ଦେଶ ବିଦେଶ

Sonia Gandhi: ୧୯୮୪ ଶିଖ୍‌ ବିରୋଧୀ ଦଙ୍ଗା: ସେନା ମୁତୟନରେ ବିଳମ୍ବ ନେଇ ସୋନିଆଙ୍କ ଦାବି ୪୦ ବର୍ଷ ତଳୁ ଖଣ୍ଡନ ହୋଇଥିଲା

୧୯୮୪ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରେ ଦିଲ୍ଲୀରେ ହୋଇଥିବା ଶିଖ୍‌ ବିରୋଧୀ ଦଙ୍ଗା ସମୟରେ ସେନା ମୁତୟନରେ ବିଳମ୍ବ ପାଇଁ ତତ୍କାଳୀନ ସେନାମୁଖ୍ୟ ଜେନେରାଲ ଏ.ଏସ୍‌. ବୈଦ୍ୟଙ୍କ ନିଷ୍ପତ୍ତିକୁ ଦାୟୀ କରିଛନ୍ତି କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ।

ନୂଆଦିଲ୍ଲୀ: ୧୯୮୪ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରେ ଦିଲ୍ଲୀରେ ହୋଇଥିବା ଶିଖ୍‌ ବିରୋଧୀ ଦଙ୍ଗା ସମୟରେ ସେନା ମୁତୟନରେ ବିଳମ୍ବ ପାଇଁ ତତ୍କାଳୀନ ସେନାମୁଖ୍ୟ ଜେନେରାଲ ଏ.ଏସ୍‌. ବୈଦ୍ୟଙ୍କ ନିଷ୍ପତ୍ତିକୁ ଦାୟୀ କରିଛନ୍ତି କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ। ତାଙ୍କ ନୂଆ ଆତ୍ମଜୀବନୀ ‘ବିଲଙ୍ଗିଂ: ଏ ଜର୍ଣ୍ଣି ଅଫ୍‌ ଲଭ୍‌’ରେ ସେ ଏହି ଦାବି କରିଛନ୍ତି। କିନ୍ତୁ ୧୯୮୫ରେ ଗଠିତ ରଙ୍ଗନାଥ ମିଶ୍ର କମିସନଙ୍କ ତଦନ୍ତ ଓ ତତ୍କାଳୀନ ସେନାମୁଖ୍ୟଙ୍କ ବୟାନରେ ଏହି ଦାବିର ଭିନ୍ନ ଚିତ୍ର ସାମ୍ନାକୁ ଆସିଥିଲା। ସେନା ଉପଲବ୍ଧ ଥିବା ସତ୍ତ୍ୱେ ଦିଲ୍ଲୀ ପ୍ରଶାସନ ତାହାକୁ ନିୟୋଜିତ କରିବାରେ ବିଳମ୍ବ କରିଥିଲା ବୋଲି କମିସନ ଦର୍ଶାଇଥିଲେ।

ଶିଖ୍‌ ସମ୍ପ୍ରଦାୟ ବିରୋଧରେ ହିଂସା
୧୯୮୪ ଅକ୍ଟୋବର ୩୧ ତାରିଖ ସକାଳ ପ୍ରାୟ ୯ଟା ୩୦ରେ ଇନ୍ଦିରା ଗାନ୍ଧୀଙ୍କୁ ତାଙ୍କ ଦୁଇ ଶିଖ୍‌ ଅଙ୍ଗରକ୍ଷୀ ଗୁଳି କରିଥିଲେ। ଅପରାହ୍ଣ ପ୍ରାୟ ୨ଟା ୨୦ରେ ଏମ୍ସରେ ତାଙ୍କର ମୃତ୍ୟୁ ଘୋଷଣା କରାଯାଇଥିଲା। ଏହା ପରେ ଦିଲ୍ଲୀରେ ଶିଖ୍‌ ସମ୍ପ୍ରଦାୟ ବିରୋଧରେ ହିଂସା ଆରମ୍ଭ ହୋଇଥିଲା। ନଭେମ୍ବର ୧ ଓ ୨ ତାରିଖରେ ତ୍ରିଲୋକପୁରୀ, ସୁଲତାନପୁରୀ ଓ ମଙ୍ଗୋଲପୁରୀ ଭଳି ଅଞ୍ଚଳରେ ବ୍ୟାପକ ହତ୍ୟାକାଣ୍ଡ ଓ ଜଳାପୋଡ଼ା ହୋଇଥିଲା। ସୋନିଆ ତାଙ୍କ ପୁସ୍ତକରେ ଲେଖିଛନ୍ତି, ଅକ୍ଟୋବର ୩୧ ରାତିରେ ସେନାମୁଖ୍ୟ ଜେନେରାଲ ଏ.ଏସ୍‌. ବୈଦ୍ୟଙ୍କୁ ସେନା ମୁତୟନ ପାଇଁ ନିର୍ଦ୍ଦେଶ ମିଳିଥିଲା। କିନ୍ତୁ ଦିଲ୍ଲୀ ନିକଟରେ ଥିବା ସେନା ୟୁନିଟ୍‌ଗୁଡ଼ିକରେ ଶିଖ୍‌ ଯବାନ ଥିବାରୁ ସେମାନଙ୍କୁ ମୁତୟନ କରିବା ଉଚିତ ମନେ କରିନଥିଲେ ବୈଦ୍ୟ। ଏହା ବଦଳରେ ଡେରାଡୁନରୁ ସେନା ଡକାଯାଇଥିବାରୁ ପହଞ୍ଚିବାରେ ବିଳମ୍ବ ହୋଇଥିଲା ବୋଲି ସେ ଲେଖିଛନ୍ତି।

ସାମ୍ନାକୁ ଆସିଥିଲା ଦାବିର ଭିନ୍ନ ଚିତ୍ର 
କିନ୍ତୁ ମିଶ୍ର କମିସନଙ୍କ ନିକଟରେ ଜେନେରାଲ ବୈଦ୍ୟ ଦେଇଥିବା ବୟାନ ଏହାଠାରୁ ଭିନ୍ନ। ତାଙ୍କ କହିବା ଅନୁସାରେ, ଅକ୍ଟୋବର ୩୧ ସକାଳ ପ୍ରାୟ ୧୦ଟା ୩୦ରେ ହିଁ ସେ ମିରଟରୁ ଏକ ବ୍ରିଗେଡ୍‌କୁ ଦିଲ୍ଲୀ ପଠାଇବାକୁ ନିର୍ଦ୍ଦେଶ ଦେଇଥିଲେ। ପ୍ରାୟ ୧୬୦୦ ଯବାନଙ୍କୁ ନେଇ ଗଠିତ ଏହି ବ୍ରିଗେଡ୍‌ ସେହି ରାତିରେ ଦିଲ୍ଲୀରେ ପହଞ୍ଚିଥିଲା। ଦିଲ୍ଲୀରେ ପୂର୍ବରୁ ପ୍ରାୟ ୬୧୦୦ ସେନା ଯବାନ ମଧ୍ୟ ଉପଲବ୍ଧ ଥିଲେ। ସେମାନଙ୍କ ମଧ୍ୟରୁ ପ୍ରାୟ ୩୦୦୦ ଯବାନଙ୍କୁ କାର୍ଯ୍ୟକ୍ଷେତ୍ରରେ ନିୟୋଜିତ କରାଯାଇ ପାରିଥାନ୍ତା।

ସୁଭାଷ ଟଣ୍ଡନଙ୍କ ଭୂମିକା ଉପରେ ପ୍ରଶ୍ନ
କମିସନଙ୍କ ତଦନ୍ତରେ ତତ୍କାଳୀନ ଦିଲ୍ଲୀ ଉପରାଜ୍ୟପାଳ ପି.ଜି. ଗବାଇ ଓ ପୁଲିସ କମିସନର ସୁଭାଷ ଟଣ୍ଡନଙ୍କ ଭୂମିକା ଉପରେ ପ୍ରଶ୍ନ ଉଠିଥିଲା। ନଭେମ୍ବର ୧ ସକାଳେ ଉପରାଜ୍ୟପାଳ ସେନାକୁ ଡାକିବା ପାଇଁ ପୁଲିସ କମିସନରଙ୍କୁ ପରାମର୍ଶ ଦେଇଥିଲେ। କିନ୍ତୁ ଟଣ୍ଡନ ନିଜେ ଦଙ୍ଗା ପ୍ରଭାବିତ ଅଞ୍ଚଳ ବୁଲି ପରିସ୍ଥିତି ଦେଖିବାକୁ ଚାହିଥିଲେ। ଏଥିରେ ଅନେକ ସମୟ ନଷ୍ଟ ହୋଇଥିଲା। ଉପଲବ୍ଧ ସେନାକୁ ଠିକ୍‌ ସମୟରେ ନିୟୋଜିତ କରାଯାଇଥିଲେ ଦିଲ୍ଲୀରେ ଅତି କମ୍‌ରେ ୨୦୦୦ ଶିଖ୍‌ଙ୍କ ଜୀବନ ବଞ୍ଚାଯାଇ ପାରିଥାନ୍ତା ବୋଲି କମିସନ ମତ ଦେଇଥିଲେ।

୧୯୮୬ ଅଗଷ୍ଟରେ କମିସନ ରିପୋର୍ଟ ଦାଖଲ କରିଥିଲେ ମଧ୍ୟ ୧୯୮୭ ଫେବ୍ରୁଆରିରେ ଏହା ସଂସଦରେ ଉପସ୍ଥାପିତ ହୋଇଥିଲା। ଏହି ଦଙ୍ଗାରେ କେବଳ ଦିଲ୍ଲୀରେ ୨୭୩୩ ଶିଖ୍‌ଙ୍କ ସମେତ ସାରା ଦେଶରେ ୩୩୨୫ ଜଣଙ୍କ ମୃତ୍ୟୁ ହୋଇଥିବା ଅହୁଜା କମିଟି ଆକଳନ କରିଥିଲା। ସୋନିଆଙ୍କ ପୁସ୍ତକରେ ଥିବା ଦାବିକୁ ବରିଷ୍ଠ ଓକିଲ ତଥା ୧୯୮୪ ଦଙ୍ଗା ପୀଡ଼ିତଙ୍କ ପକ୍ଷରେ ମାମଲା ଲଢ଼ିଥିବା ଏଚ୍‌.ଏସ୍‌. ଫୁଲକା ଖଣ୍ଡନ କରିଛନ୍ତି। ଶିରୋମଣି ଅକାଳୀ ଦଳ ନେତା ସୁଖବୀର ସିଂହ ବାଦଲ ମଧ୍ୟ ସୋନିଆଙ୍କ ମନ୍ତବ୍ୟକୁ ନେଇ କଂଗ୍ରେସକୁ ସମାଲୋଚନା କରିଛନ୍ତି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button