Borewell Accident: ୨୦ ଘଣ୍ଟାର ରେସ୍କ୍ୟୁ ପରେ ମିଳିଲା ଭୋମାରାମଙ୍କ ମୃତଦେହ, ବୋରୱେଲରେ ଚାଲିଗଲା ୯ ବର୍ଷର ଜୀବନ
ରାଜସ୍ଥାନ, ୧୭।୧୦: ରାଜସ୍ଥାନର ଜୋଧପୁର ଜିଲ୍ଲା ଅନ୍ତର୍ଗତ ଫଲୋଦୀ ଅଞ୍ଚଳରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି । ୧୦୦୦ ଫୁଟରୁ ଅଧିକ ଗଭୀର ଖାଲି ବୋରୱେଲରେ ପଡ଼ିଯାଇଥିବା ୯ ବର୍ଷର ନିରୀହ ଶିଶୁ ଭୋମାରାମଙ୍କୁ ଜୀବନ୍ତ ଉଦ୍ଧାର କରିବା ପାଇଁ ପ୍ରଶାସନ ଓ ଏସଡିଆରଏଫ୍ ଟିମ୍ ପକ୍ଷରୁ ପ୍ରାୟ ୨୦ ଘଣ୍ଟା ଧରି ଅକ୍ଳାନ୍ତ ପରିଶ୍ରମ କରାଯାଇଥିଲା । କିନ୍ତୁ ଶେଷରେ ଶିଶୁଟିକୁ ସୁରକ୍ଷିତ ଭାବେ ବଞ୍ଚାଇବା ସମ୍ଭବ ହୋଇପାରିଲା ନାହିଁ । ଏକ ଦୀର୍ଘ ଓ ଜଟିଳ ଅପରେସନ୍ ପରେ ବୋରୱେଲ ଭିତରୁ ଭୋମାରାମଙ୍କ ମରଶରୀରକୁ ବାହାର କରାଯାଇଛି । ଏହି ମର୍ମର୍ତ୍ତୁଦ ଦୁର୍ଘଟଣାଟି ଗୁରୁବାର ଦ୍ୱିପ୍ରହର ପ୍ରାୟ ୧୨:୩୫ ମିନିଟ୍ ସମୟରେ ଘଟିଥିଲା । ଭୋମାରାମ ତାଙ୍କ ବାପା ପାଚାରାମ ଭୀଲଙ୍କ ନିକଟରେ ଥିବା ବେଳେ ହଠାତ୍ ଖେଳୁଖେଳୁ ଏକ ଖୋଲା ବୋରୱେଲ ଭିତରେ ଖସି ପଡ଼ିଥିଲେ । ନୀରିହ ଶିଶୁ ଜଣକ ବୋରୱେଲ ଭିତରେ ପ୍ରାୟ ୬୪୦ ଫୁଟ ଗଭୀରତାରେ ଯାଇ ଫସି ରହିଥିଲେ ।
ବୋରୱେଲର ଅତ୍ୟଧିକ ଗଭୀରତା ଏବଂ ସଂକୀର୍ଣ୍ଣତା ଯୋଗୁଁ ଆରମ୍ଭରୁ ହିଁ ଉଦ୍ଧାରକାରୀ ଦଳକୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା । ଘଟଣା ସମ୍ପର୍କରେ ସୂଚନା ମିଳିବାକ୍ଷଣି ଜିଲ୍ଲା ପ୍ରଶାସନ, ପୁଲିସ ଏବଂ ଏସଡିଆରଏଫ୍ ଟିମ୍ ତତକ୍ଷଣାତ୍ ଘଟଣାସ୍ଥଳରେ ପହଞ୍ଚିଥିଲେ । ଶିଶୁଟି ପାଖରେ ନିରବଚ୍ଛିନ୍ନ ଭାବେ ଅମ୍ଳଜାନ ପହଞ୍ଚାଇବା ପାଇଁ ପାଇପ୍ ଜରିଆରେ ଅକ୍ସିଜେନ୍ ଯୋଗାଣ ସୁନିଶ୍ଚିତ କରାଯାଇଥିଲା । ପ୍ରଶାସନ ପକ୍ଷରୁ ଅତ୍ୟାଧୁନିକ କ୍ୟାମେରା ସହାୟତାରେ ବୋରୱେଲ ଭିତରେ ଶିଶୁଟିର ସ୍ଥିତି ଉପରେ କଡ଼ା ନଜର ରଖାଯାଇଥିଲା । ପ୍ରାରମ୍ଭିକ ପର୍ଯ୍ୟାୟରେ ଶିଶୁଟିର ହାତ ସାମାନ୍ୟ ହଲଚଲ ହେଉଥିବାର ଦେଖିବାକୁ ମିଳିଥିଲା । ମାତ୍ର ବୋରୱେଲର ଅତ୍ୟଧିକ ଗଭୀରତା ଏବଂ ଦୁର୍ଗମ ଭୌଗୋଳିକ ପରିସ୍ଥିତି କାରଣରୁ ଉଦ୍ଧାରକାରୀ ଦଳ ଯେତେବେଳେ ପ୍ରକୃତ ଗଭୀରତାରେ ପହଞ୍ଚିଲେ, ସେତେବେଳକୁ ବହୁତ ଡିରି ହୋଇସାରିଥିଲା ।
ସୌଜନ୍ୟ ପ୍ରମେୟ



