ଜୀବନଚର୍ଯ୍ୟା

Sri Ram: ଶ୍ରୀରାମ ବିଗ୍ରହବାନ୍ ଧର୍ମ

ଆଦିକବି ବାଲ୍ମୀକିଙ୍କ ଦ୍ବାରା ରଚିତ ‘ରାମାୟଣ’ ଆମଦେଶର ଆଦିକାବ୍ୟ। ସେଥିରେ ତ୍ରେତାଯୁଗର ଅବତାର ଶ୍ରୀରାମ ମର୍ଯ୍ୟାଦାପୁରୁଷ ରୂପେ ଚିତ୍ରିତ ହୋଇଛନ୍ତି ଏବଂ ତାଙ୍କର ଆଚରଣରେ ମର୍ଯ୍ୟାଦା....

ଆଦିକବି ବାଲ୍ମୀକିଙ୍କ ଦ୍ବାରା ରଚିତ ‘ରାମାୟଣ’ ଆମଦେଶର ଆଦିକାବ୍ୟ। ସେଥିରେ ତ୍ରେତାଯୁଗର ଅବତାର ଶ୍ରୀରାମ ମର୍ଯ୍ୟାଦାପୁରୁଷ ରୂପେ ଚିତ୍ରିତ ହୋଇଛନ୍ତି ଏବଂ ତାଙ୍କର ଆଚରଣରେ ମର୍ଯ୍ୟାଦା ସୁପ୍ରତିଷ୍ଠିତ ହୋଇଛି। ‘ଶ୍ରୀମଦ୍‌ଭଗବଦ୍‌ଗୀତା’ରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି- ସମାଜରେ ଶ୍ରେ‌ଷ୍ଠ ବ୍ୟକ୍ତିମାନେ ଯେଉଁଭଳି ଆଚରଣ କରନ୍ତି, ସାଧାରଣ ଲୋକେ ତାହାକୁ ଅନୁସରଣ କରିଥାଆନ୍ତି। (ଗୀତା, ୩/୨୧) ଏଣୁ ଶ୍ରୀରାମ ତାଙ୍କର ଆଚରଣ ମାଧ୍ୟମରେ ଯେଉଁ ସବୁ ଲୋକଶିକ୍ଷା ଦେଇଛନ୍ତି, ତାହା କାଳେ କାଳେ ଲୋକସମାଜରେ ଆଦର୍ଶ ହୋଇ ରହିଆସିଛି।

ତେବେ ଶ୍ରୀରାମଙ୍କର ଶ୍ରେଷ୍ଠତା ଓ ଆଦର୍ଶ କେବଳ ଯେ ତାଙ୍କର ଅନୁଗାମୀମାନଙ୍କ ଦ୍ବାରା ସ୍ବୀକୃତ, ତାହା ନୁହେଁ। ତାଙ୍କର ବିରୋଧୀମାନେ ମଧ୍ୟ ତାଙ୍କର ସୁଗୁଣ ଓ ସୁଆଚରଣକୁ ସ୍ବୀକାର କରିଛନ୍ତି। ‘ରାମାୟଣ’ରେ ରହିଛି ଏହାର ଅନେକ ଦୃଷ୍ଟାନ୍ତ।ଗୋଟିଏ ଦୃଷ୍ଟାନ୍ତ- ମାରୀଚ। ସେ ସ୍କନ୍ଦ ରାକ୍ଷସ ଓ ତାଡ଼କୀ ରାକ୍ଷସୀର ସନ୍ତାନ। ସୁବାହୁ ତା’ର ଭାଇ। ବିଶ୍ବାମିତ୍ରଙ୍କ ଯଜ୍ଞରକ୍ଷା ସମୟରେ ଶ୍ରୀରାମ ସୁବାହୁକୁ ଅଗ୍ନିବାଣ ଦ୍ବାରା ଭସ୍ମ କରିଦେଇଥିଲେ ଏବଂ ବାୟୁବାଣରେ ମାରୀଚକୁ ଉଡ଼ାଇ ନେଇ ଦକ୍ଷିଣ ସମୁଦ୍ର ତଟରେ ନିକ୍ଷେପ କରିଥିଲେ।ଏଣୁ, ଏହା ଜାଣିଥିବା ରାବଣ, ସୀତାଙ୍କୁ ଅପହରଣ କରିବା ପାଇଁ ମାରୀଚକୁ ନିୟୋଜିତ କରିଥି‌ଲା। ଅନ୍ୟ କାରଣ ହେଉଛି- ମାରୀଚ ଥିଲା ମାୟାବୀ। ସେ ସୁନାର ହରିଣ ହୋଇ ସୀତାଙ୍କୁ ପ୍ରଲୁବ୍‌ଧ କରିବ ଏବଂ ସୀତାଙ୍କ ଅନୁରୋଧରେ ରାମ ସେହି ହରିଣକୁ ଧରିବାପାଇଁ ଦୂରେଇ ଗଲେ, ସେ ସୀତାଙ୍କୁ ହରଣ କରିବ- ଏହା ଥିଲା ରାବଣର ଯୋଜନା।
କିନ୍ତୁ ମାରୀଚ ମାୟାବୀ ଓ ପ୍ରତିଶୋଧକାମୀ ଥିଲେ ମଧ୍ୟ, ତା’ର ବିବେକ ତଥାପି ଜାଗ୍ରତ ଥିଲା। ତେଣୁ ସୀତାଙ୍କୁ ଅପହରଣ କରିବା ଯୋଜନାରେ ରାବଣ ଯେତେବେଳେ ଯାଇ ତାର ସହାୟତା ଲୋଡ଼ିଲା, ସେତେବେଳେ ମାରୀଚ ତ‌ାକୁ ସେଥିରୁ ବାରଣ କରିଥିଲା। ମାରୀଚ ରାବଣକୁ ଯାହା କହିଥିଲା, ତାହା ହେଉଛି ‌ଉପରୋକ୍ତ ସୁଭାଷିତ।

ମାରୀଚ କହିଥିଲା- ରାମ ହେଉଛନ୍ତି ସାକ୍ଷାତ୍ ଶରୀରଧାରୀ ଧର୍ମ। ସେ ସାଧୁ, ସେ ସତ୍ୟ ଓ ସେ ପରାକ୍ରମୀ। ପୁଣି ସେ ସାରା ଜଗତର ରାଜା। ଦେବରାଜ ଇନ୍ଦ୍ରଙ୍କ ପରି ସେ ସର୍ବଲୋକପୂଜ୍ୟ।

ଏଣୁ ଏହି ସୁଭାଷିତ ସୂଚାଏ, ଜଣେ ଯେତେ ଅଧର୍ମୀ ହେଲେ ମଧ୍ୟ, ତାର ମନରେ ତଥାପି ସଦ୍‌ଭାବନା ସଂଜୀବିତ ଥାଏ। ସେହି ବିବେକକୁ ଉଜ୍ଜୀବିତ ନ କଲେ ଅଚିରେ ତାକୁ ମରଣକୁ ବରଣ କରିବାକୁ ପଡ଼େ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button