ଭୁବନେଶ୍ୱର: ଆସୁଛି ରାଖି ପୂର୍ଣ୍ଣିମା। ଭାଇ ହାତରେ ରକ୍ଷାର ପ୍ରତିଶ୍ରୁତି ବନ୍ଧନ ବାନ୍ଧିବାକୁ ପ୍ରସ୍ତୁତ ହେଉଛି ଭଉଣୀ। ରାଜଧାନୀ ଭୁବନେଶ୍ୱରରେ ବି ରାଖିକୁ ନେଇ ବେଶ୍ ଉତ୍କଣ୍ଠା। ସହରର ଛକ ବଜାର ଓ ଗଳିକନ୍ଦିରେ ରାଖି ଦୋକାନ ଖୋଲିବା ଆରମ୍ଭ ହୋଇଗଲାଣି। ବଜାରରେ ଏବେ ପାରମ୍ପରିକ ରାଖିଠାରୁ ଆରମ୍ଭ କରି ଫ୍ୟାନ୍ସି, ବ୍ରେସ୍ଲେଟ୍, ଗୋଲ୍ଡେନ୍, ମୟୂର ପୁଚ୍ଛ, କଉଡ଼ି, ରୁଦ୍ରାକ୍ଷ, କପଡ଼ାରେ ପ୍ରସ୍ତୁତ ରାଖୀ ମଧ୍ୟ ଉପଲବ୍ଧ ହେଉଛି। ଏସବୁର ଦାମ୍ ୧୦ଟଙ୍କାରୁ ଆରମ୍ଭ କରି ୨୦୦ଟଙ୍କା ପର୍ଯ୍ୟନ୍ତ ରହିଛି। ତେବେ ଷ୍ଟୋନ୍ ରାଖିର ଚାହିଦା ବେଶି। ଏହାର ଦାମ୍ ୧୦୦ ଟଙ୍କାରୁ ନେଇ ୬୦୦ ଟଙ୍କା ଯାଏଁ ରହିଛି। ଏସବୁ କୋଲକାତା, ରାଜସ୍ଥାନ, ଦିଲ୍ଲୀ, ଜୟପୁର ଓ ଗୁଜୁରାଟରୁ ଓଡ଼ିଶାକୁ ଆସୁଛି। ସେହିପରି ଅନଲାଇନ୍ରେ ରାଖି ସହିତ ବିଭିନ୍ନ ଡ୍ରାଏ ଫ୍ରୁଟ୍ସ, ଚକୋଲେଟ୍, ସିନ୍ଦୁର, କି-ଚେନ୍, କାର୍ଡ ଥିବା ସ୍ୱତନ୍ତ୍ର ବାକ୍ସର ମଧ୍ୟ ବେଶ୍ ଚାହିଦା ରହିଛି।
ଚଳଚଞ୍ଚଳ ଡାକଘର
ରାଖି ପାଇଁ ଡାକଘରେ ଗହଳି ପରିଲକ୍ଷିତ ହେଲାଣି। ଜିପିଓରୁ ମିଳିଥିବା ତଥ୍ୟ ଅନୁଯାୟୀ, ସାଧାରଣ ଦିନରେ ଦିନକୁ ୩୦୦ରୁ ୪୦୦ଟି ସ୍ପିଡ୍ପୋଷ୍ଟ ଏଠାରୁ ଯାଉଥିବା ବେଳେ ରାକ୍ଷୀ ପୂର୍ଣ୍ଣିମା ଥିବା ମାସରେ ଏହାର ସଂଖ୍ୟା ୬୦୦ରୁ ୭୦୦ ହୋଇଯାଏ। ଚଳିତ ବର୍ଷ ମାତ୍ର ଆଠ ଦିନରେ ପ୍ରାୟ ୩୦୦୦ରୁ ଊର୍ଦ୍ଧ୍ୱ ସ୍ପିଡ୍ପୋଷ୍ଟ ହେଲାଣି। ରାଖି ଥିବାରୁ ଚଳିତ ମାସ ସ୍ପିଡ୍ ପୋଷ୍ଟ ସଂଖ୍ୟା ୬ ଲକ୍ଷ ଛୁଇଁବ ବୋଲି ଆକଳନ କରାଯାଇଛି। ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ଜିପିଓ ତରଫରୁ ରାଖି ପୋଷ୍ଟ ପାଇଁ ସ୍ୱତନ୍ତ୍ର ଚିତ୍ରଥିବା ରାକ୍ଷୀ କଭର୍ ପ୍ରଦାନ କରାଯାଉଛି। ଚଳିତ ବର୍ଷ ଲୋକଙ୍କ ଚାହିଦା ଦେଖି ଏକ ଲକ୍ଷ ପଚାଶ ହଜାର ରାଖି କଭର୍ ଆସିଛି। ସେହିପରି ରାଖି ପୂର୍ଣ୍ଣିମା ପାଇଁ ସ୍ପିଡ୍ ପୋଷ୍ଟରେ ରାଖି ପ୍ରେରଣ କଲେ ୧୦ ପ୍ରତିଶତର ରିହାତି ମଧ୍ୟ ପ୍ରଦାନ କରାଯାଉଛି।
ପରିବେଶ ଅନୁକୂଳ ଓ କଷ୍ଟମାଇଜଡ୍ ରାଖି ଚାହିଦା
ଆଧୁନିକୀକରଣ ଯୋଗୁ ଧୀରେ ଧୀରେ ଗଛ ସଂଖ୍ୟା କମିବାରେ ଲାଗିଛି। ତେଣୁ ପ୍ରଦୂଷଣ କମାଇବା ସହିତ ପରିବେଶ
ସୁରକ୍ଷାକୁ ଦୃଷ୍ଟିରେ ରଖି ବହୁ ବ୍ୟବସାୟୀ ବ୍ୟବହାର ପରେ ରୋପଣଯୋଗ୍ୟ ରାଖି ପ୍ରସ୍ତୁତ କରୁଛନ୍ତି। ଉଭୟ ଅନଲାଇନ୍ ଓ ଅଫ୍ଲାଇନ୍ରେ ଏହାର ବିକ୍ରି ବଢ଼ୁଛି। କଖାରୁ, ଭେଣ୍ଡି, ଜହ୍ନି, ବିନ୍, ବିରି, ଧାନ, ମୁଗ, ମସୁର ଡାଲି ଭଳି ମଞ୍ଜି ମୋଟା ପେପର, ବୋର୍ଡ ଓ ସୂତା ବ୍ୟବହାର କରି ଏହି ରାଖି ପ୍ରସ୍ତୁତ କରୁଛନ୍ତି। ଏନେଇ ‘ଲିଟିଲ୍ ୱିମେନ୍’ ବ୍ରାଣ୍ଡର ଧୂପାନ୍ୱିତା ମଲ୍ଲିକ କହିଛନ୍ତି ଯେ ଲୋକଙ୍କ ଚାହିଦା ମୁତାବକ ସେ ପ୍ରାକୃତିକ ଉତ୍ପାଦ ବ୍ୟବହାର କରି ରାଖି ପ୍ରସ୍ତୁତ କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ୫୦୦ଟି ପରିବେଶ ଅନୁକୂଳ ରାଖି ବରାଦ ଆସିଗଲାଣି। ସେହିପରି ବିଭିନ୍ନ ଷ୍ଟୋର୍ ପକ୍ଷରୁ ଭାଇଭଉଣ୍ଡୀଙ୍କ ଫଟୋ, ନାମ, ଜଗନ୍ନାଥଙ୍କ ପଟ୍ଟଚିତ୍ର ଥିବା କଷ୍ଟମାଇଜଡ୍ ରାଖି ପ୍ରସ୍ତୁତ କରୁଛନ୍ତି।