Smartphones price hike, ଏବେ ସୁଯୋଗ ଅଛି, କିଣି ନିଅନ୍ତୁ ଟିଭି, ସ୍ମାର୍ଟଫୋନ୍ ଓ ଲ୍ୟାପଟପ: ଆଗକୁ ପ୍ରବଳ ବଢ଼ିବ ଦାମ
Smartphones to laptops to get costlier, ଏବେ ସୁଯୋଗ ଅଛି, କିଣି ନିଅନ୍ତୁ ନ ହେଲେ ଆଗକୁ ବଢ଼ିବ ସ୍ମାର୍ଟଫୋନ, ଟିଭି ଏବଂ ଲ୍ୟାପଟପର ଦାମ। ଏତେ ମହଙ୍ଗା ହେବ ଯେ ଆଗକୁ କିଣିବାକ ଗଲେ ଶହେ ଥର ପକେଟ ଅଣ୍ଡାଳିବାକୁ ପଡ଼ିବ।

ନୂଆଦିଲ୍ଲୀ: ଆଗକୁ ସ୍ମାର୍ଟଫୋନ, ଟିଭି ଏବଂ ଲ୍ୟାପଟପ କିଣିବା ମହଙ୍ଗା ହୋଇଯିବ। କାରଣ ଏଗୁଡ଼ିକର ଦାମ ୪-୮% ପର୍ଯ୍ୟନ୍ତ ବଢ଼ିଯିବ। ଗତବର୍ଷ ନଭେମ୍ବର-ଡିସେମ୍ବର ମାସରେ ଏଗୁଡ଼ିକର ଦାମ ୨୧% ପର୍ଯ୍ୟନ୍ତ ବଢ଼ିଥିଲା। ଏବେ ଆହୁରି ଦର ବଢ଼ିବ। ଏହି ଦରବୃଦ୍ଧିର କାରଣ ହେଉଛି ପ୍ରବଳ ମାତ୍ରାରେ ମେମୋରି ଚିପ୍ର ଚାହିଦା ବଢ଼ିବା।
ବର୍ତ୍ତମାନ ଏଆଇ(AI) ଓ ହାଇ ପରଫରମାନ୍ସ କମ୍ପ୍ୟୁଟିଂ ଟେକ୍ନୋଲୋଜୀର ବ୍ୟବହାର ପ୍ରବଳ ମାତ୍ରାରେ ବଢ଼ି ଚାଲିଛି। ଆଉ ଏଗୁଡ଼ିକୁ ତିଆରି କରିବା ପାଇଁ ମେମୋରି ଚିପ୍ ଲାଗୁଛି। ଏପଟେ ମୋବାଇଲ, ଟିଭି ଭଳି ଉପକରଣ ତିଆରି ପାଇଁ ବି ମେମୋରି ଚିପ୍ ଦରକାର ପଡ଼ିଥାଏ। ଏ ଦୃଷ୍ଟିରୁ ଦେଖିଲେ ଯେଉଁଭଳି ଭାବେ ମେମୋରି ଚିପ୍ର ଚାହିଦା ବଢ଼ୁଛି ସେହି ଅନୁସାରେ, ଏହାର ପ୍ରଡକ୍ସନ କମ ରହିଛି। ତେଣୁ ଡିମାଣ୍ଡ ଅଧିକ ଓ ସପ୍ଲାଏ କମିଲେ ଦର ବୃଦ୍ଧି ହେଉଛି। ଆଗକୁ ଏହି ସମସ୍ୟା ଉତ୍କଟ ରୂପ ନେବ। ତେଣୁ ସ୍ମାର୍ଟଫୋନ, ଟିଭି ଏବଂ ଲ୍ୟାପଟପ ଆଦିର ଦାମ ୪-୮ % ବଢ଼ଯିବ।
ମେମୋରୀ ଚିପ୍ ବଜାର‘ହାଇପର-ବୁଲ‘ଫେଜ୍ରେ ପହଞ୍ଚିଲା
ମାର୍କେଟ୍ ଟ୍ରାକର କାଉଣ୍ଟରପଏଣ୍ଟ ରିସର୍ଚ୍ଚ ଅନୁଯାୟୀ, ମେମୋରୀ ଚିପ୍ ବଜାର ବର୍ତ୍ତମାନ ଏକ “ହାଇପର-ବୁଲ୍” ଫେଜ୍ରେ ପ୍ରବେଶ କରି ସାରିଛି। ଏଥିପାଇଁ ଗତ ତ୍ରୈମାସିକରେ ୫୦% ମୂଲ୍ୟ ବୃଦ୍ଧି ହୋଇଥିଲା। ଏହି ତ୍ରୈମାସିକରେ ମୂଲ୍ୟ ଆହୁରି ୪୦-୫୦% ଏବଂ ଏପ୍ରିଲ-ଜୁନ୍ ମାସରେ ଅତିରିକ୍ତ ୨୦% ବୃଦ୍ଧି ପାଇବାର ଆଶା କରାଯାଉଛି। ଆଉ ଏହି ଧାରା ପୂର୍ବରୁ ହିଁ କିଛି ସ୍ମାର୍ଟଫୋନ୍ କମ୍ପାନୀକ ପ୍ରଭାବିତ କଲାଣି। ବର୍ତ୍ତମାନ ଲଞ୍ଚ ହେଉଥିବା ପ୍ରାୟ ସ୍ମାର୍ଟଫୋନ୍ର ମୂଲ୍ୟ ୧୫-୨୦ ପ୍ରତିଶତ ବଢ଼ି ସାରିଛି। ଭିଭୋ, ନଥିଂ ଭଳି ବ୍ରାଣ୍ଡ କେବଳ ଜାନୁଆରୀରେ ନିଜ ସ୍ମାର୍ଟଫୋନ୍ରେ ୩ ହଜାରରୁ ୫୦୦୦ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।
ମେମୋରୀ ଚିପ୍ ଯୋଗାଣ ଚ୍ୟାଲେଞ୍ଜ ଏବଂ ମୂଲ୍ୟ ବୃଦ୍ଧି
ଏଆଇ ଓ ସୁପର କମ୍ପ୍ୟୁଟରରେ ପ୍ରବଳ ମାତ୍ରାରେ ମେମୋରି ଚିପ୍ ବ୍ୟବହାର ହେଉଥିବାରୁ ସ୍ମାର୍ଟଫୋନ ନିର୍ମାତାମାନେ ମେମୋରି ଚିପ୍ ସଂଗ୍ରହ କରିବାରେ ସଂଘର୍ଷ କରୁଛନ୍ତି। ଫଳରେ କମ୍ପନୀ ଅର୍ଡର ପୂରା କରିପାରୁ ନାହାନ୍ତି। କୋଡାକ୍, ଥମସନ୍ ଏବଂ ବ୍ଲାଉପଙ୍କ୍ଟ ବ୍ରାଣ୍ଡ ନାଁରେ ଟିଭି ବିକ୍ରି କରୁଥିବା ସୁପର ପ୍ଲାଷ୍ଟ୍ରୋନିକ୍ସ କମ୍ପାନୀ ନିଜ ଅର୍ଡରର ମାତ୍ର ୧୦% ପୂରଣ କରିପାରୁଛି ବୋଲି କହୁଛି। କମ୍ପାନୀର ସିଇଓ ଅବନୀତ ସିଂହ ମାରୱାହ କହିଛନ୍ତି ଯେ ସେମାନେ ନଭେମ୍ବରରେ ସେମାନଙ୍କ ପ୍ରଡକ୍ଟରେ ୭% ମୂଲ୍ୟ ବୃଦ୍ଧି କରିଥିଲେ। ଏବଂ ଜାନୁଆରିରେ ୧୦% ବୃଦ୍ଧି କରିବା ସହିତ ଫେବ୍ରୁଆରିରେ ଆହୁରି ୪ % ମୂଲ୍ୟ ବୃଦ୍ଧି କରିବାକୁ ଯୋଜନା କରୁଛନ୍ତି।
ଦର ବୃଦ୍ଧି ନେଇ ରିଟେଲ ଚେନ୍ ଏବଂ ବ୍ରାଣ୍ଡଗୁଡ଼ିକର ପ୍ରତିକ୍ରିୟା
ରିଟେଲ ଚେନ୍ଗୁଡ଼ିକ ପୂର୍ବରୁ ଲାପଟପ୍ର ମୂଲ୍ୟ ୫-୬% ବୃଦ୍ଧି କରିସାରିଛନ୍ତି। ଏବେ ପ୍ରମୁଖ ଟେଲିଭିଜନ ବ୍ରାଣ୍ଡଗୁଡ଼ିକ ମଧ୍ୟ ମୂଲ୍ୟ ବୃଦ୍ଧି କରିବାକୁ ଯୋଜନା କରୁଛନ୍ତି। ଗ୍ରେଟ୍ ଇଷ୍ଟର୍ଣ୍ଣ ରିଟେଲର ନିର୍ଦ୍ଦେଶକ ପୁଲକିତ ବୈଦ କହିଛନ୍ତି ଯେ ଏହି ବୃଦ୍ଧି ତୁରନ୍ତ ଚାହିଦାକୁ ପ୍ରଭାବିତ କରିବ। ସେପଟେ ୧୫୦,୦୦୦ ରୁ ଅଧିକ ଷ୍ଟୋର୍କୁ ପ୍ରତିନିଧିତ୍ୱ କରୁଥିବା ଅଲ୍ ଇଣ୍ଡିଆ ମୋବାଇଲ୍ ରିଟେଲର୍ସ ଆସୋସିଏସନ୍ (AIMRA) ମଧ୍ୟ ଦରବୃଦ୍ଧି ନେଇ ରିପୋର୍ଟ କରିଛି। ଏହାର ରିପୋର୍ଟ ଅନୁସାରେ, ଗତ ବର୍ଷ ନଭେମ୍ବର-ଡିସେମ୍ବରରେ ସ୍ମାର୍ଟଫୋନ୍ ମୂଲ୍ୟ ୩-୨୧% ବୃଦ୍ଧି ପାଇଥିଲା। ଆଗାମୀ ମାସଗୁଡ଼ିକରେ ମୋଟ ମୂଲ୍ୟ ୩୦% ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ ବୋଲି ଆଶା କରାଯାଉଛି।
ମାର୍କେଟ୍କୁ ସଂକୋଚିତ କରିପାରେ ମୂଲ୍ୟ ବୃଦ୍ଧି
ଦର ବୃଦ୍ଧିର ସାଂଘାତିକ ପ୍ରଭାବ ବଜାର ଉପରେ ପଡ଼ିବ ବୋଲି ବଜାର ବିଶେଷଜ୍ଞ ମତ ଦେଇଛନ୍ତି। AIMRAର ଅଧ୍ୟକ୍ଷ କୈଳାସ ଲାଖ୍ୟାନି ଚେତାବନୀ ଦେଇଛନ୍ତି ଯେ ଏହି ମହଙ୍ଗା ମାଡ଼ ବଜାରରେ ଏକ ବଡ଼ ସଂକୋଚନ ଆଣିପାରେ। ୨୦୨୬ ରେ ଶିପ୍ମେଣ୍ଟ ଭଲ୍ୟୁମ(ରପ୍ତାନୀ ପରିମାଣ) ୧୦-୧୨% ହ୍ରାସ ପାଇପାରେ। ଯାହାର ପ୍ରଭାବ ୨୦ ହଜାରୁ କମ୍ ସେଗମେଣ୍ଟ ଉପରେ ସବୁଠାରୁ ଅଧିକ ପଡିବ। କାଉଣ୍ଟରପଏଣ୍ଟ ରିସର୍ଚ୍ଚ ମଧ୍ୟ ଆକଳନ କରିଛି ଯେ ମେମୋରୀ ଚିପ୍ ଏବଂ ହ୍ୟାଣ୍ଡସେଟ୍ ମୂଲ୍ୟ ବୃଦ୍ଧି ଯୋଗୁ ଭାରତରେ ସ୍ମାର୍ଟଫୋନ୍ ବିକ୍ରିରେ ଏହାର ଆକଳନ ୨% ବି ଅପେକ୍ଷା ଅଧିକ ହ୍ରାସ ପାଇପାରେ।
ସୌଜନ୍ୟ Prameya News7




