Sidharth Malhotra The Vvaan: ବିହାରର ରହସ୍ୟମୟ ମନ୍ଦିରକୁ ନେଇ ସିଦ୍ଧାର୍ଥଙ୍କ ‘ଦି ବନ୍’, ନିର୍ଦ୍ଦେଶକ କହିଲେ କେମିତି ହେଲା କାହାଣୀ

ନୂଆଦିଲ୍ଲୀ, ୩୧/୦୮: ବଲିଉଡ୍ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରାଙ୍କ ଆଗାମୀ ଚଳଚ୍ଚିତ୍ର ‘ଦି ବନ୍: ଫୋର୍ସ ଅଫ୍ ଫରେଷ୍ଟ’କୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ବଢ଼ିଛି। ଫିଲ୍ମରେ ସିଦ୍ଧାର୍ଥଙ୍କ ସହ ତମନ୍ନା ଭାଟିଆ ମଧ୍ୟ ଏକ ପ୍ରମୁଖ ଭୂମିକାରେ ନଜର ଆସିବେ। ନିକଟରେ ନିର୍ମାତାମାନେ ଫିଲ୍ମର ଟିଜର ରିଲିଜ୍ କରିଛନ୍ତି, ଯେଉଁଥିରେ ଦର୍ଶକଙ୍କୁ ରହସ୍ୟ, ଲୋକକଥା ଓ ଅଲୌକିକ ଶକ୍ତିରେ ଭରପୂର ଏକ ଅଜଣା ଦୁନିଆର ଝଲକ ମିଳିଛି।
ବାଲାଜୀ ମୋସନ୍ ପିକଚର୍ସ ଦ୍ୱାରା ଉପସ୍ଥାପିତ ଏହି ଚଳଚ୍ଚିତ୍ର ଭାରତୀୟ ଲୋକକଥା ଓ କାଳ୍ପନିକତାକୁ କେନ୍ଦ୍ର କରି ନିର୍ମିତ। ବଡ଼ ପରଦାରେ ଏଭଳି ଧାରାର କାହାଣୀ ବେଶ୍ କମ୍ ଦେଖିବାକୁ ମିଳୁଥିବାରୁ ଫିଲ୍ମଟିକୁ ନେଇ ଆଗ୍ରହ ବଢ଼ିଛି। ଅଲୌକିକ ଶକ୍ତି, ପ୍ରାଚୀନ ବିଶ୍ୱାସ ଓ ରହସ୍ୟକୁ ନେଇ ଆଗକୁ ବଢ଼ିଛି ଏହାର କାହାଣୀ।
ତେବେ ‘ଦି ବନ୍’ର ସବୁଠାରୁ ରୋଚକ ଦିଗ ହେଉଛି ଏହାର କାହାଣୀର ପ୍ରେରଣା। ନିର୍ମାତାଙ୍କ ସୂଚନା ଅନୁଯାୟୀ, ଫିଲ୍ମର କାହାଣୀ ବିହାରର ପାଟନା ନିକଟରେ ଥିବା ୧୬ଶ ଶତାବ୍ଦୀର ‘ବନ ଦେବୀ ମନ୍ଦିର’ ସହ ଜଡ଼ିତ ଏକ ଲୋକକଥାରୁ ପ୍ରେରିତ। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ‘ପଞ୍ଚାୟତ’ ସିରିଜ୍ ପାଇଁ ପରିଚିତ ଦୀପକ ମିଶ୍ରା। ଫିଲ୍ମର କାହାଣୀ ଲେଖିଛନ୍ତି ଟିଭିଏଫ୍ର ଅରୁଣାଭ କୁମାର। ଏକତା କପୁର ଓ ଅରୁଣାଭ କୁମାର ଏହାର ପ୍ରଯୋଜକ ଅଛନ୍ତି।
କିପରି ମିଳିଲା ଫିଲ୍ମର କାହାଣୀର ଧାରଣା?
ANI ସହ ଆଲୋଚନା ସମୟରେ ଅରୁଣାଭ କୁମାର ଓ ଦୀପକ ମିଶ୍ରା ‘ଦି ବନ୍’ର ପ୍ରେରଣା ଏବଂ ଫିଲ୍ମ ନିର୍ମାଣ ପଛର କାହାଣୀ ସମ୍ପର୍କରେ ଅନେକ ରୋଚକ ତଥ୍ୟ ସେୟାର କରିଥିଲେ। ଅରୁଣାଭ କହିଥିଲେ ଯେ ପାଟନା ନିକଟସ୍ଥ ‘ବନ ଦେବୀ ମନ୍ଦିର’ ବିଷୟରେ ଜାଣିବା ପରେ ତାଙ୍କ ଆଗ୍ରହ ବଢ଼ିଥିଲା। ମନ୍ଦିରକୁ ଆସୁଥିବା ଲୋକ, ସ୍ଥାନୀୟ ବାସିନ୍ଦା, ଗ୍ରାମବାସୀ ଓ ପୁରୋହିତଙ୍କ ସହ ଆଲୋଚନା କରିବା ସମୟରେ ସେ ଏହି ସ୍ଥାନ ସହ ଜଡ଼ିତ ବିଭିନ୍ନ ଲୋକକଥା ବିଷୟରେ ଜାଣିଥିଲେ।
ଅରୁଣାଭ କହିଥିଲେ, “ଏହି ମନ୍ଦିର ଷୋଡ଼ଶ ଶତାବ୍ଦୀରେ ନିର୍ମିତ ହୋଇଥିଲା। ଗାଁ ଲୋକ ଓ ସ୍ଥାନୀୟ ବାସିନ୍ଦାଙ୍କ ଅନୁସାରେ, ଜଙ୍ଗଲରେ କିଛି ଶକ୍ତି ଥିଲା, ଯେଉଁମାନେ ଲୋକଙ୍କୁ ହଇରାଣ କରୁଥିଲେ। ସୂର୍ଯ୍ୟାସ୍ତ ପରେ ଜଙ୍ଗଲକୁ ପ୍ରବେଶ କରିବା ନିଷେଧ ଥିଲା ଏବଂ ଏହି ଲୋକକଥା ଆଜି ମଧ୍ୟ ପ୍ରଚଳିତ।” ଏହି ଅନୁଭୂତି ଓ ଲୋକକଥାକୁ ଆଧାର କରି ସେ ପ୍ରାୟ ଦୁଇ ବର୍ଷ ପୂର୍ବେ ଦୀପକ ମିଶ୍ରାଙ୍କ ସହ ଏହି କାହାଣୀ ସେୟାର କରିଥିଲେ। ଉଭୟଙ୍କୁ କାହାଣୀଟି ଆକର୍ଷଣୀୟ ଲାଗିବା ପରେ ସେମାନେ ଏକତା କପୁରଙ୍କ ସହ ଯୋଗାଯୋଗ କରିଥିଲେ। ଏକତା ମଧ୍ୟ ଏହି କାହାଣୀକୁ ବଡ଼ ପରଦା ପାଇଁ ଉପଯୁକ୍ତ ବୋଲି ମନେ କରିଥିଲେ।
ସୌଜନ୍ୟ ପ୍ରମେୟ




