Simran Preet Panesar: ୨୦ ନିୟୁତ ଡଲାର ସୁନା ଚୋରି ମାମଲାରେ ମୁଖ୍ୟ ଅଭିଯୁକ୍ତ ପାନେସରଙ୍କୁ ପ୍ରତ୍ୟର୍ପଣ କରିବାକୁ ଭାରତକୁ ଅନୁରୋଧ କଲା କାନାଡ଼ା

ନୂଆଦିଲ୍ଲୀ: ଟୋରଣ୍ଟୋରୁ ୨୦ ନିୟୁତ ଡଲାର ମୂଲ୍ୟର ସୁନା ଚୋରି ମାମଲାର ମୁଖ୍ୟ ଅଭିଯୁକ୍ତ ସିମ୍ରନ୍‌ ପ୍ରୀତ୍‌ ପାନେସର୍‌ଙ୍କୁ ପ୍ରତ୍ୟର୍ପଣ କରିବାକୁ ଭାରତକୁ ଅନୁରୋଧ କରିଛି କାନାଡ଼ା। କାନାଡାର ଏହା ସବୁଠୁ ବଡ଼ ସୁନା ଚୋରି ମାମଲା। ବ୍ରାମ୍ପଟନର ୩୩ ବର୍ଷୀୟ ପାନେସର୍‌ ଏୟାର କାନାଡ଼ାର ଜଣେ ପୂର୍ବତନ କର୍ମଚାରୀ। ପାନେସର୍‌ ଏପ୍ରିଲ ୨୦୨୩ରେ ଟୋରଣ୍ଟୋ ପିଅର୍ସନ ଅନ୍ତର୍ଜାତୀୟ ବିମାନବନ୍ଦରରେ ହୋଇଥିବା ଡକାୟତି ଘଟଣାର ମୁଖ୍ୟ ଅଭିଯୁକ୍ତ। ପୁଲିସ ଅଭିଯୋଗ କରିଛି ଯେ ପାନେସର୍‌ ପ୍ରାୟ ୪୦୦ କିଲୋଗ୍ରାମ ସୁନା ଓ ୨.୫ ନିୟୁତ ଡଲାର ବିଦେଶୀ ମୁଦ୍ରା ଥିବା ଏକ ପରିବହନ ଅର୍ଡ଼ରକୁ ଅନ୍ୟତ୍ର ପଠାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

ଚୋରି ପରେ ପାନେସର ଭାରତ ପଳାୟନ କରିଥିଲେ ବୋଲି କାନାଡା ପକ୍ଷରୁ କୁହାଯାଇଛି। ଏହି ମାମଲାରେ କାନାଡାରେ ଗିରଫ ପରୱାନା ଜାରି କରାଯିବା ସହିତ ଆନୁଷ୍ଠାନିକ ଭାବେ ପ୍ରତ୍ୟର୍ପଣ ପାଇଁ ଭାରତକୁ ଅନୁରୋଧ କରାଯାଇଛି। ସ୍ବିଜରଲାଣ୍ଡର ଜୁରିକ୍‌ରୁ ଆସିଥିବା ଏହି ମୂଲ୍ୟବାନ ସାମଗ୍ରୀ ‘ପ୍ରୋଜେକ୍ଟ ୨୪କେ’ କୋଡ ନାଁରେ ବିମାନବନ୍ଦରର ଏକ ସୁରକ୍ଷିତ ଅଞ୍ଚଳରେ ରଖାଯାଇଥିବାବେଳେ ପର ଦିନ ମିଳିନଥିଲା। ଏତେ ବଡ଼ଧରଣର ଚୋରି ଖୁବ୍‌ ଚତୁରତାର ସହିତ କରାଯାଇଥିବାବେଳେ ଏଥିରେ ଉଭୟ ବିମାନବନ୍ଦର ଭିତରର ଓ ବାହାରର ସହଯୋଗୀ ରହିଥିବା କୁହାଯାଇଥିଲା। ଏପର୍ଯ୍ୟନ୍ତ ୧୦ ଜଣଙ୍କୁ ଏହି ମାମଲାରେ ଅଭିଯୁକ୍ତ ଭାବେ ଦର୍ଶାଯାଇଛି। ସେମାନଙ୍କ ନାଁରେ ୨୧ଟି ଅପରାଧିକ ମାମଲା ରୁଜୁ ହୋଇଥିଲେ ମଧ୍ୟ ଚୋରି ସୁନାର ବଡ଼ ଅଂଶ ଏପର୍ଯ୍ୟନ୍ତ ଉଦ୍ଧାର କରାଯାଇପାରିନାହିଁ। ବିମାନ ସିଷ୍ଟମରେ ହେରଫେର୍‌ ଯୋଗୁ ଏହି ଚୋରି ହୋଇପାରିଥିବା କାନାଡ଼ା କର୍ତ୍ତୃପକ୍ଷ କହିଥିବାବେଳେ ପାନେସର୍‌ଙ୍କ ସନ୍ଧାନ ଚାଲିଛି।

ସୌଜନ୍ୟ ସମ୍ବାଦ

Exit mobile version