Solar Power At Night: ରାତିରେ ବିକ୍ରି ହେବ ସୂର୍ଯ୍ୟାଲୋକ, ଭାରତର ସ୍କାଇରୁଟ୍ ଏରୋସ୍ପେସ୍ ସହ ଆମେରିକୀୟ କମ୍ପାନିର ଚୁକ୍ତି

ନୂଆଦିଲ୍ଲୀ, ୧୭/୧୦: ରାତିରେ ବିକ୍ରି ହେବ ସୂର୍ଯ୍ୟାଲୋକ । ଆମେରିକାର ଏକ ମହାକାଶ ଟେକ୍ନୋଲୋଜି କମ୍ପାନି ଏହି ଯୋଜନା କରିଛି । କକ୍ଷରେ ବିଶାଳକାୟ ପ୍ରତିବିମ୍ବାତ୍ମକ ଆଇନା ସ୍ଥାପନ କରି ରାତିରେ ପୃଥିବୀର ନିର୍ଦ୍ଦିଷ୍ଟ କିଛି ସ୍ଥାନରେ ସୂର୍ଯ୍ୟାଲୋକ ପହଞ୍ଚାଇବା ଏହାର ଲକ୍ଷ୍ୟ । ସେବା ଆରମ୍ଭ ଲାଗି ଏହା ଭାରତର ସ୍କାଇରୁଟ୍ ଏରୋସ୍ପେସ୍ର ସାହାଯ୍ୟ ନେବ ।
କାଲିଫର୍ଣ୍ଣିୟା ସ୍ଥିତ କମ୍ପାନି ରିଫ୍ଲେକ୍ଟ ଅର୍ବିଟାଲ ଏକ ସାଟେଲାଇଟ୍ ସମୂହ ଉତ୍କ୍ଷେପଣର ଯୋଜନା କରୁଛି । ଏହା ବିପର୍ଯ୍ୟୟ ସ୍ଥଳୀରେ ଅନ୍ୱେଷଣ ଓ ଉଦ୍ଧାର କାର୍ଯ୍ୟ ଏବଂ ସୌର ଫାର୍ମଗୁଡ଼ିକରେ ବିଦ୍ୟୁତ୍ ଯୋଗାଣ ବୃଦ୍ଧି ଭଳି ସେବା ନିମନ୍ତେ ଆବଶ୍ୟକ ମୁତାବକ ସୂର୍ଯ୍ୟାଲୋକ ପ୍ରଦାନ କରିବ । ଏଥିଲାଗି କମ୍ପାନି ହାଇଦ୍ରାବାଦ ସ୍ଥିତ ସ୍କାଇରୁଟ୍ ଏରୋସ୍ପେସ୍ ସହ ଚୁକ୍ତି କରିଛି । ଏହାର ବିକ୍ରମ ରକେଟ୍ରେ ଦୁଇଟି ଉତ୍କ୍ଷେପଣର ଚୁକ୍ତି ହୋଇଛି । ରିଫ୍ଲେକ୍ଟ ଅର୍ବିଟାଲ କହିଛି, ଆମେରିକାରେ ଅନ୍ୟ ଉତ୍କ୍ଷେପଣ ଯୋଜନା ସହିତ ସ୍କାଇରୁଟ୍ ଏରୋସ୍ପେସ୍ର ଉତ୍କ୍ଷେପଣ ଆମକୁ ନିଶ୍ଚିତ ସମୟ-ସାରଣୀ ଓ କ୍ଷମତା ପ୍ରଦାନ କରିଛି । ସ୍କାଇରୁଟ୍ ସିଇଓ ପୱନ ଚନ୍ଦାନା ଏକ୍ସ ପୋଷ୍ଟରେ କହିଛନ୍ତି, ପୃଥିବୀରେ ନୂଆ ସମ୍ଭାବନାର ଉନ୍ମୋଚନ ଲାଗି ମହାକାଶ ଟେକ୍ନୋଲୋଜିର ଉପଯୋଗରେ ଅନ୍ୟତମ ସବୁଠୁ ନୂଆ କ୍ଷେତ୍ରରେ କାମ କରିବାକୁ ରିଫ୍ଲେକ୍ଟ ଅର୍ବିଟାଲ ସହ ଚୁକ୍ତିକୁ ନେଇ ଆମେ ଖୁବ୍ ଉତ୍ସାହିତ । ଏକ ଡେମୋ ସାଟେଲାଇଟ୍ର ନିର୍ମାଣ, ଉତ୍କ୍ଷେପଣ ଓ ପରିଚାଳନା ଲାଗି ସଂଘୀୟ ଯୋଗାଯୋଗ ଆୟୋଗଠୁ ଗତ ଜୁଲାଇରେ କମ୍ପାନି ପ୍ରମାଣପତ୍ର ପାଇଥିଲା ।
ସୌଜନ୍ୟ ପ୍ରମେୟ


