୌଜନ୍ୟ Prameya News7

Show More
Back to top button