ମହାନଗର

Show cause notice: ଅଟୋଚାଳକଙ୍କୁ କାରଣଦର୍ଶାଅ ନୋଟିସ: ଆଜି ଦେବେ ଜବାବ, ଝାରପଡ଼ା ଜେଲ ବାହାରେ ପରିବାରଙ୍କ ଭିଡ଼

ଭୁବନେଶ୍ବର ରିଜର୍ଭ ପୁଲିସ ଗ୍ରାଉଣ୍ଡରେ ଅନ୍‌ଲାଇନ୍‌ ଅଟୋଚାଳକଙ୍କ ଜବତ ହୋଇଥିବା ଅଟୋ ଜମା ହୋଇ ରହିଛି। ଗିରଫ ଭୟରେ କେତେକ ଅନ୍‌ଲାିନ୍‌ ଅଟୋଚାଳକ ରାଜଧାନୀ ଛାଡ଼ିଦେଇଛନ୍ତି।

ଭୁବନେଶ୍ବର: ଭୁବନେଶ୍ବର ରିଜର୍ଭ ପୁଲିସ ଗ୍ରାଉଣ୍ଡରେ ଅନ୍‌ଲାଇନ୍‌ ଅଟୋଚାଳକଙ୍କ ଜବତ ହୋଇଥିବା ଅଟୋ ଜମା ହୋଇ ରହିଛି।  ଗିରଫ ଭୟରେ କେତେକ ଅନ୍‌ଲାିନ୍‌ ଅଟୋଚାଳକ  ରାଜଧାନୀ ଛାଡ଼ିଦେଇଛନ୍ତି। ଅନ୍ୟପଟରେ ଜବତ ଅଟୋର ପରମିଟ୍‌ ବାତିଲ କରିବାକୁ ପରିବହନ ବିଭାଗ ପକ୍ଷରୁ ଅଟୋମାଲିକଙ୍କୁ ଦିଆଯାଇଥିବା କାରଣଦର୍ଶାଅ ନୋଟିସର ଆସନ୍ତାକାଲି ଶେଷ ଦିନ ରହିଛି। ଏନେଇ ଅଟୋ ଅନ୍‌ଲାଇନ୍‌ ଅଟୋ ଚାଳକ ସଂଘ ପକ୍ଷରୁ କୁହା‌ଯାଇଛି ‌ଯେ ପୁଲିସ ଅଟୋ ଜବତ କରିବା ପରେ ଗାଡ଼ିର ଭବିଷ୍ୟତ ନେଇ ଅନିଶ୍ଚିତତା ଦେଖାଦେଇଛି। ତେଣୁ ସରକାର ଗାଡ଼ି ନ ଛାଡ଼ିଲେ, ଜେଲ ଭିତରେ ଅନଶନ କରିବାକୁ ଅଟୋ ଚାଳକମାନେ ଚେତାବନୀ ଦେଇଛନ୍ତି।

ସୂଚନା ଅନୁସାରେ, ଗତ ୧୭ ତାରିଖରେ ସ୍ମାର୍ଟ ସିଟି ଅନ୍‌ଲାଇନ୍‌ ଅଟୋଚାଳକ ମିଳିତ ମଞ୍ଚ ପକ୍ଷରୁ ବିଭିନ୍ନ ଦାବି ନେଇ ଆନ୍ଦୋଳନ ଡକାଯାଇଥିଲା। ଏଥିରେ ୨୦ଟି ସଂଘ ସମର୍ଥନ ଜଣାଇଥିଲା। ବିଶେଷ କରି ଭଡ଼ା ବୃଦ୍ଧି, ବାତିଲ ଫି ପ୍ରଦାନ, ସବୁ ଅନ୍‌ଲାଇନ୍‌ କମ୍ପାନି ପାଇଁ ଗୋଟିଏ ଦର ଆଦି ଦାବି ମଞ୍ଚ ପକ୍ଷରୁ କରାଯାଇଥିଲା। କିନ୍ତୁ ୧୯ ତାରିଖରେ ଏହି ଆନ୍ଦୋଳନ ହିଂସାତ୍ମକ ହୋଇପଡ଼ିଥିଲା। ମାଷ୍ଟରକ୍ୟାଣ୍ଟିନ ଛକ‌ରେ ଅଟୋଚାଳକମାନେ ରାସ୍ତା ଉପରେ ଅଟୋ ରଖି ରାସ୍ତା ବ୍ଲକ୍‌ କରିଥିଲେ। ପୁଲିସକୁ ଆନ୍ଦୋଳନକାରୀମାନେ ଢେଲା ମାଡ଼ କରିବା ସହିତ ସାଧାରଣ ଲୋକଙ୍କ ଗାଡ଼ି, ପୁଲିସ ଭ୍ୟାନ୍‌ ଓ ୧୫ରୁ ଅଧିକ ‘ଆମ ବସ’କୁ ଭାଙ୍ଗି ଦେଇଥିଲେ। ଏହି ଘଟଣାରେ ସ୍ମାର୍ଟ ସିଟି ଅନ୍‌ଲାଇନ୍‌ ଅଟୋ ଚାଳକ ସଂଘର ମୁଖ୍ୟ ଦୀନବନ୍ଧୁ ନାୟକଙ୍କ ସମେତ ଏପର୍ଯ୍ୟନ୍ତ ମୋଟ୍‌ ୧୧୪ ଜଣଙ୍କୁ ଖାରବେଳନଗର ଥାନା ପୁଲିସ ଗିରଫ କରିଛି। ଏହାସହିତ ୩୫୪ ଟି ଅଟୋକୁ ଜବତ କରିଛି। ଏହାସହିତ ଗାଡ଼ି ମାଲିକମାନଙ୍କ ଗାଡ଼ିର ପରମିଟ୍ ଏବଂ ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ୍ କାହିଁକି ବାତିଲ କରାଯିବ ନାହିଁ, ସେ ନେଇ ପରିବହନ ବିଭାଗ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ଏହି ନୋଟିସ୍‌ର ଉତ୍ତର ଦେବାକୁ ଆସନ୍ତାକାଲି ପର୍ଯ୍ୟନ୍ତ ସମୟ ଦିଆଯାଇଛି। ଅନ୍ୟ ପକ୍ଷରେ ବେଆଇନ ଭାବେ ରାସ୍ତା ବ୍ଲକ୍‌ କରିବା ପାଇଁ ସମସ୍ତ ଅଟୋକୁ ୫୦୦ ଟଙ୍କା ଲେଖାଏଁ ଜରିମାନା କରାଯାଇଛି।  ଅନ୍ୟ ପକ୍ଷରେ ଆନ୍ଦୋଳନ ପରେ ବହୁ ଚାଳକ ଅନ୍‌ଲାଇନ୍‌ କମ୍ପାନିରୁ ନିଜକୁ ଦୂରେଇ ଦେଇ ଅଫ୍‌ଲାଇନ୍‌ ଅଟୋ ଚଳାଉଛନ୍ତି। ଗିରଫ ଭୟରେ ବହୁ ଅଟୋ ଚାଳକ ଭୁବନେଶ୍ବର ଛାଡ଼ି ଗାଁକୁ ପଳାଇଥିବା ମଧ୍ୟ ଜଣାପଡ଼ିଛି।

ଝାରପଡ଼ା ଜେଲ ବାହାରେ ପରିବାରଙ୍କ ଭିଡ଼
ମୋ ସ୍ବାମୀ ପୁଲିସକୁ ଆକ୍ରମଣ କିମ୍ବା କୌଣସି ଭଙ୍ଗାରୁଜାରେ ସାମିଲ ନଥିଲେ, କିନ୍ତୁ ପୁଲିସ ତାଙ୍କୁ ଜୋରଜବରଦସ୍ତ ଗିରଫ କରିଛି।‌ ମୋ ପୁଅକୁ ଛାଡ଼ି ଦିଅନ୍ତୁ ବୋଲି ଏଭଳି କହି ଆଜି ଝାରପଡ଼ା ଜେଲ ସମ୍ମୁଖରେ ପରିବାର ଲୋକ କାନ୍ଦକଟା କରିଥିଲେ। କେବଳ ବାହାରେ ନୁହେଁ ଭିତରେ ମଧ୍ୟ ବହୁ ଅଟୋ ଚାଳକଙ୍କୁ ପୁଲିସ ମିଛରେ କୋର୍ଟଚାଲାଣ କରିଥିବା କହୁଛନ୍ତି। ଏବେ ଝାରପଡ଼ା ଜେଲ୍‌ରେ ମୋଟ୍‌ ୧୧୪ ଜଣ ଅଟୋ ଚାଳକଙ୍କୁ ରଖାଯାଇଛି। ଭିନ୍ନ ଭିନ୍ନ ‌‌ସେଲ୍‌ରେ ସେମାନଙ୍କୁ ରଖାଯାଇଛି। ପ୍ରତିଦିନ ୪୦ରୁ ୫୦ ଜଣ ଅଟୋଚାଳକଙ୍କ ପରିବାର ଲୋକେ ସେମାନଙ୍କୁ ଭେଟିବାକୁ ଆସୁଛନ୍ତି।  ଅନ୍ୟପକ୍ଷରେ, ଏତେ ସଂଖ୍ୟକ କଏଦୀ ଝାରପଡ଼ା ଜେଲ୍‌ରେ ରହିବା ଫଳରେ ଝାରପଡ଼ା ଜେଲ୍‌ରେ ଭିଡ଼ ବଢ଼ିଛି। ଝାରପଡ଼ା ଜେଲ୍‌ରେ ୯୯୧ ଜଣ କଏଦୀ ରହିବାର ବ୍ୟବସ୍ଥା ଥିବା ବେଳେ ଏବେ ୧୨୫୧ ଜଣ କଏଦୀ ରହୁଛନ୍ତି। ଜେଲ୍‌ କର୍ତ୍ତୃପକ୍ଷ ଅଟୋ ଚାଳକଙ୍କ ଉପରେ କଡ଼ା ନଜର ରଖିଛନ୍ତି। ଜେଲ୍‌ ଭିତ‌ରେ କୌଣସି ଅପ୍ରୀତିକର ପରିସ୍ଥିତି ନ ଉପୁଜେ ସେମାନଙ୍କ ଉପରେ କଡ଼ା ନଜର ରଖାଯାଇଥିବା ଜେଲ୍‌ ଅଧୀକ୍ଷକ ସର୍ବେଶ୍ବର ସାହୁ କହିଛନ୍ତି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button