ଦେଶ ବିଦେଶ

Starlink: ଷ୍ଟାର୍‌ଲିଙ୍କ୍‌କୁ ଅନୁମତି ନ ଦେବାକୁ ସ୍ୱଦେଶୀ ଜାଗରଣ ମଞ୍ଚର ଦାବି : ଜାତୀୟ ସୁରକ୍ଷା ପ୍ରତି ବିପଦ ଆଶଙ୍କା

ଶୁକ୍ରବାର ନୂଆଦିଲ୍ଲୀର ତିନମୂର୍ତ୍ତି ମାର୍ଗରେ ଷ୍ଟାର୍‌ଲିଙ୍କ୍‌ ବିରୋଧରେ ପ୍ରଦର୍ଶନ ପରେ ଏସ୍‌ଜେଏମ୍‌ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ସ୍ମାରକପତ୍ର ଦିଆଯାଇଛି। ସଂଗଠନର ଜାତୀୟ ସହ-ସଂଯୋଜକ ଡକ୍ଟର ଅଶ୍ୱିନୀ ମହାଜନ ଏହି ସ୍ମାରକପତ୍ରରେ ସ୍ୱାକ୍ଷର କରିଛନ୍ତି।

ନୂଆଦିଲ୍ଲୀ: ଆମେରିକୀୟ ଶିଳ୍ପପତି ଏଲନ୍‌ ମସ୍କଙ୍କ ମାଲିକାନାରେ ଥିବା ଷ୍ଟାର୍‌ଲିଙ୍କ୍‌କୁ ଭାରତରେ ଉପଗ୍ରହ ଆଧାରିତ ବ୍ରଡ୍‌ବ୍ୟାଣ୍ଡ୍‌ ଇଣ୍ଟର୍‌ନେଟ୍‌ ସେବା ଆରମ୍ଭ କରିବାକୁ ଅନୁମତି ନ ଦେବା ପାଇଁ କେନ୍ଦ୍ର ସରକାରଙ୍କୁ ଦାବି କରିଛି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ସହ ଜଡ଼ିତ ସଂଗଠନ ସ୍ୱଦେଶୀ ଜାଗରଣ ମଞ୍ଚ (ଏସ୍‌ଜେଏମ୍‌)। ଜାତୀୟ ସୁରକ୍ଷା, ଆଇନସମ୍ମତ ନିରୀକ୍ଷଣ ଏବଂ ଜରୁରି ପରିସ୍ଥିତିରେ ଇଣ୍ଟର୍‌ନେଟ୍‌ ସେବା ଉପରେ ନିୟନ୍ତ୍ରଣକୁ ନେଇ ସଂଗଠନ ଉଦ୍‌ବେଗ ପ୍ରକାଶ କରିଛି।

ଶୁକ୍ରବାର ନୂଆଦିଲ୍ଲୀର ତିନମୂର୍ତ୍ତି ମାର୍ଗରେ ଷ୍ଟାର୍‌ଲିଙ୍କ୍‌ ବିରୋଧରେ ପ୍ରଦର୍ଶନ ପରେ ଏସ୍‌ଜେଏମ୍‌ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ସ୍ମାରକପତ୍ର ଦିଆଯାଇଛି। ସଂଗଠନର ଜାତୀୟ ସହ-ସଂଯୋଜକ ଡକ୍ଟର ଅଶ୍ୱିନୀ ମହାଜନ ଏହି ସ୍ମାରକପତ୍ରରେ ସ୍ୱାକ୍ଷର କରିଛନ୍ତି। ଏଥିରେ କୁହାଯାଇଛି, ଜାତୀୟ ସୁରକ୍ଷାକୁ ପ୍ରାଥମିକତା ଦେଇ ଷ୍ଟାର୍‌ଲିଙ୍କ୍‌ର ଲାଇସେନ୍ସ ଆବେଦନକୁ ଅନୁମତି ନ ଦିଆଯାଉ।
ସଂଗଠନର ଅଭିଯୋଗ ଅନୁସାରେ, ଷ୍ଟାର୍‌ଲିଙ୍କ୍‌ର ଉପଗ୍ରହଗୁଡ଼ିକ ମଧ୍ୟରେ ଲେଜର୍‌ ଲିଙ୍କ୍‌ ମାଧ୍ୟମରେ ତଥ୍ୟ ଆଦାନପ୍ରଦାନ ହେଉଥିବାରୁ ଭାରତୀୟ ଇଣ୍ଟର୍‌ନେଟ୍‌ ତଥ୍ୟ ଦେଶର ଗ୍ରାଉଣ୍ଡ୍‌ ଗେଟ୍‌ୱେକୁ ଏଡ଼ାଇ ବିଦେଶୀ ଭିତ୍ତିଭୂମି ଦେଇ ଯାଇପାରେ।

ଏହାଦ୍ୱାରା ସୁରକ୍ଷା ଏଜେନ୍ସିଗୁଡ଼ିକ ପାଇଁ ତଥ୍ୟର ଆଇନସମ୍ମତ ନିରୀକ୍ଷଣ କଷ୍ଟକର ହୋଇପାରେ। ଆତଙ୍କବାଦ, ବିଚ୍ଛିନ୍ନତାବାଦ, ଦଙ୍ଗା କିମ୍ବା ବିକ୍ଷୋଭ ସମୟରେ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଇଣ୍ଟର୍‌ନେଟ୍‌ ସେବା ବନ୍ଦ କରିବାକୁ ସରକାରଙ୍କ ନିର୍ଦ୍ଦେଶ ଷ୍ଟାର୍‌ଲିଙ୍କ୍‌ କାର୍ଯ୍ୟକାରୀ କରିପାରିବ କି ନାହିଁ, ତାହା ମଧ୍ୟ ସଂଗଠନ ପ୍ରଶ୍ନ କରିଛି। ଏସ୍‌ଜେଏମ୍‌ ଆହୁରି ଦାବି କରିଛି ଯେ ସମ୍ବେଦନଶୀଳ ସୀମାନ୍ତ ଅଞ୍ଚଳ ଓ ସଂଘର୍ଷପ୍ରବଣ ସ୍ଥାନରେ ଅନଧିକୃତ ଷ୍ଟାର୍‌ଲିଙ୍କ୍‌ ଟର୍ମିନାଲ୍‌ ଠାବ ହୋଇଛି। ସୁରକ୍ଷା ଏଜେନ୍ସିଗୁଡ଼ିକ ବିଭିନ୍ନ ତଦନ୍ତ ସମୟରେ ଏହାର ଉପକରଣ ମଧ୍ୟ ଜବତ କରିଥିବା ସଂଗଠନ କହିଛି। ୟୁକ୍ରେନ୍‌, ଇରାନ, ରୁଷ୍‌, ଚୀନ୍‌ ଓ ତାଇୱାନ ସମେତ ବିଭିନ୍ନ ଦେଶର ଅଭିଜ୍ଞତାକୁ ଏହା ନିଜ ଆଶଙ୍କାର ଆଧାର ବୋଲି ଦର୍ଶାଇଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button